ଦିଲ୍ଲୀପ ନାୟକଙ୍କ ପ୍ରଚେଷ୍ଟାରେ ବରିଷ୍ଠ କର୍ମୀ ବିଜେଡ଼ିକୁ ଫେରୁଛନ୍ତି

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଟି ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ହୋଇଥିବାରୁ ଏଠାରେ ଆସନ୍ତା ଜୁନ ୧ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ଦଳରୁ ପ୍ରାର୍ଥୀ ମାନେ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରି ସାରିବା ପରେ ଏବେ ନିଜ ସପକ୍ଷରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଜେଡ଼ି ଦଳ ଏଠାରେ ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ପ୍ରାର୍ଥୀ ନ କରି ବିଜେପିରୁ ଯାଇ ବିଜେଡ଼ିରେ ଯୋଗ ଦେଇଥିବା ନେତା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ଏଣୁ ସମୀରଙ୍କ ସମର୍ଥକ ମାନେ ବିଜେପିରେ ଯୋଗଦାନ କରି ବିଜେପି ପ୍ରାର୍ଥୀନୀ ପ୍ରଭାତୀ ପରିଡ଼ାଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। କେତେକ ନବୀନ ପ୍ରେମୀ ଓ ବରିଷ୍ଠ ବିଜେଡି କର୍ମୀ ଚୁପ ହୋଇ ବସିଛନ୍ତି। ସେହି କର୍ମୀ ଓ ପ୍ରେମୀ ମାନଙ୍କୁ ଠାବ କରି ବିଜେଡ଼ି ପ୍ରାର୍ଥୀ ଦିଲ୍ଲୀପ ନାୟକ ତାଙ୍କ ଘରକୁ ଯାଇ ସେମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି। ଦଳକୁ ଭଲ ପାଉଥିବା ଓ ମୁଖ୍ୟମନ୍ତ୍ରୀଙ୍କୁ ନିଜକୁ ଆଦର୍ଶ ଭାବେ ଗ୍ରହଣ କରିଥିବା ଅନେକ ବିଜୁ ପ୍ରେମୀ ମାନଙ୍କୁ ନିଜ ସପକ୍ଷରେ ଆଣିବାରେ ଦିଲ୍ଲୀପ ନାୟକ ସଫଳ ହେଉଛନ୍ତି। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକ କଲ୍ୟାଣକାରୀ ଯୋଜନା ଓ ନିର୍ମଳ ଭାବମୂର୍ତ୍ତିକୁ ପାଥେୟ କରି ଦିଲ୍ଲୀପ ନାୟକ ନିଜ ପ୍ରଚାର କାର୍ଯ୍ୟକୁ ଆଗେଇ ନେଉଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ନିମାପଡ଼ାର ଜନସାଧାରଣ ନିଶ୍ଚିତ ଭାବେ ବିଜେଡ଼ିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ନାୟକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ