ପଞ୍ଚାୟତ ସମିତିର ୭ମ ସାଧାରଣ ଅଧିବେଶନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ଭଦ୍ରକ ଜିଲା ବନ୍ତ ବ୍ଳକ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତିର ୭ମ ସାଧାରାଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ବିଡିଓ ସୀତାକାନ୍ତ ରାଉତଙ୍କ ପରିଚାଳନାରେ ବୈଠକ ଆରମ୍ଭ ହୋଇଥିଲା । ବୈଠକ ଆରମ୍ଭର କିଛି ସମୟ ପରେ ବିଧାୟକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ୱାଇଁ ଦେଢ ବର୍ଷ ପରେ ବୈଠକ ଡକା ଯିବାକୁ ନେଇ ପ୍ରଶ୍ନ ଉଠାଇଥିଲେ । ନିୟମ ଅନୁଯାୟୀ ପ୍ରତି ୨ ମାସରେ ଥରେ ବୈଠକ ଡକା ଯିବାର ନିୟମ ରହିଛି । ଏଥିପୂର୍ବରୁ ଗତ ୨୦୨୫ ମସିହା ଫେବୃଆରୀ ୨୫ରେ ଅନୁଷ୍ଠିତ ୬ଷ୍ଠ ବୈଠକରେ ଖୋଦ୍ ସାଂସଦ ଅଭିମନ୍ୟୁ ସେଠୀ ବୈଠକ ଡକା ଯିବା ବିଳମ୍ବ ନେଇ ପ୍ରଶ୍ନ ଉଠାଇଥିଲେ । ସେତେବେଳେ ପ୍ରତି ୩ ମାସରେ ଥରେ ବୈଠକ ଡକା ଯିବା ନେଇ ନିଷ୍ପତ୍ତି ହୋଇଥିଲା । ମାତ୍ର ଏହା ମଧ୍ୟରେ ଦେଢ ବର୍ଷ ବିିତି ଯିବା ପରେ ବୈଠକ ଡକା ଯିବାକୁ ନେଇ ବିଧାୟକ ପ୍ରତିନିଧି ଶ୍ରୀ ସ୍ୱାଇଁ ପ୍ରଶ୍ନ ଉଠାଇବା ସହ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି କଥାକୁ୍ ନେଇ କିଛି ସମୟ ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକଙ୍କ ସହିତ ବିଧାୟକ ପ୍ରତିନିଧିଙ୍କ ବାକବିତଣ୍ଡା ହୋଇଥିଲା । ଏହାରି ଭିତରେ ସାଂସଦ ଅଭିମନ୍ୟୁ ସେଠୀ ବୈଠକରେ ଉପସ୍ଥିତ ହେବା ପରେ ଏସମ୍ପର୍କରେ ବିଧାୟକ ପ୍ରତିନିଧି ଶ୍ରୀ ସ୍ୱାଇଁ ଦୃଷ୍ଟି ଆକର୍ଷଣ କରି ବୈଠକରୁ ପଳାଇ ଯାଇଥିଲେ । ତାଙ୍କ ସହିତ ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁଙ୍କ ସମେତ ବିଜେଡି ସମର୍ଥୀତ ସମିତି ସଭ୍ୟ ଓ ସରପଞ୍ଚ ମାନେ କକ୍ଷ ତ୍ୟାଗ କରିଥିଲେ । ଶାସକ ଦଳର ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିରୋଧୀ ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା । ଏହାରି ମଧ୍ୟରେ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ସେଣ୍ଢତୀରା ସରପଞ୍ଚ ପ୍ରେମାନନ୍ଦ ନାୟକ, ବସନ୍ତିଆ ସରପଞ୍ଚ ଅଶୋକ କୁମାର ସାହୁ, ରାମକୃଷ୍ଣପୁର ସରପଞ୍ଚ ହିରେନ୍ଦ୍ର ଖିଲାର, ରାମପୁର ସରପଞ୍ଚ ଗିରିଧାରୀ ସାହୁ, କେନ୍ଦୁଆପଦା ସରପଞ୍ଚ ଇଂ.ପ୍ରମୋଦ କୁମାର ଜେନା, ପଧାନପଡା ସରପଞ୍ଚ ଗଜେନ୍ଦ୍ର କୁମାର ସେଠୀ, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ, ନିଳୋକ ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ଚାରିଗାଁ ସମିତି ସଭ୍ୟ ଧରଣୀଧର କର ପ୍ରମୁଖ ବିଭିନ୍ନ ସମସ୍ୟା ସମ୍ପର୍କର୍ରେ ପ୍ରଶ୍ନ ପଚାରିଥିଲେ । ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୂଚୀସ୍ମିତା ବାରିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ୨୫ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମିତ୍ରଭାନୁ ସ୍ୱାଇଁ, ରତ୍ନାକର ଜେନାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।


