ପାରଳାରେ ଦୋଳଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଦୋଳବନ୍ଧ ନିକଟରେ ସ୍ଥାନୀୟ ଦୋଳଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ପକ୍ଷରୁ ଅନୁଷ୍ଠିତ ହେବାକୁଥିବା ଦୋଳଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉତ୍ସବର ସଭାପତି ହରିମୋହନ ପଟ୍ଟନାୟକ ସଭାପତିତ୍ୱ କରି ଆସନ୍ତା ମାର୍ଚ୍ଚ ୫ତାରିଖ ଠାରୁ ୧୦ତାରିଖ ପର୍ଯ୍ୟନ୍ତ ୬ଦିନ ବ୍ୟାପୀ ପାରଳାଖେମୁଣ୍ଡିର ଏହି ପ୍ରସିଦ୍ଧ ଏବଂ ପୁରାତନ ଦୋଳଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ସେହିପରି ଏହି ପ୍ରସ୍ତୁତି ବୈଠକରେ ପୂର୍ବ ବର୍ଷର ଆୟ ବ୍ୟୟ ହିସାବ କରାଯିବା ପରେ ଚଳିତ ବର୍ଷ ଦୋଳ ଉତ୍ସବରେ ୨ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ କରାଯାଇଥିଲା । ସେହିପରି ପୂର୍ବ ବର୍ଷ ଭଳି ଉତ୍ସବରେ ବିଭିନ୍ନ ଅସ୍ଥାୟୀ ଷ୍ଟଲମାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି । ଦୋଳପୂର୍ଣ୍ଣମୀ ଦିନ ଠାକୁରମାନଙ୍କ ମେଲଣ ଉତ୍ସବ ଏବଂ ଶେଷଦିନରେ ମଘାପୋଡି ହେବ ବୋଲି ସ୍ଥିର ହୋଇଛି । ପ୍ରତିସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ବେସ ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶିତ ହେବ ବୋଲି ମଧ୍ୟ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ସମ୍ପାଦକ ବିନୋଦ ଚନ୍ଦ୍ର ଜେନା, ଦେବେନ୍ଦ୍ର ମିଶ୍ର, ମଙ୍ଗଳା ପଟ୍ଟନାୟକ, ମନମୋହନ ରାଜଗୁରୁ, ପୂର୍ଣ୍ଣଚନ୍ଦ୍ର ରଥ, କୌଳାସ ପଟ୍ଟନାୟକ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତଥିଲେ ।


