ବିଛାଖଣ୍ଡି ଜଙ୍ଗଲରେ ବ୍ୟାପକ ବେଆଇନ୍ କଳାପଥର ଉତ୍ତୋଳନ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ରେ ବେଆଇନ୍ ଭାବେ ଖଣିମାଫିଆମାନେ କଳାପଥର ଉତ୍ତୋଳନ କରି ଚୋରାଚାଲାଣ ସହ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟାଉଛନ୍ତି । ଏହି ବେଆଇନ୍ ପଥର ଖନନ ଶାସକ ଦଳର ବିଧାୟକ, ଜିଲ୍ଲାପାଳ, ଏସ୍‌.ପି., ତହସିଲଦାରଙ୍କ ତତ୍ତ୍ୱାବଧାନରେ ଚାଲିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଖଣିମାଫିଆମାନେ ପଥର ଉତ୍ତୋଳନ ସମୟରେ ବ୍ଲାଷ୍ଟିଙ୍ଗ କରୁଥିବାରୁ ଗ୍ରାମବାସୀଙ୍କ ବାସଗୃହ ଭାଙ୍ଗିପଡ଼ିବା ସହ ପିଇବା ପାଣି ଦୂଷିତ ଏବଂ ଶହ ଶହ ଏକର ଜମିରେ ଧାନ ଫସଲ ନଷ୍ଟ ହେଉଛି । ବ୍ୟାପକ ଜଳ ଏବଂ ବାୟୁ ପ୍ରଦ୍ୟୁଷଣ ଯୋଗୁ ଗ୍ରାମବାସୀମାନେ ଯକ୍ଷ୍ମା, କିଡ୍‌ନୀ, ଶ୍ୱାସ ଇତ୍ୟାଦି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ଗତବର୍ଷ ଡିସେମ୍ବର ୨୩ ତାରିଖରେ ଏହି ବେଆଇନ୍ ଖଣି ଖନନ ବିରୁଦ୍ଧରେ ତାଳଗଞ୍ଜ, ରଖିଦେଇପୁର, ଏଣ୍ଡୁଳବା ପଞ୍ଚାୟତର ଶତାଧିକ ଗ୍ରାମବାସୀ ଏକଜୁଟ ହୋଇ ଆନ୍ଦୋଳନ କରିବା ସହ ପଥର ବୋଝେଇ ଟ୍ରକ ଏବଂ ୱାଗନ ଡ୍ରିଲିଙ୍ଗ ମେସିନ ଜବତ କରିଥିଲେ ଏବଂ ଜିଲ୍ଲାପାଳ, ଏସ୍‌ପିଙ୍କୁ ତୁରନ୍ତ ବେଆଇନ୍ ଖଣି ଖନନ ବନ୍ଦ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । ଗତବର୍ଷ ଡିସେମ୍ବର ୧୯ ତାରିଖରେ ଗ୍ରାମବାସୀ ଖଣି ମାଫିଆ ସିଲୁ ମହାପାତ୍ର, ସନ୍ଦିପ ଚନ୍ଦକ ସମେତ ଅନ୍ୟାନ୍ୟ ଚୋରା ବେପାରୀଙ୍କ ବିରୁଦ୍ଧରେ ଜେନାପୁର ଥାନାରେ ଏଫ୍‌ଆଇଆର ଦେଇଥିଲେ । କିନ୍ତୁ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏହାପରେ ଖଣି ମାଫିଆଙ୍କ ଇଙ୍ଗିତରେ ଖଣି ଉତ୍ତୋଳନରେ ବାଧା ଉପୁଜୁଥିବା ଦର୍ଶାଇ ଧର୍ମଶାଳା ତହସିଲ୍‌ଦାର ଜେନାପୁର ଥାନାରେ ଗ୍ରାମବାସୀଙ୍କ ନାମରେ ଏତଲା ଦେଇଥିଲେ । ଏହି ଏତଲାକୁ ଭିତ୍ତିକରି ଜେନାପୁର ଥାନା ପୋଲିସ୍ ଅଞ୍ଚଳ ପ୍ରଧାନଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଥିଲେ ଏବଂ ଚୋରା ଖଣିମାଫିଆଙ୍କୁ ସାହାଯ୍ୟ କରିଥିଲେ ।ତେଣୁ ଆଜି ଉକ୍ତ ଅଞ୍ଚଳର ଶତାଧିକ ଗ୍ରାମବାସୀ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ସହ ଚୋରା ଖଣି ଖନନ ବନ୍ଦ କରିବା, ଯକ୍ଷ୍ମା କିଡ୍‌ନୀ ରୋଗରେ ପୀଡ଼ିତ ଲୋକମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବା, ଜଳ ପ୍ରଦ୍ୟୁଷଣ ବନ୍ଦ କରିବା, ଧର୍ମଶାଳା ତହସିଲଦାର ଏବଂ ଜେନାପୁର ଥାନା ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ଧନଜୀବନର ସୁରକ୍ଷା ପାଇଁ ନିବେଦନ କରିଥିଲେ ଏବଂ କମିଶନଙ୍କ ସ୍ୱତନ୍ତ୍ର ଟିମ୍ ଏହାର ତଦନ୍ତ କରିବା ପାଇଁ କମିଶନଙ୍କୁ ଅନୁରୋଧ କରିଥିଲେ । ଅଞ୍ଚଳ ପ୍ରଧାନ, ଶରତ ସେଠୀ, ବିପିନ ବିହାରୀ ସେଠୀ, ଧନେଶ୍ୱର ରାଉତ ପ୍ରମୁଖ ନେତୃତ୍ୱ ନେଇ କମିଶନଙ୍କୁ ଭେଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ