ଭିନ୍ନ ଏକ ଶିବାଳୟ : ମୂର୍ତ୍ତି ଛୁଇଁବାକୁ ଡରନ୍ତି ଲୋକେ
ଛତିଶଗଡ଼ର ଜଗଦଲପୁର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଛିନ୍ଦଗାଁଓରେ ଇନ୍ଦ୍ରାବତୀ ନଦୀ କୂଳରେ ଅଛି ଗୋରେଶ୍ୱର ମହାଦେବ ମନ୍ଦିର । ଏହି ମନ୍ଦିର ପରିସରରେ ପଡ଼ିରହିଛି ଅନେକ ପୁରୁଣା ଶିବଲିଙ୍ଗ ସହିତ ଭଗବାନ ନରସିଂହ, ନଟରାଜ ଓ ମା’କାଳିଙ୍କ ମୂର୍ତ୍ତି । ଏଗୁଡି଼କ ସବୁ ୧୦ମ ଶତାବ୍ଦୀର । କିନ୍ତୁ ଏହି ଶିବଲିଙ୍ଗ ଅଥବା ମୂର୍ତ୍ତିଗୁଡ଼ିକୁ ଛିନ୍ଦଗାଁଓ ଗ୍ରାମବାସୀ ସ୍ପର୍ଶ କରନ୍ତି ନାହିଁ । ଜାଣନ୍ତି କ’ଣ ପାଇଁ । କାରଣ ବସ୍ତର ରାଜା ଦେଇଛନ୍ତି, ଏପରି ନିର୍ଦ୍ଦେଶ । ଶୁଣି ଆଶ୍ଚର୍ଯ୍ୟ ହେବେ ୭୪ ବର୍ଷ ପୂର୍ବେ ରାଜା ଏହି ନିର୍ଦ୍ଦେଶ ଦେଇଥିଲେ । ମାନେ ଦେଶ ସ୍ୱାଧୀନ ହେବା ପୂର୍ବରୁ ଆଉ ଏବେ ବି ଲୋକେ ସେହି ନିର୍ଦ୍ଦେଶକୁ ପାଳନ କରୁଛନ୍ତି । ମନ୍ଦିର ପରିସରରେ ପଡ଼ିଥିବା ମୂର୍ତ୍ତିଗୁଡ଼ିକୁ ନଛୁଇଁବା ପାଇଁ ତକ୍ରାଳୀନ ରାଜା ଦେଇଥିବା ନିର୍ଦ୍ଦେଶନାମାକୁ କାଠରେ ଖୋଦେଇ କରି ଲେଖାଯାଇଛି । ତାହା ଏବେ ସେଠାରେ ଅକ୍ଷତ ଅବସ୍ଥାରେ ଟଙ୍ଗା ହୋଇଛି ।
ବସ୍ତରବାସୀ ସେମାନଙ୍କ ରାଜାମାନଙ୍କୁ ଖୁବ ଆଦର କରନ୍ତି । ତେଣୁ ଆଜି ପର୍ଯ୍ୟନ୍ତ ସେହି ନିର୍ଦ୍ଦେଶକୁ ମାନି ଚାଲୁଛନ୍ତି । ଜିଲ୍ଲା ପୁରାତତ୍ତ୍ୱ ସଂଗ୍ରହାଳୟର ଅଧ୍ୟକ୍ଷ ଏ.ଏ. ପୈକରା କହିଛନ୍ତି ଯେ ୧୯୮୨ରୁ ଏହି ମନ୍ଦିର ସଂରକ୍ଷଣ ଦାୟିତ୍ୱ ଛଗ ପୁରାତତ୍ତ୍ୱ ବିଭାଗ କରି ଆସୁଛି । ଏହି ମନ୍ଦିର ପରିସରରେ ପଡ଼ିଥିବା ପୁରୁଣା ମୂର୍ତ୍ତିଗୁଡିକୁ ସଂଗ୍ରହାଳୟକୁ ଆଣିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ସେଠାକାର ଗ୍ରାମବାସୀ ଏମିତି କରିବାକୁ ଦେଇନଥିଲେ । ରାଜାଙ୍କ ପ୍ରତି ଗଭୀର ସମ୍ମାନ ଓ ଆସ୍ଥା ଯୋଗୁଁ ସେମାନେ ମୂର୍ତ୍ତିଗୁଡ଼ିକୁ ସେଠାରୁ ସଂଗ୍ରହାଳୟକୁ ଆଣିବାକୁ ଦେଇନଥିଲେ ।


