ପୁରାତନ ସଭ୍ୟତା, ସଂସ୍କୃତି ଏବଂ ଐତିହ୍ୟ ସମ୍ପନ୍ନ ସମ୍ବଲପୁର ଜିଲ୍ଲା ପଛରେ କାହିଁକି : ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, (ଯୁଗାବ୍ଦ ନ୍ୟୁଜ) :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ ସମ୍ବଲପୁରର ଆଶା, ଆକାଂକ୍ଷା, ଦାବି ଏବଂ ସମ୍ଭାବନା ନେଇ ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି । ସମ୍ବଲପୁରରେ ପ୍ରଚାର କରିବା ସମୟରେ ସମ୍ବଲପୁରବାସୀ ଭୋଗୁଥିବା ପ୍ରମୁଖ ସମସ୍ୟା ଉପରେ ମତ ରଖିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କ ମହାନଦୀ ଜଳ ବିବାଦ, ଗ୍ୟାସ ପାଇପଲାଇନ, ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ କାର୍ଯ୍ୟସୂଚୀରେ ଅନ୍ତର୍ଭୃକ୍ତ ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ରଖିଛନ୍ତି । ସେହିପରି ଆସନ୍ତା ୨୫ ତାରିଖରେ ସମ୍ବଲପୁର ଲୋକସଭା ଓ ୭ଟି ବିଧାନସଭାର ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍‌ରେ ରେକର୍ଡ ସଂଖ୍ୟକ ମତଦାନ ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଯେ ଦୀର୍ଘ ୨୫ ବର୍ଷ ଶାସନରେ ହୀରାକୁଦରେ ହଇଜା ସ୍ଥିତି, ଜିଲ୍ଲାର ସ୍ୱଚ୍ଛତାକୁ ପଦାରେ ପକାଇଛି । ୧୦ ବର୍ଷ ହେବ ମହାନଗର ନିଗମ ନିର୍ବାଚନ ପାଇଁ ଲୋକଙ୍କୁ ସୁଯୋଗ ଦିଆଯାଇନାହିଁ । ସମ୍ବଲପୁର ପ୍ରତିନିଧିଙ୍କ ଅଧିକାର କାହିଁକି ଛଡ଼ାଇ ନେଲେ । ସମ୍ବଲପୁରର ରାସ୍ତା ଘାଟ ଶୋଚନୀୟ । ଗଳି ଓ ନାଳର ଅବସ୍ଥା ଜଣାପଡୁନାହିଁ । ଲୋକଙ୍କଠାରୁ ଟିକସ ନେବା ପରେ ସେମାନଙ୍କୁ ଅବହେଳିତ କରି ରଖିବା ଅପରାଧ ନୁହେଁ କି? ଏଥିପାଇଁ କିଏ ଦାୟୀ, ତାହା ଭୋଟ ନିର୍ଣ୍ଣୟ କରିବ । ସମ୍ବଲପୁରରେ ହାଇକୋର୍ଟ ବେଞ୍ଚର ସ୍ଥାପନା ନେଇ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି) କାର୍ଯ୍ୟାଳୟ ଭୁବନେଶ୍ୱରରେ କାହିଁକି ଅଛି ? ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କେନ୍ଦ୍ର ସମ୍ବଲପୁର । କିନ୍ତୁ ଅଧ୍ୟାପକ ନଥିବାରୁ ନାକ୍ ଆପ୍ରୁଭାଲ ପାଇଁ ଚିଠି ମଧ୍ୟ ହୋଇପାରୁନାହିଁ । ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ,ସମେତ ଅନେକ ପ୍ରମୁଖ ଶିକ୍ଷାନୁଷ୍ଠାନରେ ପ୍ରାଧ୍ୟାପକ ପଦବୀ ଖାଲି ପଡିଛି । ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପ୍ରାୟ ୫୦ ପ୍ରତିଶତ ପିଲାମାନେ ପରୀକ୍ଷା ଦେଉନାହାନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବୁର୍ଲା ମେଡିକାଲରେ ଡାକ୍ତର ପଦବୀ ଖାଲି ପଡିଛି । ଏଠାରେ ହନୁମାନ ଜୟନ୍ତୀକୁ ବନ୍ଦ କରିବା ପାଇଁ କିଏ ଷଡଯନ୍ତ୍ର କରିଥିଲେ ? ସମ୍ବଲପୁର ବହୁମୁଖୀ ସଂସ୍କୃତି, ଭାଷା, ବିଷିଷ୍ଟ ବ୍ୟକ୍ତିବିଶେଷଙ୍କ ସହର । ଏଠାରେ ସହରୀ ସଭ୍ୟତା ଅଛି । ଆଦିବାସୀ ଗ୍ରାମ ଅଛି । କୃଷକ, ବଞ୍ଚିତ ବର୍ଗ, ଦଳିତ ବର୍ଗ ସମସ୍ତେ ଅଛନ୍ତି । ଖଣିଜ ସମ୍ପଦ ଭରପୁର ରହିଛି । ଛେଣ୍ଡିପଦା ଓ ରେଙ୍ଗାଲି ପରି ଖଣି ଅଞ୍ଚଳ ଅଛି । ଦୁଇଟି ବଡ଼ କଳକାରଖାନା ଅଛି । ଆଲୁମିନିୟମ ତିଆରିର ଏ କାରଖାନା ମଧ୍ୟ ଅଛି । ପୁରୁଣା ସଭ୍ୟତା ଓ ସଂସ୍କୃତି ସମ୍ପନ୍ନ ଅଞ୍ଚଳ ସମ୍ବଲପୁର ପଛରେ କାହିଁକି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଏଥର ସମ୍ବଲପୁରବାସୀ ଭୋଟରେ ଦେବେ । ଆଗାମୀ ଦିନରେ ଏଠାରେ ଅଟୋମେଟିଭ ପାର୍ଟ ତିଆରି କାରଖାନା ହେବ । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ । ଦେବ୍ରୀଗଡ଼, ହୀରାକୁଦ ଡ୍ୟାମ୍‌, ମା’ ସମଲେଶ୍ୱରୀଙ୍କ ପୀଠ ସହ ବିଭିନ୍ନ ମନ୍ଦିର ଓ ୧୦ ହଜାର ବର୍ଷ ପୂର୍ବର ପ୍ରସ୍ତର ଚିତ୍ର ଥିବା ନିକଟ ଭୀମମଣ୍ଡଳୀକୁ ନେଇ ପର୍ଯ୍ୟଟନର ଏକ ଗ୍ଲୋବାଲ ହଟସ୍ପଟ ହେବ । ବିଜେପି ସରକାର ହେଲେ ସମ୍ବଲପୁରରେ ବୁଣାକାରକୁ ପ୍ରୋତ୍ସାହନ ଦିଆଯିବ । ବୁଣାକାରମାନଙ୍କ ପାଇଁ ସମ୍ବଲପୁରରେ ଏକ ଆମଦାନୀ ରତ୍ପାନୀର ହବ୍ ତିଆରି କରାଯିବ । କୃଷି କ୍ଷେତ୍ର ଉପରେ ଗବେଷଣା କରିବା ପାଇଁ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ । ଏହି ଅଞ୍ଚଳର ମୌଳିକ ସୁବିଧା ସହ ପର୍ଯ୍ୟଟନକୁ ବିକଶିତ କରାଯିବ । ଦେଶର ଶ୍ରେଷ୍ଠ ୫୦ ସହର ମଧ୍ୟରେ ସମ୍ବଲପୁରକୁ ସ୍ଥାନ ଦେବା ପାଇଁ ପ୍ରୟାସ କରାଯିବ । ନୂଆ ବ୍ୟବସାୟ, ଉଦ୍ଭାବନ ଓ ଷ୍ଟାର୍ଟଅପ୍‌ର ଦୁନିଆ କରାଯିବ, ଯାହା ଯୁବକଙ୍କୁ ରୋଜଗାର ଦେବାରେ ସହାୟକ ହେବ । ସ୍ୱଚ୍ଛ, ସୁନ୍ଦର ଓ ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ସହ ସମ୍ବଲପୁରର ଚାଷୀ, ମହିଳା, ଯୁବବର୍ଗଙ୍କ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ରହିବୁ । ଏହା କେବଳ ସମ୍ବଲପୁର ନୁହଁ ସାରା ଓଡ଼ିଶା ତଥା ଭାରତକୁ ଲାଭଦାୟକ ହେବ । ରାଜ୍ୟରେ ବିଜେପି ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ନିଃଶୁଳ୍କ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । କେନ୍ଦୁପତ୍ର ବିଡା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ରାଜ୍ୟରେ ମୋଦୀ ସରକାରଙ୍କ ଏସଏଚଜି ସମୂହକୁ ନେଇ ୨୫ ଲକ୍ଷ ଲକ୍ଷପତି ଦିଦି ତିଆରି କରାଯିବ । ସବୁ ଜିଲ୍ଲାରେ ମେଡିକାଲ କଲେଜ, ନର୍ସିଂ କଲେଜ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲ ହେବ । ମହାନଦୀ ଜଳ ବିବାଦ, ଗ୍ୟାସ ପାଇପଲାଇନ, ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ କାର୍ଯ୍ୟସୂଚୀରେ ଅନ୍ତର୍ଭୃକ୍ତ କରିବା ଉପରେ ଗଣମାଧ୍ୟମ ପ୍ରଶ୍ନର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମହାନଦୀ ପ୍ରସଙ୍ଗ ନେଇ ସେ ସର୍ବଦା ଓଡ଼ିଶାର ସ୍ୱାର୍ଥ ପାଇଁ ଅନେକ ଟିପ୍ପଣୀ ଦେଇଛନ୍ତି । ଯେକୌଣସି ଦଳର ସରକାର ଥିଲେ ମଧ୍ୟ ଓଡ଼ିଶା ଭାଗର ପାଣି ଆମର ନ୍ୟାର୍ଯ୍ୟ ଦାବି । ଏହି ପାଣି ପାଇବା ପାଇଁ ଯେକୌଣସି ସ୍ତରକୁ ଯିବାକୁ ମଧ୍ୟ ସେ ରାଜି ଅଛନ୍ତି । ମୌସୁମୀ ଓ ଅଣମୌସୁମୀ ସମୟରେ ପାଣିର ସୁପ୍ରବନ୍ଧନ କିପରି ହେବ, ତାହାର ବ୍ୟବସ୍ଥା ହେବ । ତେବେ ବିଗତ ୫ ବର୍ଷରେ ଏହି ସମ୍ପର୍କରେ କ୍ୟାବିନେଟ୍‌ରେ ଥରେ ବି ଚର୍ଚ୍ଚା ହୋଇଛି କି ? ମୌସୁମୀ ସମୟରେ ମହାନଦୀରେ ଯେତିକି ପାଣି ବହିଯାଉଛି, ସେତିକି ପାଣିକୁ ରଖିବା ପାଇଁ କ’ଣ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ? ୨୪ ବର୍ଷରେ କିଛି ନ କରି ଏବେ ପ୍ରଶ୍ନ ଉଠାଉଛନ୍ତି । ମହାନଦୀ ବିବାଦର ସମଧାନ ପାଇଁ ଛତିଶଗଡ଼ ସହ ସର୍ବଦଳୀୟ ବୈଠକ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ଚିଠି ଲେଖିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସିଲେ ନାହିଁ । କେବଳ ପ୍ରସଙ୍ଗ ଉଠାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଅଣମୌସୁମୀ ସମୟରେ ଛତିଶଗଡ଼ ସହ ବିବାଦ ଆନ୍ତଃରାଜ୍ୟ ହୋଇ ରହିଛି । ଟ୍ରିବ୍ୟୁନାଲରେ ଓଡ଼ିଶା ଲଢେଇ କରୁ । ବିଜେପି ସାଥିରେ ରହିବ । ମୋର ପ୍ରତିବଦ୍ଧତା ଓଡ଼ିଶା ସାଙ୍ଗରେ ଅଛି । ମୋର ପ୍ରତିବଦ୍ଧତା ଦଳ ସହ ଅଛି । ଓଡ଼ିଶାର ସ୍ୱାର୍ଥରେ ବାଧା ଦେବା ପାଇଁ ଦଳ କେବେ କହିନାହିଁ । ପୋଲାଭରମ୍ ପ୍ରକଳ୍ପ ହୋଇଗଲା । ଓଡ଼ିଶା ସରକାର କିଛି କରିନାହାନ୍ତି । ମୁଁ ରାଜ୍ୟସଭାରେ ଉଠାଇଥିଲି । ସୁବର୍ଣ୍ଣରେଖା ନଦୀରେ ପାଣି ବିବାଦ ଲାଗି ରହିଛି । ଝାରଖଣ୍ଡ ପାଣି ଛାଡ଼ୁନାହିଁ । ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗୁନାହିଁ । ଓଡ଼ିଶାର ୧୬ଟି ଜିଲ୍ଲାର ଘରେ ଘରେ ପାଇପ୍ ଯୋଗେ ଗ୍ୟାସ୍ ଯୋଗାଣ କାମ ଚାଲିଛି । ପେଟ୍ରୋଲିୟମ ମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ସମ୍ବଲପୁରକୁ ଗ୍ୟାସ ପାଇପଲାଇନ ସହ ଯୋଡାଯାଇଥିଲା । ଏହାର କାମ ଚାଲୁରହିଛି । ଏହାବ୍ୟତିତ ସମ୍ବଲପୁର ଓ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅଣାଯିବା ନିଷ୍ପତ୍ତି ଗୃହ ବିଭାଗର ବିଷୟ । ସମ୍ବିଧାନର ଅଷ୍ଟମ କାର୍ଯ୍ୟସୂଚୀରେ ସାମିଲ କରିବା ପାଇଁ ଅନେକ ଭାଷା ଅପେକ୍ଷାରେ ଅଛି । ତା ପାଇଁ ପ୍ରୟାସ ଆରମ୍ଭ ହେଲେ ସେ ଦାୟିତ୍ୱ ନେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସ୍ଥାନୀୟ ଭାଷା ଓ ମାତୃଭାଷାରେ ପାଠ୍ୟପୁସ୍ତକ ହେବା ସହ ପାଠପଢାର ବ୍ୟବସ୍ଥା କରାଯାଇଛି । ଅନେକ ଜନଜାତି ଭାଷାରେ ବର୍ଣ୍ଣବୋଧ ଭଳି ପୁସ୍ତକ ପ୍ରକାଶ ହୋଇଥିବା ବେଳେ ସମ୍ବଲପୁରୀ ଭାଷାରେ ବର୍ଣ୍ଣବୋଧ ପୁସ୍ତକ ରଚନା କରିବା ପାଇଁ ପ୍ରୟାସ ଜାରି ରହିଛି । ରଙ୍ଗବତୀ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ସମେତ କବି ହଳଧର ନାଗ, ବିନୋଦ ପଶାୟତଙ୍କୁ ସମ୍ମାନିତ କରିବା ସମ୍ବଲପୁର ପାଇଁ ବଡ ସମ୍ମାନ ବୋଲ ସେ ମତପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ