ଜନତାଙ୍କ ଅନ୍ତସ୍ୱର

ବର୍ତ୍ତମାନ ଶାସନର ରୂପରେଖ ବଡ଼ ବିଚିତ୍ର । ଏବେ ଶିକ୍ଷାନୁଷ୍ଠାନରେ ନିୟମିତ ଶିକ୍ଷକଙ୍କ ସଂଖ୍ୟା କମ୍‌, ଡାକ୍ତରଖାନାରେ ଡାକ୍ତରଙ୍କ ସଂଖ୍ୟା କମ୍ ତ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟା କମ୍ । ଯେତକ ବି ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଉଟସୋର୍ସିଂ ସଂସ୍ଥା ଦ୍ୱାରା ଦୀର୍ଘଦିନ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କର ଚାକିରୀ ନିୟମିତ କରାଯାଉ ନାହିଁ । ସରକାରୀ କାର୍ଯ୍ୟାଳୟରେ ଦୀର୍ଘ ୨୫/୩୦ ବର୍ଷ ଧରି ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବା କିଛି ଲୋକଙ୍କୁ ମଧ୍ୟ କୌଣସି ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ ନିଯୁକ୍ତି ମିଳିପାରି ନାହିଁ । କିନ୍ତୁ କେତେକ ଅନାବଶ୍ୟକ ଉଚ୍ଚ ପଦବୀ ସୃଷ୍ଟି କରିବା ସହ କିଛି ଚାଟୁକାରଙ୍କୁ ସେହିସବୁ ପଦବୀରେ ଥଇଥାନ କରାଯାଇ ଅଯଥା ସରକାରୀ ଅର୍ଥର ଅପଚୟ କରାଯାଉଛି । କିନ୍ତୁ କେତେକ ତଳ ପଦବୀରେ ଥିବା କର୍ମଚାରୀ ଯଥା ଯାନ ଚାଳକ, ଟାଇପିଷ୍ଟ, ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଅବସର ପରେ ସେମାନଙ୍କ ନିୟମିତ ପଦବୀକୁ ଉଚ୍ଛେଦ କରି ସେମାନଙ୍କ ସ୍ଥାନରେ ସ୍ୱଳ୍ପ ବେତନରେ କିଛି ଆଉଟସୋର୍ସିଂ ନିଯୁକ୍ତି ଦେଇ ସରକାର ଦପ୍ତର ଚଳାଉଛନ୍ତି । କେତେକ ସ୍ଥାନରେ ବରିଷ୍ଠ କର୍ମଚାରୀଙ୍କ ଅବସର ପରେ ବରିଷ୍ଠ ପଦବୀକୁ ଉଚ୍ଛେଦ କରି କନିଷ୍ଠ କର୍ମଚାରୀମାନଙ୍କର ପଦୋନ୍ନତି ବନ୍ଦ କରିବା ଭଳି ଅବିବେକୀ ନିଷ୍ପତ୍ତି ନିଆଯାଉଛି ।
ଏପରି କରିବା ଦ୍ୱାରା ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟର ମାନ କମୁଛି, ହେଲେ ପରୋକ୍ଷରେ ଆଉଟ ସୋର୍ସିଂ ଏଜେଣ୍ଟମାନେ ଭଲ ଲାଭ ପାଉଛନ୍ତି । କିଛି ଉତ୍ତମ ପଦଲେହନକାରୀ କର୍ମଚାରୀଙ୍କୁ ଅବସର ପରେ ପୁନଃ ନିଯୁକ୍ତି ଦେଇ ନୂତନ ନିଯୁକ୍ତିର ରାସ୍ତାକୁ ସଙ୍କୁଚିତ କରି ଉତ୍କଟ ବେକାରୀ ସମସ୍ୟାକୁ ଅଧିକ ଜଟିଳ କରାଯାଉଛି । କିନ୍ତୁ ଦୁଃଖର ବିଷୟ ଏହା ଯେ ସାଧାରଣ ନିର୍ବାଚନ ପୂର୍ବରୁ କୌଣସି ରାଜନୈତିକ ଦଳ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଏହିସବୁ ସମସ୍ୟା ଉପରେ ଆଲୋକପାତ କରୁନାହାଁନ୍ତି । ଯେଉଁ ଦଳ ସରକାର ଗଢିଲେ ମଧ୍ୟ ବିଗିଡ଼ି ଯାଇଥିବା ସରକାରୀ କଳର ପୁନରୁଦ୍ଧାର ହେବାର ଆଶା ଦିଶୁନାହିଁ । ହୁଏତ ସରକାରୀ କଳ ବି ଦିନେ ଆଉଟ ସୋର୍ସିଂ ସଂସ୍ଥା ହାତକୁ ଚାଲିଯାଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ