ପୁନଶ୍ଚ ମେଂଟ ଯୁଗ

ଏଥିରେ ବୋଧହୁଏ କେହି ଦ୍ୱିମତ ହେବେ ନାହିଁ ଯେ, ୨୦୨୪ ସାଧାରଣ(ଲୋକସଭା) ନିର୍ବାଚନ ବିଭିନ୍ନ ଦୃଷ୍ଟିରୁ ଇତିହାସ ସୃଷ୍ଟି କରିଛି । ଦୀର୍ଘ ଏକ ଦଶନ୍ଧି ପରେ ଦେଶରେ ମେଂଟ ଶାସନ ଫେରିଛି । କୌଣସି ଦଳକୁ ସ୍ପଷ୍ଟ ଜନାଦେଶ ମିଳିନାହିଁ । କହିବା ବାହୁଲ୍ୟ ଯେ, ଗତ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଦୀର୍ଘ ୧୦ବର୍ଷ ପରେ ସଂଖ୍ୟାଲଘୁ ହୋଇପଡିଛି । ଗତ ୨୦୧୯ ଫଳାଫଳ ତୁଳନାରେ ବିଜେପି ୬୦ଟି ଆସନ ହରାଇବା ଏବେ କୁହୁକ ଅଙ୍କଠାରୁ ୩୫ଟି ଆସନ ଦୂରରେ ରହିଛି । କିନ୍ତୁ ବିଜେପି ନେତୃତ୍ୱାଧୀନ ଏନଡିଏ କୁହୁକ ଅଙ୍କ ଅତିକ୍ରମ କରିଥିବାରୁ ମୋଦୀ କ୍ରମାଗତ ତୃତୀୟ ଥର ପାଇର୍ ଆସନ୍ତା ୮ତାରିଖ ଦିନ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଯାହାକି ଏକ ରେକର୍ଡ । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାର ଲାଲ ନେହେରୁ କ୍ରମାଗତ ୩ଥର ଦେଶର ନେତୃତ୍ୱ ନେଇଥିବାବେଳେ ଏବେ ମୋଦୀ ତାଙ୍କ ରେକର୍ଡର ସମକକ୍ଷ ହେବେ । ଉଲ୍ଳେଖଯୋଗ୍ୟ ଯେ, ଗତ ୧୦ବର୍ଷ ଧରି ମୋଦୀ ଯେଉଁଭଳି ନିରଙ୍କୁଶ କ୍ଷମତାର ଅଧିକାରୀ ଏଥର ସେପରି କ୍ଷମତାର ଅଧିକାରୀ ହେବା ଆଶା କରାଯାଇନପାରେ । ଏନଡିଏର ଅଂଶୀଦାର ଦଳମାନଙ୍କ ବିନା ସହମତିରେ ମନଇଚ୍ଛାରେ କୌଣସି ନିଷ୍ପତି ନେଇପାରିବେ ନାହିଁ । ଗତ ୧୦ବର୍ଷ ଧରି ଦେଶରେ ସହଯୋଗୀ ଦଳମାନଙ୍କୁ ନେଇ ସରକାର ଚଳାଇ ଥିବା ସତ୍ୱେ କଠୋର ନିଷ୍ପତି ନେବାବେଳେ ସେମାନଙ୍କ ଅସହମତି, ଅନିଚ୍ଛାକୁ ଆଦୌ ଗୁରୁତ୍ୱ ଦେଇନଥିବା କୁହାଯାଏ । କିନ୍ତୁ ତୃତୀୟ ପାଳି ସରକାରରେ ତାଙ୍କୁ ବିନମ୍ର ଓ ସାଲିସ କରିବାକୁ ହେବ । ଚଳିତ ୨୦୨୪ ଜନାଦେଶ ମୋଦୀଙ୍କ ପାଇଁ ଏହି ସନ୍ଦେଶ ଦେଇଛି, ବୋଧହୁଏ ଏଥିରେ କେହି ଅସହମତ ହୋଇନପାରନ୍ତି । ମେଂଟର ଦୁଇ ଅଂଶୀଦାର ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତଶ କୁମାରଙ୍କ ଜେଡିୟୁ ସଂଖ୍ୟା ଦୃଷ୍ଟିରୁ ଏନଡିଏ ସରକାରର ‘ରିମୋଟ କଂଟ୍ରୋଲ’ର ହେବା ଆଶଙ୍କାକୁ ଅଣଦେଖା କରାଯାଇନପାରେ । ଉଭୟ ନାଇଡୁ ଏବଂ ନୀତିଶଙ୍କ କ୍ଷମତା ଲୋଭ କାହାରିକୁ ଅଛପା ନାହିଁ । ମନ୍ତ୍ରୀମଣ୍ଡଳରେ ଅଧିକ ସଂଖ୍ୟା ଓ ଗୁରୁତପୂର୍ଣ୍ଣ ବିଭାଗ ପାଇଁ ବର୍ତମାନ ଠାରୁ ସେମାନେ ମୂଲଚାଲ ଆରମ୍ଭ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଏହା ଯଦି ସତ୍ୟ ହୋଇଥାଏ, ତେବେ ଘରେ ନପଶୁଣୁ ମୁଣ୍ଡରେ ଚାଳ ସଦୃଶ ବୋଲି କୁହାଯାଇପାରେ । ମୋଦୀଙ୍କ ପରି ଜଣେ ଦୃଢମନା ନେତାଙ୍କ ପାଇଁ ତୃତୀୟ ପାଳି ଯେ, କଂଟକିତ ଏହା ସ୍ୱୀକାର କରିବାକୁ ହେବ । ଏହା ନିସନ୍ଦେହ ଯେ, ମୋଦୀଙ୍କ ୧୦ବର୍ଷର ଶାସନର ସଫଳତା ବିକଶିତ ଭାରତର ନାରାକୁ ଦେଶବାସୀ ଗ୍ରହଣ କରିନଥିବା ନିର୍ବାଚନ ଫଳାଫଳ ସଂକେତ ପ୍ରଦାନ କରିଛି । ଆହୁରି ମଧ୍ୟ ମୋଦୀଙ୍କ ‘କଂଗ୍ରେସ ମୁକ୍ତ ଭାରତ’ ନାରାକୁ ଦୀର୍ଘ ୧୦ବର୍ଷ ପରେ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି । ଗତ ଦୁଇଟି ନିର୍ବାଚନରେ ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ସମ୍ବିଧାନର ନିର୍ଦ୍ଦେଶ ଅନୁଯାୟୀ ଲୋକସଭାରେ ବିରୋଧିଦଳର ମାନ୍ୟତା ପାଇବାରୁ ବଂଚିତ ହୋଇଥିବାବେଳେ ଏଥର ତିନି ଅଙ୍କରେ ପ୍ରବେଶ କରି କେବଳ ବିରୋଧି ଦଳର ମାନ୍ୟତା ହାସଲ କରିନାହିଁ, ସଂସଦରେ ନିଜର ସ୍ଥିତିକୁ ଦୃଢ କରିପାରିଛି । ଏହା ନିସନ୍ଦେହ ଯେ, ଚଳିତ ନିର୍ବାଚନ ଫଳାଫଳ ରାହୁଲ ଗାନ୍ଧୀଙ୍କ ପାଇଁ ଆଗକୁ ମାଡି ଚାଲର ସନ୍ଦେଶ ପ୍ରଦାନ କରିଛି । କେବଳ କଂଗ୍ରେସ ନୁହେଁ, ଏହାର ନେତୃତ୍ୱାଧୀନ ଇଣ୍ଡିଆ (ମେଂଟ)କୁ ମଧ୍ୟ ଆଶାତୀତ ସଫଳତା ମିଳିଛି । ଦୀର୍ଘ ୧୦ବର୍ଷ ପରେ ଲୋକସଭାରେ ଏକ ମଜଭୂତ ବିରୋଧି ମେଂଟକୁ ଦେଖିବାକୁ ମିଳିବ । ସେହିପରି ଚଳିତ ନିର୍ବାଚନରେ ବିଜେପି ନିଜର ଦୁର୍ଗରେ ଶକ୍ତ ଧକ୍କାର ସମ୍ମୁଖୀନ ହୋଇଥିବାବେଳେ ଦକ୍ଷିଣ ଭାରତୀୟ ରାଜ୍ୟ କେରଳରେ ନିଜର ଖାତା ଖୋଲିବାକୁ ସମର୍ଥ ହୋଇଛି । କେବଳ କେରଳରେ ଖାତା ଖୋଲି ନାହିଁ । ଓଡିଶାରେ ପ୍ରଥମ ଥର ପାଇଁ ସରକାର ଗଢିବାକୁ ସମର୍ଥ ହୋଇଛି । ଓଡିଶାରେ ଦୀର୍ଘ ୨୪ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଶାସନର ଅବସାନ ଘଟାଇ ବିଜେପି କ୍ଷମତା ଦଖଲ କରିଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି, ବିଜେଡି ନିଜର ୨୪ବର୍ଷର ସଫଳତା ଉପରେ ନିର୍ବାଚନ ଲଢୁଥିବାବେଳେ ବିଜେପି କୌଣସି ନିର୍ଦ୍ଦିଷ୍ଟ ନୀତି, ଜନକଲ୍ୟାଣକାରୀ ଆଭିମୁଖ୍ୟ ବଦଳରେ କେତେକ ଅଣପ୍ରସଙ୍ଗକୁ ପ୍ରସଙ୍ଗ କରି ନିର୍ବାଚନର ସଫଳତା ହାସଲ କରିଛି । କେବଳ ବିଧାନସଭାରେ ଲୋକସଭାରେ ଆସନରୁ ୨୦ଟି ଆସନ ଅକ୍ତିଆର କରି ଗତ ୨୭ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବିଜେଡିକୁ ପ୍ରତିନିଧିତ୍ୱ ଶୂନ୍ୟ କରିଦେଇଛି । ଏହା ନିସନ୍ଦେହ ଯେ, ବିଜେପି ତାର ନୀତି ଓ ବ୍ୟବହାରରେ ପରିବର୍ତନ କରୁ ଏବଂ କଂଗ୍ରେସ ତଥା ଇଣ୍ଡିଆ ଏକ ଦକ୍ଷ ବିରୋଧି ଦଳ ଭାବେ ତାର ଦାୟିତ୍ୱ ନିର୍ବାହ କରୁ ଦେଶବାସୀ ଏହାହିଁ ଦେଶର ଜନସାଧାରଣ ଆଶା କରନ୍ତି । ଏଥି ସହ ଦେଶରେ ପୁଣି ମେଂଟର ଯୁଗ ଆରମ୍ଭ ହୋଇଛି । ଏହା କୁହାଯାଇପାରିବ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ