ପେନ୍ସନ ଓ ଅବସର ପ୍ରାପ୍ୟ ନ ମିଳିବା ମାମଲା: ଦୁଇ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ହାଇକୋର୍ଟଙ୍କ ନିର୍ଦେଶ
କଟକ (ଓ୍ବାଇଏନଏସ): ଅବସର ଗ୍ରହଣ କରିବାର ଦୀର୍ଘ ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ଜଣେ କର୍ମଚାରୀଙ୍କୁ ପେନ୍ସନ ଓ ଅନ୍ୟ ଅବସର ସୁବିଧା ନ ମିଳିବା ଘଟଣାରେ ଓଡ଼ିଶା ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ସୁରେନ୍ଦ୍ର କୁମାର ଚୌବେ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଦୁଇ ଜଣ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ କଳାହାଣ୍ଡି ଜିଲାପାଳଙ୍କୁ ହାଜର କରାଇବାକୁ କଳାହାଣ୍ଡି ଏସପିଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିସହିତ ଆବେଦନକାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ପର୍ଯ୍ୟନ୍ତ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ ନିର୍ଦେଶକ ଓ କଳାହାଣ୍ଡି ଜିଲାପାଳଙ୍କୁ ଦରମା ପ୍ରଦାନ କରାଯିବ ନାହିଁ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି। ଯଦି ଉକ୍ତ ଅଧିକାରୀମାନେ ଆବେଦନକାରୀଙ୍କ ପେନସନ ମଞ୍ଜୁର ହୋଇଥିବାର ଠିକ୍ କାଗଜପତ୍ର କୋର୍ଟରେ ଦାଖଲ କରିବେ, ତେବେ ଯାଇ ସେମାନେ ଦରମା ବନ୍ଦ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ଆବେଦନ କରିପାରିବେ ବୋଲି ଅଦାଲତ କହିଛନ୍ତି।


