ବୁଦ୍ଧବିହାରରେ ସାଧାରଣତନ୍ତ୍ର ଦିବସ ପାଳନଆଲୋଚନାଚକ୍ର ପ୍ରବୃଦ୍ଧ ଭାରତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଦେଶର ୭୧ତମ ସାଧାରଣତନ୍ତ୍ର ଦିବସ ଭାରତୀୟ ବୌଦ୍ଧ ମହାସଭା ଓ ଅନ୍ୟାନ୍ୟ ବୌଦ୍ଧ ସଂଗଠନ ତରଫରୁ ଆଜି ଭୁବନେଶ୍ୱର ବୁଦ୍ଧବିହାରଠାରେ ପାଳନ କରାଯାଇଅଛି । ପ୍ରତ୍ୟୁଷର ଏଜି ଛକଠାରେ ଥିବା ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ସଂସ୍ଥା ତରଫରୁ ପତାକା ଉତ୍ତୋଳନ କରାଯାଇଥିଲା । ମଧ୍ୟାହ୍ନରେ ବୁଦ୍ଧବିହାର ସଭାକକ୍ଷରେ ପ୍ରବୃଦ୍ଧ ଭାରତ ଆଲୋଚନା ଚକ୍ରରେ ଭାରତର ସମ୍ବିଧାନର ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା । ଓଡ଼ିଶାରେ ବୌଦ୍ଧକୀର୍ତ୍ତି ଗୁଡ଼ିକର ସୁରକ୍ଷା ଓ ଉନ୍ନତି ସହିତ ଓଡ଼ିଶା ସରକାର ବୁଦ୍ଧ ଜୟନ୍ତୀକୁ ସରକାରୀ ଛୁଟି ଘୋଷଣା ନିମେନ୍ତ ଦାବୀ କରାଯାଇଥିଲା । ସ୍ୱାଧୀନ ଭାରତର ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକରଙ୍କ ସ୍ମୃତିରେ ଭୁବନେଶ୍ୱର ଏ.ଜି. ଛକଠାରେ ସରକାରୀସ୍ତରରେ ଏକ ଆମ୍ବେଦକର ଭବନ ନିର୍ମାଣ, ଭଗବାନ ବୁଦ୍ଧ ଓ ବୋଧିସତ୍ତ୍ୱ ଡଃ ଆମ୍ବେଦକରଙ୍କ ନୀତି ଓ ଆଦର୍ଶର ପ୍ରଚାର ପ୍ରସାର କରି ବିଶ୍ୱକୁ ଧ୍ୱଂସମୁଖରୁ ରକ୍ଷା କରିବା ନିମିତ୍ତ ଚର୍ଚ୍ଚା କରାଯାଇଥିଲା । କଳିଙ୍ଗ ବୁଦ୍ଧି ବିହାରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଏବଂ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଧର୍ମନିରପେକ୍ଷତାର କାର୍ଯ୍ୟକାରିତା ଓ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଅନୁସୂଚିତ ଜାତି, ଜନଜାତି, ମହିଳା ଓ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେବା, ସବର୍ଣ୍ଣ ଜାତିମାନଙ୍କୁ ଅନୁସୂୂଚିତ ଜାତି ତାଲିକାରୁ ବାଦ୍ ଦେବା ଓ ଅସଲି ଅନୁସୂଚିତ ଜାତି, ଜନଜାତିମାନଙ୍କୁ ତାଲିକାଭୁକ୍ତ କରିବା ଇତ୍ୟାଦି ପ୍ରସ୍ତାବ ଆଲୋଚନା ପରେ ଗ୍ରହଣ କରାଯାଇଥିଲା । ଏହି ଆଲୋଚନାଚକ୍ରରେ ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ବନ୍ଧୁ ସେଠୀ, ଅଶୋକ ମଲ୍ଲିକ, ପର୍ଶୁରାମ ବିଶ୍ୱାଳ, ରାଘବ ମଲ୍ଲିକ, ଦୀନବନ୍ଧୁ ଅଧିକାରୀ, ସୁଲୋଚନା ଦାସ ଓ ଡ଼ିଙ୍ଗର କୁମ୍ଭାର ପ୍ରମୁଖ ଭାଗ ନେଇଥିଲେ ।