ସରପଞ୍ଚ ଚାମେଲିଙ୍କୁ ଡାକ୍ତରଖାନାରୁ ଜେଲ, ମହାକାଳପଡା ଥାନା ଘେରାଉ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଧିନ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରୁ କୋର୍ଟ ଚାଲାଣ ଓ କୋର୍ଟରୁ ଜେଲକୁ ପଠାଇଛି ପୋଲିସ। ହେଲେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ରଖିବା ପାଇଁ ମନା କରିବା ଫଳରେ ପୁନର୍ବାର ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଫେରାଇ ଅଣାଯାଇଛି। ଏହି ଘଟଣାକୁ ନେଇ ଶନିବାର ବିଜେପି ନେତା ସୌଭାଗ୍ୟ ପରିଡ଼ାଙ୍କ ନେତୃତ୍ୱରେ ମହାକାଳପଡ଼ା ଥାନା ଘେରାଉ କରାଯାଇଛି। ବିନା ଅପରାଧରେ ଚାମେଲିଙ୍କୁ ଗିରଫ କରାଯାଇଥିବାରୁ ଶ୍ରୀ ପରିଡ଼ା ଏହାକୁ ବିରୋଧ କରିଥିଲେ। ସେ କହିଥିଲେ ଚାମେଲି ଜନତାଙ୍କ ସ୍ୱାର୍ଥ ପାଇଁ ବିଡିଓଙ୍କ ସହ ଯୁକ୍ତି କରିଥିଲେ। ବିଡିଓ ହେଉଛନ୍ତି ସରକାରୀ କର୍ମଚାରୀ। ଲୋକଙ୍କ ଚାକର। ଜଣେ ଜନ ପ୍ରତିନିଧି ଭାବେ ସରପଞ୍ଚ ତାଙ୍କୁ କୈଫୟତ ମାଗିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ହେଲେ ପୋଲିସ ଓ ମହାକଳପଡ଼ା ବିଧାୟକଙ୍କ ଗୁଣ୍ଡାମାନେ ତାଙ୍କୁ ମାଡ ମାରି ଗୁରୁତର କରିଛନ୍ତି। ପୋଲିସ ତାଙ୍କ ବିରୋଧରେ ମିଛ ମାମଲା ରୁଜୁ କରିଛି। ତେଣୁ ତାଙ୍କୁ ନ୍ୟାୟ ପ୍ରଦାନ କରାଯିବା ପାଇଁ ଥାନା ଘେରାଉ କରାଯାଇଛି ବୋଲି ଶ୍ରୀ ପରିଡ଼ା କହିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପହଞ୍ଚିଥିଲେ। ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏହାପରେ ଶ୍ରୀ ଦାସ ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ସହ ଆଲୋଚନା କରିଥିଲେ। ବିନା ଅପରାଧରେ ଜଣେ ଜନ ପ୍ରତିନିଧିଙ୍କ ବିରୋଧରେ ମାମଲା ରୁଜୁ କରିବା ସମ୍ବିଧାନ ବିରୋଧୀ କାର୍ଯ୍ୟ। ତେଣୁ ତାଙ୍କ ବିରୋଧରେ ହୋଇଥିବା ମିଛ ମାମଲାର ଉପଯୁକ୍ତ ତଦନ୍ତ କରାଯାଉ। ଚାମେଲିଙ୍କୁ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କ ଯେଉଁ ଗୁଣ୍ଡାମାନେ ମାଡ ମାରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତାଙ୍କ ବିରୋଧରେ ଯେଉଁ ମିଛ ମାମଲା ରୁଜୁ ହୋଇଛି ତାକୁ ବନ୍ଦ କରାଯାଉ। ଏହାସହ ପୋଲିସ ଛଡାଇ ନେଇଥିବା ତାଙ୍କ ମୋବାଇଲ ଫୋନ ତୁରନ୍ତ ତାଙ୍କୁ ଫେରାନ୍ତୁ ବୋଲି ଶ୍ରୀ ଦାସ ଏସପିଙ୍କୁ କହିଥିଲେ। ଏସପିଙ୍କୁ ଭେଟିବା ପରେ ଶ୍ରୀ ଦାସ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କୁ ଭେଟିଥିଲେ। ଜିଲ୍ଲାରେ ଆଇନ୍‌ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ କହିବା ସହ ବିଡିଓ କାହିଁକି ତିଖିରୀ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ବିଲ ଅଟକାଇଥିଲେ ସେ ନେଇ ଆଲୋଚନା କରିଥିଲେ। ପଞ୍ଚାୟତର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ। ତେଣୁ ଉନ୍ନୟନମୂଳକ କାର୍ଯ୍ୟରେ ରାଜନୈତିକ ହସ୍ତକ୍ଷେପ କରାଯାଇ ବିଲ ବନ୍ଦ କରାଯିବା ଅଗଣତାନ୍ତ୍ରିକ କାର୍ଯ୍ୟ। ବିଡିଓ ତାଙ୍କର ଯେଉଁ ବିଲ ଅଟକାଇଛନ୍ତି ତୁରନ୍ତ ରିଲିଜ କରାଯାଉ। ଏହା ସହ କେଉଁ କାରଣ ପାଇଁ ବିଲ ଅଟକାଇଥିଲେ ତାହାର କାରଣ ମଗାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜିଲ୍ଲାପାଳଙ୍କୁ କହିଥିଲେ। ଏହି ଘଟଣା ଯୋଗୁଁ ଚାମେଲିଙ୍କ ଯେଉଁ ମାନହାନୀ ହେଲା ସେ ନେଇ ତାଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରନ୍ତୁ। ଜେଲରେ ତାଙ୍କୁ ମାରିଦେବାର ଷଡ଼ଯନ୍ତ୍ର କରାଯାଇପାରେ। ତେଣୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା କି ଏମଏସ ନିଆଯାଇ ଉନ୍ନତ ଚିକିତ୍ସା ପ୍ରଦାନ କରାଯାଉ। ପୂର୍ବରୁ ଏହଭିଳି ଘଟଣା ରାଜ୍ୟରେ ଅନେକ ଘଟିଛି। ତେଣୁ ତାଙ୍କୁ ଆକ୍ରମଣ କରିଥିବା ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀ ଦାସ ଦାବି କରିଥିଲେ। ଶ୍ରୀ ଦାସଙ୍କ ସହ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମା ଉପସ୍ଥିତ ଥିଲେ। ଏହି ଘଟଣାକୁ ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଛି। ଦଳର ଜିଲ୍ଲା ସଂପାଦକ ବିକାଶ ବେଉରାଙ୍କ ନେତୃତ୍ୱରେ ରାଜ୍ୟ କମିଟି ସଭ୍ୟ ଆଇନ୍‌ଜୀବୀ ରମଣୀ ରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ପ୍ରଶାସନ ଉପରେ ଦଳୀୟ ନେତାଙ୍କ ହସ୍ତକ୍ଷେପକୁ ବିରୋଧ କରିଛନ୍ତି। ଏହି ଘଟଣାକୁ ନେଇ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି ବୋଲି ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ