ଜାରିରହିଛି ଗ୍ରୀଷ୍ମ ପ୍ରବାହ,ଜଳଛତ୍ର ଖୋଲିବାକୁ ଦାବି

ନିମାପଡ଼ା, (ସନ୍ତୋଷ ଦାଶ):ଗତ କିଛି ଦିନ ହେବ ନିମାପଡ଼ା, ଗୋପ, କାକଟପୁର, ଅସ୍ତରଙ୍ଗ ଅଞ୍ଚଳ ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।ପ୍ରାଚୀ , ଧନୁଆଁ,କୁଶଭଦ୍ରା,କାଦୁଆ ନଦୀ ଓ ପୋଖରୀ ସବୁ ଶୁଖିଲା ପଡ଼ିଛି। ପାଣି ଟୋପେ ପିଇବାକୁ ମଣିଷ ଙ୍କ ସହିତ ପଶୁ ପକ୍ଷୀ ଡହଳ ବିକଳ ହେଉଛନ୍ତି। ବିଭିନ୍ନ ଗ୍ରାମ ରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି ସତ କିନ୍ତୁ ବିଦ୍ୟୁତ ସରବରାହ ବନ୍ଦ ଯୋଗୁଁ ଏ ଗୁଡ଼ିକ ଅଚଳ ହୋଇ ପଡିଥିବା ଅଭିଯୋଗ ହେଉଛି। ନିମାପଡ଼ା ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ନୂତନ ଭାବେ ୩୩ କେଭି ଖୁଣ୍ଟ ପୋତାଯାଇ ନୂତନ ତାର ଟଣା କାର୍ଯ୍ୟ ଚାଲୁଥିବାରୁ ପ୍ରାୟ ସବୁ ଦିନ ସକାଳ ୬ ଟା ରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହୁଛି।ଉପରୋକ୍ତ ଅଞ୍ଚଳ ରେ ଥିବା ନଳକୂପ ଗୁଡ଼ିକ ରେ ଜଳସ୍ତର ଖସି ଯାଇଥିବାରୁ ସ୍ଥାନେ ସ୍ଥାନେ ଅଚଳ ହୋଇପଡିଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ପଞ୍ଚାୟତ ଓ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଯାଇଥାଏ। ପଥଚାରୀ ଓ ଅନ୍ୟ ମାନେ ସୁବିଧାରେ ପିଇବାକୁ ପାଣି ପାଇଥାନ୍ତି। କିନ୍ତୁ ଚଳିତବର୍ଷ କେଉଁଠି ବି ଜଳଛତ୍ର ଖୋଲା ଯାଇନାହିଁ। ଫଳରେ ବାଟୋଇ,ଯାତ୍ରୀ ଓ ସାଧାରଣଲୋକ ପିଇବାକୁ ଟୋପାଏ ପାଣି ପାଇପାରୁନାହାନ୍ତି। ତୁରନ୍ତ ବିଭିନ୍ନ ପଞ୍ଚାୟତ ପକ୍ଷରୁ ଜଳଛତ୍ର ଖୋଲାଯିବା ସହିତ ଏହି ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ସରବରାହ ବନ୍ଦ ନ କରିବାକୁ ସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ