ଜନସାଧାରଣଙ୍କ ଅଭିଯୋଗ ଓ ସ୍ଥିତି ଜାଣିବା ପାଇଁ କ୍ୟୁଆର କୋଡ଼ ଉନ୍ମୋଚନ
ଛତ୍ରପୁର(ଓ୍ବାଇଏନଏସ) : ଦିନକୁ ଦିନ ଆଧୁନିକତା ସାଙ୍ଗକୁ ତାଳ ଦେଇ ବଦଳୁଛି ସରକାରୀ ପଦ୍ଧତି l ଗଞ୍ଜାମ ଜିଲ୍ଲାର ଛତ୍ରପୁର ମୁନିସିପାଲିଟି ର ନାଗରିକ ମାନଙ୍କ ବିଭିନ୍ନ ଅଭିଯୋଗ ଓ ତାର ସମାଧାନ ପ୍ରକ୍ରିୟା କୁ ଅତି ସରଳ କରିବା ଏବଂ ନାଗରିକ ମାନଙ୍କୁ ସହଜରେ ସରକାରୀ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ମଙ୍ଗଳବାର ଏକ କ୍ୟୁଆର କୋଡ଼ କୁ ଛତ୍ରପୁର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଉଦଘାଟନ କରାଯାଇଛି l ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସମୀର କୁମାର ଜେନା ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ l ଛତ୍ରପୁର ପୌର ପରିଷଦକୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକେ ଏଣିକି ଆଉ କୌଣସି ଅଧିକାରୀଙ୍କ ପାଖକୁ ନିଜ ନିଜ ଅଭିଯୋଗ ନେଇ ଯିବାର ଆବଶ୍ୟକତା ନାହିଁ, ଏହି କ୍ୟୁଆର କୋଡ଼ କୁ ନିଜ ମୋବାଇଲ ରେ ସ୍କାନ କରି ନିଜ ନିଜ ଅଭିଯୋଗ ର ସମ୍ପୂର୍ଣ୍ଣ ବିବରଣୀ ଦେଇପାରିବେ l ଖାଲି ସେତିକି ନୁହେଁ ଅଭିଯୋଗ ପରେ ଉକ୍ତ ଅଭିଯୋଗ ର କଣ ସ୍ଥିତି ରହିଛି ସେନେଇ ମଧ୍ୟ ଅଭିଯୋଗକାରୀ ଅତି ସହଜରେ ଜାଣିପାରିବେ ବୋଲି ସେ କହିଥିଲେ l ପୌର ପରିଷଦର ବିଭିନ୍ନ ୱାର୍ଡରେ ଷ୍ଟ୍ରିଟ ଲାଇଟର ସମସ୍ୟା ହେଉ କିମ୍ବା ନାଳ ନର୍ଦମା ର ସମସ୍ୟା ହେଉ ସବୁ ସମସ୍ୟା କୁ ନିଜ ନିଜ ମୋବାଇଲ ମାଧ୍ୟମରେ ଅଭିଯୋଗର ସମାଧାନ ଅତି ଖୁବ ଶୀଘ୍ର ହୋଇପାରିବ ବୋଲି ମଧ୍ୟ ବିଧାୟକ କହିଛନ୍ତି l ଏହି କ୍ୟୁଆର ଉଦଘାଟନ କାର୍ଯ୍ୟକ୍ରମ ରେ ଛତ୍ରପୁର ପୌର ପରିଷଦର ବହୁ କାଉନସିଲର, ଛତ୍ରପୁର ମୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ l


