୭୧ତମ ସାଧାରଣତନ୍ତ୍ର ଦିବସରେ ମନମୋହିଲା ପ୍ରଜ୍ଞାପନ ମେଢ ସହ ସାଂସ୍କୃତିକ କାର୍ଯ୍ୟକ୍ରମ
ବାଲେଶ୍ୱର – ବାଲେଶ୍ୱର ସଦର ମହକୁମାଠାରେ ୭୧ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ପୋଲିସ ପଡିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡକୁ ସମ୍ବୋଧିତ କରିଥିଲେ । ମନ୍ତ୍ରୀ ତାଙ୍କ ଭାଷଣରେ ଭାରତ ନମ୍ବର ଏକ ସର୍ବବୃହତ ଗଣତନ୍ତ୍ର ଏବଂ ଏହାକୁ ବଂଚାଇ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିବା ସହ ସମ୍ବିଧାନ ପ୍ରଣୟନ ଓ ସ୍ୱାଧୀନତା ପାଇଁ ମହାପୁରୁଷମାନଙ୍କ ରହିଥିବା ଅବଦାନକୁ ସ୍ମରଣ କରିଥିଲେ । ସେ ଓଡିଶାର ବରପୁତ୍ର ତଥା ବାଲେଶ୍ୱର ମାଟିରେ ଜନ୍ମିତ ଡଃ ହରେକୃଷ୍ଣ ମହତାବ, କବି ବାଂଛାନିଧି ମହାନ୍ତି, ସର୍ଦାର ସୁରେନ୍ଦ୍ର ନାଥ ଦାସ, ରବୀନ୍ଦ୍ର ମୋହନ ଦାସ ପ୍ରଭୃତିଙ୍କ ଦେଶ ସେବାରେ ଥିବା ଭୂମିକାକୁ ଉଲ୍ଲେଖ କରିଥିଲେ । ଏଥି ସହିତ ରାଜ୍ୟ ସରକାରଙ୍କ ମୋ ସରକାର, ୫-ଟି, ପାଉତି-ଆପ, ଇ-ସାର୍ଟିଫିକେଟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଏହା ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ବୋଲି କହିଥିଲେ । ପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଙ୍କୁ ମୁଖ୍ୟ ଅତିଥି ପ୍ରଶଂସା ପତ୍ର ଓ ସ୍ମୃତି ଫଳକମାନ ପ୍ରଦାନ କରିଥିଲେ । ଏଥିରେ ଶିଶୁ ବୈଜ୍ଞାନିକ ଅମୃତ କଲ୍ୟାଣ ଗିରି, ବିଜ୍ଞାନ ପ୍ରୋଜେକ୍ଟ ଗାଇଡ୍ ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ଧ୍ୟା ଦାସ, ସାହସିକତା ପାଇଁ ବାଲିଆପାଳ ବ୍ଲକ ଡଗରା ଗ୍ରାମର ମତ୍ସ୍ୟଜୀବୀ ଅଜୟ କରଣ ଓ ବିଜୟ ରାଉତ, କ୍ରୀଡା ପାଇଁ ସତ୍ୟଜିତ ସିଂ, ଜୟସ୍ମିତା ତରେଇ, ସୁନୀଲ ପାତ୍ର, ବସନ୍ତ ମୁଖୀ, ପପୁ ମାରାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ମୁଖ୍ୟ ଅତିଥି ୧୯ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାମାଜିକ ସହାୟତା ରାଶି ଭାବେ ୨୦ହଜାର ଲେଖାଏଁର ଚେକ୍ ପ୍ରଦାନ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ବିଜେତା ଏବଂ ପ୍ୟାରେଡର ବିଜେତା ଟିମ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ୟାରେଡରେ ସର୍ବମୋଟ ୫୫ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ସ୍ୱଚ୍ଛ ଭାରତ ମିଶନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କୃଷିର ଉନ୍ନତି, ଭୋଟର ଦିବସ, ପ୍ଲାଷ୍ଟିକ ବର୍ଜନ, ପାଇଖାନା ବ୍ୟବହାର, କନ୍ୟା ସନ୍ତାନ ଦିବସ, ଜାତୀୟ ଉଦ୍ୟାନ କୃଷି, ପାଣି ପଂଚାୟତ, ସଡକ ସୁରକ୍ଷା, ଶିଶୁ ବିକାଶ ଯୋଜନା ଓ ପ୍ରତିରକ୍ଷା ବାହିନୀର ତୋପ ଏଭଳି ୧୧ଗୋଟି ପ୍ରଜ୍ଞାପନ ମେଢ ଯୋଗ ଦେଇ ମାର୍ଚ୍ଚ ପାଷ୍ଟରେ ସାମିଲ ହୋଇଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି.ଯୁଗଳ କିଶୋର, ଏଡିଏମ ଶ୍ରୀ ସମ୍ବିତ କୁମାର ନାୟକ, ପିଡି ଡିଆରଡିଏ ଶ୍ରୀ ରାମଚନ୍ଦ୍ର ଜେନା ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


