ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ସ୍କାଉଟସ୍ ଏବଂ ଗାଇଡସ୍‌ଙ୍କୁ ରାଜ୍ୟ ପୁରସ୍କାର ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍‌ର ୩୬ତମ ରାଜ୍ୟ ପୁରସ୍କାର ଉତ୍ସବ ତା୧୪ା୦୫ା୨୦୨୪ରିଖ ୧୧.୩୦ମିନିଟ୍ ସମୟରେ ରାଜଭବନର ନୂଆ ଅଭିଷେକ ହଲ ପରିସରରେ ଏକ ବର୍ଣ୍ଣାଢ଼୍ୟପୂର୍ଣ୍ଣ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୯୫୦ଜଣ ସ୍କାଉଟ୍‌, ଗାଇଡ୍‌, ରୋଭର, ରେଞ୍ଜର, କବ୍‌, ବୁଲ୍‌ବୁଲ୍‌, ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନଙ୍କ ସମେତ ପ୍ରତ୍ୟେକ ଜିଲ୍ଲାର ସମସ୍ତ ପଦାଧିକାରୀ ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ । ଉକ୍ତ ଉତ୍ସବରେ ସଂସ୍ଥାର ମୁଖ୍ୟ ପୃଷ୍ଠପୋଷକ ତଥା ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ମହୋଦୟ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପ ସଭାପତି ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଡଃ. (ଶ୍ରୀମତୀ) ମିନତୀ ବେହେରା, ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ସନ୍ତୋଷ କୁମାର ଶତପଥୀ, ଆଇଏଏସ, ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ର, ରାଜ୍ୟ କମିଶନର (ଗାଇଡ୍‌) ଡଃ. (ଶ୍ରୀମତୀ) ସିପ୍ରା ନାୟକ, ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟଙ୍କ ସମେତ ମୁଖ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ଓ ରାଜ୍ୟସ୍ତରୀୟ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ରାଜ୍ୟ ମୁଖ୍ୟ କମିଶନର ଡଃ. ମିଶ୍ର ତାଙ୍କ ସ୍ୱାଗତ ଭାଷଣରେ ରାଜ୍ୟ ଶାଖା ଆନୁକୂଲ୍ୟରେ ବିଗତ ବର୍ଷରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ସ୍କାଉଟ ଓ ଗାଇଡ୍‌ମାନଙ୍କ ଦ୍ୱାରା ବିଭିନ୍ନ ସେବା ତଥା ଗୋଷ୍ଠୀ ଉନ୍ନୟନ ମୂଳକ କାର୍ଯ୍ୟ ଦ୍ୱାରା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜର ଉତ୍କର୍ଷତା ବଜାୟ ରଖିଥିବା ବିଷୟରେ ରାଜ୍ୟପାଳ ମହୋଦୟଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟପାଳ, ଭାରତ ସ୍କାଉଟସ୍ ଓ ଗାଇଡସ୍ ଭଳି ଏକ ବୃହତ ସ୍ୱେଚ୍ଛାସେବୀ ସଂଗଠନ ଅତୀତରେ ବହୁ ସେବାମୂଳକ କାର୍ଯ୍ୟନିର୍ବାହ କରି ପୃଥିବୀରେ ସର୍ବବୃହତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରୂପେ ନିଜର ସ୍ଥିତି ବଜାୟ ରଖି ପାରିଛି, ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତଥା ଦୁର୍ଘଟଣା ସମୟରେ ଲୋକଙ୍କ ପାଖରେ ପହଞ୍ଚି ଆବଶ୍ୟକୀୟ ସେବା ଯୋଗାଇ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛି ଆଉ ଭବିଷ୍ୟତରେ ନିଶ୍ଚିତ ଭାବେ ଏହାକୁ ଅତୁଟ ରଖିବ ବୋଲି ଆଶାବ୍ୟକ୍ତ କରିଥିଲେ । ସ୍କାଉଟ ସଂଗଠନର କାର୍ଯ୍ୟକୁ ବ୍ୟାପକ କରିବା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ସମ୍ପାଦନ ହେତୁ ଗ୍ୟାଷ୍ଟ୍ରୋଇଣ୍ଟୋରୋଲୋଜି ଡଃ. ମନୋଜ କୁମାର ସାହୁ ଏବଂ କମାଣ୍ଡାଣ୍ଟ ୪୧ ବାଟାଲିଅନ ଶ୍ରୀ ନରେନ୍ଦର ସିଂହଙ୍କୁ ମାନ୍ୟବର ରାଜ୍ୟପାଳ ସମ୍ମାନ ପତ୍ର ପ୍ରଦାନ କରିଥିଲେ । ଏତଦ୍‌ବ୍ୟତୀତ ଜିଲ୍ଲା ସ୍କାଉଟ ଗାଇଡ୍ ସମାବେଶ ପାଇଁ ଏବଂ ସ୍କାଉଟ ଗାଇଡ୍‌ରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଏବଂ ସ୍କାଉଟ ମାଷ୍ଟର, ଗାଇଡ୍‌କ୍ୟାପଟେନ୍ ମାନଙ୍କୁ ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରିଶେଷରେ ସ୍କାଉଟ ଓ ଗାଇଡ୍‌ମାନଙ୍କ ଦ୍ୱାରା ଚିତତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଚଳିତ ବର୍ଷର ପ୍ରୋକ୍ତ ଉତ୍ସବଟି ସଫଳତାର ସହ ସମାପନ ହୋଇଥିଲା । ଆଦର୍ଶ ଆଚରଣ ବିଧି ଲାଗିଥିବାରୁ ସଂସ୍ଥାର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଏହି ସମାରୋହରେ ଅନୁପସ୍ଥିତ ଥିଲେ ମଧ୍ୟ ସମସ୍ତ ପୁରସ୍କୃତ ପ୍ରତିଭା ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ