୬ ଦଫା ଦାବିକୁ ନେଇ ଘୋଡାଂଶ ପଂଚାୟତ ସମିତି ସଭ୍ୟଙ୍କ ଆମରଣ ଅନଶନ ପାଇଁ ନୋଟିସ ପ୍ରଦାନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଂଶ ପଂଚାୟତ ସମିତି ସଭ୍ୟ ତରୁଣକାନ୍ତ ବାରିକ ୬ ଦଫା ଦାବି ନେଇ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାକୁ ଗୁରୁବାର ବିଡିଓ ତପନ ମହାପାତ୍ରଙ୍କୁ ଲିଖିତ ନୋଟିସ ପ୍ରଦାନ କରିଛନ୍ତି । ବିଡିଓଙ୍କ ବ୍ୟତିତ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀ, ନାଉଗାଁ ଥାନା ଭାରାପ୍ରାପ୍ତ ଅଧିକାରୀ, ତହସିଲଦାର ,ନାଉଗାଁ, ଜିଲ୍ଲାପାଳ ଜଗତସଂହପୁର, ପିଡି, ଡିଆରଡିଏ, ଜଗତସିଂହପୁର, ମୁଖ୍ୟ ଶାସନ ସଚିବ, ନିର୍ବାଚନ କମିଶନର ଆଦିଙ୍କୁ ଏହାର ନକଲ କପି ପଠାଇଥିବା ଜଣାଯାଇଛି । ଆସନ୍ତା ୨୦୨୪ ଅପ୍ରେଲ ୨୬ ମଧ୍ୟରେ ଦାବି ଗୁଡିକ ପୁରଣ ନ ହେଲେ ଆମରଣ ଅନଶନରେ ବସି ରହିବେ ବୋଲି ନୋଟିସରେ ଦର୍ଶାଯାଇଛି । ଦାବି ଗୁଡିକ ମଧ୍ୟରେ ରହିଛି ଘୋଡାଂଶ ପଂଚାୟତରେ ଉଜ୍ଜଳୀକରଣ ଯୋଜନାରେ ଲଗାଯାଇଥିବା ଲାଇଟ ବାବଦକୁ ୧ ଲକ୍ଷ ୨୬ ହଜାର ଟଙ୍କାର ବିଲ ପ୍ରଦାନ କରା ନଯିବା, ସଇଦାବାଦ କଲର୍ଭଟ ୧ ଲକ୍ଷ ଟଙ୍କା ବିଲ ନହେବା, ପରିକ୍ରମା ରଥର ପ୍ରସାଦ ସେବନ ଅର୍ଥ ନ ମିଳିବା, କାଳିଦାସ ପ୍ରାଥମିକ ବିଦ୍ୟାଳୟ ଠାରୁ ଶ୍ମଶାନ ପର୍ଯ୍ୟନ୍ତ ରାସ୍ତାର କାର୍ଯ୍ୟ ନିମ୍ନମାନର ହୋଇଥିବା ବେଳେ ଏହାର ତଦନ୍ତ ନହେବା, ଘୋଡାଂଶ ପୂର୍ତ ବିଭାଗ ରାସ୍ତା ଠାରୁ ଘୋଡେଶ୍ୱର ରାସ୍ତାର ମରାମତି , ସୂଚନା ଅଧିକାର ଆଇନରେ ମଗାଯାଇଥିବା ତିରୁଣା ଓ ଡାବର ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟର ତଦନ୍ତର ନକଲ କପି ପ୍ରଦାନ ଆଦି ରହିଛି । ଉକ୍ତ ପଂଚାୟତରେ ଏକ ବର୍ଷରୁ ଉଦ୍ଦ୍ୱର୍ ହେବ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସରିଥିଲେ ମଧ୍ୟ ଆକ୍ରୋଶ ମନୋଭାବ ରଖି ବିଲ ପ୍ରଦାନ କରାଯାଉ ନଥିବା ସମିତି ସଭ୍ୟ ବାରିକ ନୋଟିସରେ ଦର୍ଶାଇଛନ୍ତି । ଏବିଷୟରେ ବିଡିଓ ତପନ ମହାପାତ୍ରଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ