ଚନ୍ଦ୍ରଭାଗା ତେଲୁଗୁ ବସ୍ତିରେ ଜାଲ ଡଙ୍ଗା ଯୋଗାଣ ନାଁରେ କୋଟି କୋଟି ଟଙ୍କାର ସବସିଡି ସହାୟତା ରାଶି ହରିଲୁଟ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଥାନା ଅଧିନସ୍ଥ କୋଣାର୍କ ଏନଏସି ୮ନଂ ଓ୍ବାର୍ଡ ଚନ୍ଦ୍ରଭାଗା ତେଲୁଗୁ ବସ୍ତିରେ ମତ୍ସ୍ଯଜୀବି ମାନଙ୍କୁ ଜାଲ, ଡଙ୍ଗା, ଇଞିନ ଓ ଲାଇଫ ଜ୍ଯାକେଟ ଯୋଗାଣ ନାଁରେ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମତ୍ସ୍ଯ ବିଭାଗ ପ୍ରଦତ୍ତ ସବସିଡି ସହାୟତା ରାଶି ହଡପ କରାଯାଇଥିବା ନେଇ କୋଣାର୍କ ଥାନାରେ ନ୍ୟାୟ ପାଇବା ପାଇଁ ଚନ୍ଦ୍ରଭାଗା ତେଲୁଗୁ ବସ୍ତିର ୧୨ଜଣ ହିତାଧିକାରୀ ଲିଖିତ ଅଭିଯୋଗ କରିଛନ୍ତି। ଖବରରୁ ପ୍ରକାଶ ଯେ ପୁରୀ ଜିଲ୍ଲା ମତ୍ସ୍ଯ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତେଲୁଗୁ ବସ୍ତିର ୬୦ରୁ ଉର୍ଦ୍ଧ୍ବ ମତ୍ସ୍ଯଜୀବି ମାନଙ୍କୁ ଏକ ସଂଗଠନ ମାଧ୍ୟମରେ ହିତାଧିକାରୀ ପିଛା ୫ଲକ୍ଷ ଟଙ୍କା ସମୁଦ୍ରରେ ମାଛ ଧରିବା ପାଇଁ ଜାଲ, ଡଙ୍ଗା, ଇଞିନ ଓ ଲାଇଫ ଜ୍ଯାକେଟ ବାବଦରେ ଆର୍ଥିକ ସହାୟତା ରାଶି ମଂଜୁର କରିଥିଲେ। ଏହି ସହାୟତା ରାଶିରେ ହିତାଧିକାରୀ ପିଛା ମତ୍ସ୍ଯ ବିଭାଗ ପକ୍ଷରୁ ୨ଲକ୍ଷ ୧୦ ହଜାର ଟଙ୍କାର ସବସିଡି ରାଶି ରହିଛି। ଏହି ବସ୍ତିରେ ମତ୍ସ୍ଯ ବିଭାଗ ପକ୍ଷରୁ ମତ୍ସ୍ଯ ଜୀବି ମାନଙ୍କୁ ଜାଲ, ଡଙ୍ଗା, ଇଞିନ ଓ ଲାଇଫ ଜ୍ଯାକେଟ ପ୍ରଦାନ କରା ନ ଯାଇ ଅଭିନବ ଉପାୟରେ ବସ୍ତିର ପୁରୁଣା ଜାଲ, ଡଙ୍ଗା ସମେତ ଅନ୍ୟାନ୍ୟ ସାମଗ୍ରୀ ନିକଟରେ ହିତାଧିକାରୀ ମାନଙ୍କୁ ଠିଆ କରାଯାଇ ଫଟୋ ଉତ୍ତୋଳନ କରି କାଗଜ କଲମରେ ପ୍ରଦାନ କରାଯାଇଛି ବୋଲି ତେଲୁଗୁ ବସ୍ତିର ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ମତ୍ସ୍ଯ ବିଭାଗ, ପୁରୀର ଏକ ଘରୋଇ ବ୍ଯାଙ୍କ ଓ ଚନ୍ଦ୍ରଭାଗା ତେଲଗୁ ବସ୍ତିର ଗୋପି ନାମକ ଜଣେ ଯୁବକ ମିଳିତ ଭାବେ ୬୦ରୁ ଉର୍ଦ୍ଧ୍ବ ହିତାଧିକାରୀ ମାନଙ୍କୁ ଭୂଆଁ ବୁଲାଇ ମତ୍ସ୍ଯଜୀବି ହିତାଧିକାରୀ ମାନଙ୍କୁ ସାମଗ୍ରୀ ପ୍ରଦାନ ନ କରି ମତ୍ସ୍ଯ ବିଭାଗ ପକ୍ଷରୁ ପ୍ରଦତ୍ତ ୧କୋଟିରୁ ଉର୍ଦ୍ଧ୍ବ ସବସିଡି ସହାୟତା ରାଶି ହଡପ କରିଥିବା ହିତାଧିକାରୀ ପିକି ମୁସଲିଆ, କୋଦା ଚିଟି, ସାପୁଲୁ ତାତାରାଓ, ପିକେ ଗୋପି, ପିକେ ସୁରେ, ମାଇଲିପିଲି ସମେତ ୧୨ଜଣ ହିତାଧିକାରୀ କୋଣାର୍କ ଥାନାରେ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି। ପୁରୀ ଜିଲ୍ଲା ମତ୍ସ୍ଯ ବିଭାଗ କେଉଁ ସରକାରୀ ନିୟମ ଅନୁଯାୟୀ କେଉଁ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ଆଧାରରେ ଚନ୍ଦ୍ରଭାଗା ତେଲୁଗୁ ବସ୍ତିର ୬୦ରୁ ଉର୍ଦ୍ଧ୍ବ ମତ୍ସ୍ଯ ହିତାଧିକାରୀ ମାନଙ୍କୁ ଜାଲ, ଡଙ୍ଗା, ଇଞିନ ଓ ଲାଇଫ ଜ୍ଯାକେଟ ପ୍ରଦାନ ନ କରି ହିତାଧିକାରୀ ପିଛା ସବସିଡି ବାବଦରେ ଆସିଥିବା ୨ଲକ୍ଷ ୧୦ହଜାର ଟଙ୍କା ଲେଖାଏଁ ବସ୍ତିର ଏକ ସଂଗଠନର ମୁଖ୍ୟ ଗୋପି ମାଧ୍ୟମରେ ମତ୍ସ୍ଯଜୀବି ମାନଙ୍କୁ ମିଥ୍ଯା ପ୍ରଲୋଭନ ଦେଖାଇ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କଲେ ଏହାର ଉଚ୍ଚସ୍ତରୀୟ ତଦନ୍ତ କଲେ ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି ବସ୍ତିର ହିତାଧିକାରୀ ମାନଙ୍କ ସମେତ ବସ୍ତିବାସିନ୍ଦା ମାନେ ଦାବି କରିଛନ୍ତି। ଏହି ବସ୍ତିର ଅଧିକାଂଶ ମତ୍ସ୍ଯ ହିତାଧିକାରୀ ମାନେ ଗରିବ ଓ ଅସହାୟ ହୋଇ ଥିବାରୁ ସେମାନଙ୍କ ମତ୍ସ୍ଯ ବିଭାଗ ପକ୍ଷରୁ ପ୍ରଦତ୍ତ ସହାୟତା ରାଶି ହଡପ ନେଇ ବୁଧବାର ଅପରାହ୍ନରେ ଚନ୍ଦ୍ରଭାଗା ତେଲୁଗୁ ବସ୍ତିରେ ସହାୟତା ରାଶି ହଡପର ଶିକାର ହୋଇଥିବା ହିତାଧିକାରୀ ମାନଙ୍କ ସମେତ ବସ୍ତିବାସିନ୍ଦା ମାନେ ନ୍ୟାୟ ପାଇଁ ନାରାବାଜି ଦେଇଥିଲେ। ଏହି ବସ୍ତିର ଯୁବକ ଗୋପିଙ୍କୁ ହଡ଼ପର ଶିକାର ହୋଇଥିବା ହିତାଧିକାରୀ ମାନେ ସେମାନଙ୍କ ସବସିଡି ସହାୟତା ରାଶି ମାଗିବାରେ ସଂପୃକ୍ତ ଯୁବକ ସେମାନଙ୍କୁ ଧମକ ଚମକ ଦେଉଛନ୍ତି ବୋଲି ହିତାଧିକାରୀ ମାନେ ପ୍ରକାଶ କରିଛନ୍ତି। ଚନ୍ଦ୍ରଭାଗା ତେଲୁଗୁ ବସ୍ତିରେ ହିତାଧିକାରୀ ମାନଙ୍କ ନାଁରେ ଏହି ବସ୍ତିର ଗୋପି ନାମକ ଯୁବକ ପୁରୀ ଜିଲ୍ଲା ମତ୍ସ୍ଯ ବିଭାଗର କିଛି ଅସାଧୁ ଅଧିକାରୀ ଓ ପୁରୀର ଏକ ଘରୋଇ ବ୍ଯାଙ୍କ ମିଳିତ ଭାବେ ଷଡଯନ୍ତ୍ର କରି କୋଟି କୋଟି ଟଙ୍କାର ସବସିଡି ସହାୟତା ରାଶି ହଡପ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଚନ୍ଦ୍ରଭାଗା ତେଲୁଗୁ ବସ୍ତିର ମତ୍ସ୍ଯ ହିତାଧିକାରୀ କୋଦା ଚିଟି, ପିକି ମୁସଲିଆ, ସାପୁଲୁ ତାତାରାଓ, କାରେ ଶ୍ରୀନୁ, ଗାଣ୍ଟା ସୁରେଶ, ପିକେ ଗୋପି, ମାଇଲି ପିଲି, ବନ୍ଦୀ ଚିଟି, ଲାଙ୍କା ରାଜୁ, ପେଦା କାବୁ ଜଗତା ଓ କୋଦା ନାଗେଶ ସମେତ ୬୦ରୁ ଉର୍ଦ୍ଧ୍ବ ହିତାଧିକାରୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, ମତ୍ସ୍ଯ ବିଭାଗ ସଚିବ, ମତ୍ସ୍ଯ ବିଭାଗ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖଙ୍କୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ କରିବା ଦାବି କରିବା ସହ ନ୍ଯାୟ ପ୍ରଦାନ ପାଇଁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ