କୋଣାର୍କ କଥା…….

ଆମ୍ଭମାନଙ୍କ ଭିତରୁ କେହି କେହି କୋଣାର୍କ ଦେଖିଛନ୍ତି । କୋଣାର୍କର ସୂର୍ଯ୍ୟମନ୍ଦିର ପୃଥିବୀର ସପ୍ତାଶର୍ଯ୍ୟ ମଧ୍ୟରୁ ଅନ୍ୟତମ । ଏହାକୁ ମଧ୍ୟ ଅର୍କକ୍ଷେତ୍ର ବୋଲି କୁହାଯାଏ । ଏହା ସୂର୍ଯ୍ୟଙ୍କର ପୂଜାସ୍ଥଳୀ । ‘ଅର୍କ’ ନାମରେ ଗୋଟିଏ ଦୈତ ଥିଲା । ସେ ଅର୍କ ଦୈତ୍ୟକୁ ସୂର୍ଯ୍ୟ ଏହି ସ୍ଥାନରେ ବଧ କରିଥିଲେ । ଏହି ଦୃଷ୍ଟିରୁ ଏହାକୁ ଅର୍କକ୍ଷେତ୍ର ବୋଲି ମଧ୍ୟ ଲୋକ କୁହନ୍ତି । ହେଲେ, ଏହାକୁ କୋଣାର୍କ କାହିଁକି କୁହାଯାଏ ? ଏହି କ୍ଷେତ୍ରଟି ଏକ ପବିତ୍ର କ୍ଷେତ୍ର । ଆମେ ଯେଉଁ କ୍ଷେତ୍ର କଥା କହୁଛେ ତାହାର ଉତ୍ତରରେ ମହୋଦଧି ବା ସମୁଦ୍ର । ଦକ୍ଷିଣରେ ଓଡିଶା ବିଖ୍ୟାତ ଚନ୍ଦ୍ରଭାଗା ନଦୀ । ଏମାନଙ୍କର ମଧ୍ୟବର୍ତ୍ତୀ ସ୍ଥାନହିଁ କୋଣାର୍କ । ଏହା ଜମ୍ବୁଦ୍ୱୀପର ଅଗ୍ନିକୋଣରେ ଅବସ୍ଥିତ । ଏଠାରେ ଗଂଗା କୋଟି ତୀର୍ଥ ଧରି ପ୍ରବାହିତ ହୁଅନ୍ତି । ଏଥିରେ ସ୍ନାନକରି ଯିଏ ସୂର୍ଯ୍ୟଙ୍କ ଦର୍ଶନ କରନ୍ତି, ସେମାନଙ୍କର କୋଟି ପାପ ନାଶ ହୁଏ । ମନସ୍କାମନା ପୂର୍ଣ୍ଣ ହୁଏ । ଚନ୍ଦ୍ରଙ୍କ ସହିତ ସମକକ୍ଷ ହୋଇପାରି ନଥିବାରୁ ଜଳପତିଙ୍କର ମନକଷ୍ଟ ଥିଲା । ସେ ଏହି ସ୍ଥାନରେ ଥିବା ଏକ କଳ୍ପବଟ ମୂଳେ ନଅଲକ୍ଷ ବର୍ଷ ସୂର୍ଯ୍ୟଙ୍କୁ ନଦେଖି ତପସ୍ୟା କଲେ । ଏକଦା ଅର୍କଦୈତ୍ୟ ବୁଲୁବୁଲୁ ସେ ସ୍ଥାନରେ ପହଞ୍ôଚଲା ଏବଂ ଜଳପତିଙ୍କୁ ଖାଇବାକୁ ଉଦ୍ୟତ ହେଲା । ସୂର୍ଯ୍ୟ ଏହାକୁ ଦେଖି ତାକୁ ବାରଣ କଲେ । କିନ୍ତୁ ସେ ଶୁଣିଲା ନାହିଁ । ପ୍ରଥମେ ଏ ଯାଗାଟିର ଦାବୀଦାର ନେଇ ଯୁଦ୍ଧ ଆରମ୍ଭ ହେଲା । ତା’ପରେ ଅର୍କଦୈତ୍ୟର ଜଳପତିଙ୍କୁ ନେଇ ଖାଦ୍ୟ । ଏନେଇ ଘମାଘୋଟ ଯୁଦ୍ଧହେଲା । ଦୈତ୍ୟ ସହଜେ ମଲା ନାହିଁ । ଶେଷରେ ସେହି ଚନ୍ଦ୍ରଭାଗାର କଳ୍ପବଟ ସ୍ଥାନରେ ସୂର୍ଯ୍ୟଦେବତା ଅର୍କଦୈତ୍ୟର ଛାତିରେ ମାଡ଼ିବସି ପ୍ରାଣ ନେଲେ । ଏ ସ୍ଥାନଟି ପୃଥିବୀର ଅଗ୍ନିକୋଣରେ ଅବସ୍ଥିତ । ଏଥିପାଇଁ ଅଗ୍ନିକୋଣର ଅର୍କଦେବତା ଅର୍କଦୈତ୍ୟକୁ ମାରିଥିବାରୁ ଏହାର ନାମ କୋଣାର୍କରେ ନାମିତ ହୋଇଛି ।
ମହାଭାରତର ଶାନ୍ତି ପର୍ବରେ ଲେଖାଅଛି :
ପୃଥ୍ୱୀ ଅଗ୍ନିକୋଣେ ଯହୁଁ ଦୈତ୍ୟ ହେଲା ହତ
ତେଣୁ ସେ କୋଣାର୍କ ନାମେ ହୋଇଛି ବିଖ୍ୟାତ । ।
ଏହା ଥିଲା ସେଦିନ ମାଘ ଶୁକ୍ଲପକ୍ଷ ସପ୍ତମୀ ଗୁରୁବାର ।
ଏହି ସ୍ଥାନରେ କୃଷ୍ଣଙ୍କର ପୁତ୍ର ଶାମ୍ବ ବାରବର୍ଷ ଜଳ ଓ ପବନକୁ ଆଧାରକରି ତପ ଆଚରଣ କଲେ ଏବଂ କୁଷ୍ଠ ରୋଗରୁ ଶାପମୁକ୍ତ ହେଲେ । ପୁଣି ସେହି ମହାଭାରତରେ ବର୍ଣ୍ଣିତ ଅଛି ଯେ ଏଠାରେ ମାଘ ସପ୍ତମୀ ତିଥିରେ ରାତ୍ରୀ ଉଜାଗର ରହି ସକାଳୁ ସୂର୍ଯ୍ୟ ଦର୍ଶନ ପୂର୍ବକ ସ୍ନାନ, ଦାନ ଓ ଧର୍ମ ଯିଏ କରେ ତା’ଠୁ ବଳି ପୂଣ୍ୟାତ୍ମା ସଂସାରେ କେହି ନାହିଁ ।
ସପ୍ତମୀର ସ୍ନାନ, ଦାନ, ଧର୍ମ ଯେହୁ କରେ
ତାହା ସମ ପୁଣ୍ୟାତ୍ମା କେହି ନାହିଁ ଏ ସଂସାରେ
କୋଣାର୍କ ବୋଲିଣ ଯେହୁ ଅଟେ ତୀର୍ଥ ଗୋଟି
ତାହାକୁ ସମାନ ନୁହେଁ ତୀର୍ଥ କୋଟି କୋଟି
କୋଟି କୋଟି ଗୋରୁଦାନ କୋଟି ଅଶ୍ୱଗଜ
କୋଟି ଏକ କନ୍ୟା ପୁଣି କୋଟି ଏକ ରାଜ୍ୟ ।
କୋଟିଏ ପର୍ବତ ସମ ଦାନ ଦେଲେ ହିରା
ତଥାପି ସମ ନୋହିବେ ଅର୍କତୀର୍ଥ ପରା!
କୋଣାର୍କ ସୂର୍ଯ୍ୟ ଉପାସନାର ପୌରାଣିକ ମତେ ଏକ ଶ୍ରେଷ୍ଠସ୍ଥାନ । ହିନ୍ଦୁମାନଙ୍କର ଧର୍ମ-ଧାରଣା ଓ ବିଶ୍ୱାସର ପରମ୍ପରାକୁ ନେଇ ବୋଧହୁଏ ତ୍ରୟୋଦଶ ଶତାଦ୍ଦୀରେ ଲାଙ୍ଗୁଳା ନରସିଂହଦେବ ଏଠାରେ ସୂର୍ଯ୍ୟମନ୍ଦିର ସ୍ଥାପନ କରିବାର ଏକ ମୁଖ୍ୟ କାରଣ ହୋଇପାରେ ।

ବିପିନ ବିହାରୀ ମହାନ୍ତି

ବିକାଶ ନଗର, ଜଟଣୀ, ଖୋର୍ଦ୍ଧା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ