ମେଡ଼ି ହେଲ୍ଥ କ୍ଲବ କାର୍ଡ଼ ଉନ୍ମୋଚିତ
ଭୁବନେଶ୍ୱର : ସାଧାରଣଲୋକଙ୍କୁ ଉନ୍ନତମାନର ଔଷଧ ସୁଲଭ ମୂଲ୍ୟରେ ଯୋଗାଇଦେବା ଲକ୍ଷ୍ୟରେ ୧୯୯୦ ମସିହା ଫେବୃୟାରୀ ୨ ତାରିଖରେ ପ୍ରତିଷ୍ଠିତ ମେଡ଼ିସିନ୍ ବ୍ୟାଙ୍କର ୩୦ତମ ବାର୍ଷିକ ଉତ୍ସବ ଅବସରରେ ମେଡ଼ି ହେଲ୍ଥ କ୍ଲବ କାର୍ଡ଼ ଉନ୍ମୋଚିତ ହୋଇଯାଇଛି । ମେଡ଼ିସିନ୍ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ପ୍ରଧାନ କାର୍ଡ଼କୁ ଉନ୍ମୋଚିତ କରି କହିଲେ ଯେ, ମେଡ଼ିସିନ୍ ବ୍ୟାଙ୍କ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ଔଷଧ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା କରାଯାଇ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଉନ୍ନତମାନର ଔଷଧ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା ହେଉଛି । ମେଡ଼ି ହେଲ୍ଥ କ୍ଲବ କାର୍ଡ଼ ଉପଲବ୍ଧ କରିଥିବା ସଭ୍ୟମାନଙ୍କୁ ବାର୍ଷିକ ୧ ହଜାର ଟଙ୍କା ମୂଲ୍ୟର ଔଷଧ ବିନା ମୂଲ୍ୟରେ ଯୋଗାଇବା ସହ ୧୦ ହଜାର ଟଙ୍କା ମୂଲ୍ୟର ଔଷଧ ୬ ମାସ ପାଇଁ ଧାର ସୂତ୍ରରେ ଚିକିତ୍ସା ପାଇଁ ଯୋଗାଇ ଦିଆଯିବ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଧଡ଼ିଶା ପତ୍ରକାର ମଞ୍ଚର ମୁଖ୍ୟ ଶ୍ରୀ ଅବିନାଶ ମିଶ୍ର ଯୋଗଦେଇ ମେଡ଼ିସିନ୍ ବ୍ୟାଙ୍କର ଆଭିମୁଖ୍ୟକୁ ଭୂରି ଭୂରି ପ୍ରଶଂସା କରିବା ସହ ପତ୍ରକାର ମଞ୍ଚର ସମସ୍ତ ସଭ୍ୟ ମେଡ଼ି ହେଲ୍ଥ କ୍ଲବ କାର୍ଡ଼ର ସକ୍ରିୟ ସଭ୍ୟ ଭାବେ ଯୋଗଦେଇ ଏହାର ଫାଇଦା ଉଠାଇବେ ବୋଲି କହିଥିଲେ । ନିଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକ ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ବଳରାମ ପ୍ରସାଦ ନନ୍ଦ ଉତ୍ସବରେ ଅଂଶଗ୍ରହଣ କରି କହିଲେ ଯେ, ଛୋଟ ଓ ମଧ୍ୟମ ସମ୍ବାଦପତ୍ରରେ କାର୍ଯ୍ୟ କରୁଥିବା ସାମ୍ବାଦିକ ଓ ସମ୍ପାଦକ ଏହା ଫଳରେ ବହୁତ ଉପକୃତ ହେବେ । ପ୍ରାରମ୍ଭରେ ମେଡ଼ିସିନ୍ ବ୍ୟାଙ୍କର ସମ୍ପାଦିକା ରୀତାଞ୍ଜଳୀ ଆଚାର୍ଯ୍ୟ ମେଡ଼ି ହେଲ୍ଥ କ୍ଲବ କାର୍ଡ଼ର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ । ଓଡ଼ିଶା ଗଣମାଧ୍ୟମ ପରିଷଦର ନିର୍ଦ୍ଦେଶକ ଶ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଲେ ଯେ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କୁ ମେଡ଼ି ହେଲ୍ଥ କ୍ଲବ କାର୍ଡ଼ର ବାର୍ଷିକ ସଭ୍ୟ ହେବା ପାଇଁ ଉଦ୍ୟମ ଜାରି ରହିବ । ମେଡ଼ିିସିନ୍ ବ୍ୟାଙ୍କର ଏହି ଉଦ୍ୟମକୁ ସଫଳ କରିବାକୁ ଓଡ଼ିଶା ଗଣମାଧ୍ୟମ ପରିଷଦ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗଇ ଦିଆଯିବ । ଶେଷରେ ସମ୍ବାଦକେଶରୀ ପାଠକ, କ୍ଲବର ସମ୍ପାଦିକା ଶ୍ରୀମତୀ ସାଗରିକା ମହାନ୍ତି ଉପସ୍ଥିତ ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।