ମଞ୍ଚ ଉପରେ ହାର୍ଦ୍ଦିକ୍ ପଟେଲଙ୍କୁ ଚାପୁଡ଼ାମାଡ଼
ଗାନ୍ଧିନଗର(ଏଜେନ୍ସି): ଶୁକ୍ରବାର ଗୁଜୁରାଟରେ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କ ଉପରେ ଆକ୍ରମଣ ହୋଇଛି । ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ହାର୍ଦ୍ଦିକଙ୍କୁ ତରୁଣ ନାମକ ଜଣେ ବ୍ୟକ୍ତି ଚାପୁଡା ମାରିଛନ୍ତି । ପ୍ରାପ୍ତ ସୂଚନାନୁସାରେ ସୁରେନ୍ଦ୍ର ନଗରର ବଢବାନରେ ଏହି ଘଟଣା ଘଟିଛି । ତେବେ ଏଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ତରୁଣଙ୍କୁ କାବୁ କରିନେଇଥିଲେ ଏବଂ ମାଡଧର କରିଥିଲେ । ଗୁରୁତର ଅବସ୍ଥାରେ ତରୁଣଙ୍କୁ ପୁଲିସ୍ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ଗିରଫ କରିବା ପୂର୍ବକ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ହାର୍ଦ୍ଦିକ୍ଙ୍କୁ ଏପ୍ରକାର କାରଣ ସମ୍ପର୍କରେ ତରୁଣ ପୁଲିସ୍କୁ ସୂଚନା ଦେଇଛନ୍ତି । ତରୁଣଙ୍କ କହିବାନୁସାରେ ସେ ଶପଥ ନେଇଥିଲେ ଯେ, ଦିନେ ହାର୍ଦ୍ଦିକ୍ଙ୍କୁ ସର୍ବସମ୍ମୁଖରେ ଚାପୁଡା ମାରିବେ ଓ ପଚାରିବେ ‘ତୁ କ’ଣ ଗୁଜରାଟର ହିଟ୍ଲର? ଯେତେବେଳେ ଇଚ୍ଛା ସେତେବେଳେ ଦୋକାନ ବଜାର ସବୁ ବନ୍ଦ କରିଦେଉଛୁ । ଏବେ ନୁହେଁ ବରଂ ୨ଠ୧୫ ମସିହାରୁ ସେ ହାର୍ଦ୍ଦିକ୍ଙ୍କୁ ପିଟିବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ । କାରଣ ୨ଠ୧୫ରେ ହସ୍ପିଟାଲ ଭର୍ତ୍ତି ଥିବା ତାଙ୍କ ଗର୍ଭବତୀ ପତ୍ନୀ ଓ ନବଜାତକ ଶିଶୁ ପାଇଁ ଆବଶ୍ୟକ ଔଷଧ କିିଣିବା ପାଇଁ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଆଜି ସେ ନିଜ ଶପଥ ପୂରଣ କରିଥିବାରୁ ଖୁସି ଅନୁଭବ କରୁଛନ୍ତି ବୋଲି ତରୁଣ ପୁଲିସ୍କୁ କହିଛନ୍ତି । ତେବେ ତରୁଣ ଜଣେ ଗୁଜ୍ଜର ସମ୍ପ୍ରଦାୟର ହୋଇଥିବାରୁ ଏବଂ ତାଙ୍କୁୂ ଏପ୍ରକାର ପଟ୍ଟିଦାର ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଆକ୍ରମଣ କରିଥିବାରୁ ଏବେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷେ ହାର୍ଦ୍ଦିକ ପଟେଲଙ୍କୁ ମାଡ ମରାଯାଇଥିବା ଘଟଣାର ଭିଡିଓଟି ଭାଇରାଲ ହୋଇଛି ।