ସରକାରୀ ନିୟମକୁ ବେଖାତିରଚାଷୀ କ୍ଷତିଗ୍ରସ୍ତ : ମିଲର ମାଲାମାଲ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ମିଲର ଦୌରାତ୍ମାରେ ଚାଷୀ ହେଉଛି କ୍ଷତିଗ୍ରସ୍ତ । ଏହି କାରଣରୁ ମିଲର ମାମଳାମାଲ ହେଉଥିବା ବେଳେ ଚାଷୀ ଦୁର୍ଦ୍ଦିନର ସମ୍ମୁଖୀନ ହେଉଛି । ସରକାରୀ ନିୟମ କାଗଜ କଲମରେ ଚାଲିଛି । ୭୫ କିଲୋ ବଦଳରେ ୭୮ କିଲୋ ଧାନ, ଚାଷୀ ନିଜ ଖର୍ଚ୍ଚରେ ମିଲରେ ଦେଉଛି । ବୁଝିବାକୁ କେହି ନାହିଁ । ହିଂଜିଳିକାଟୁ ବ୍ଳକରେ ସୋସାଇଟି ଜରିଆରେ ଚାଷୀ ଠାରୁ ଧାନ କିଣା ନାମକୁ ମାତ୍ର ଚାଲିଛି । ଏଠି ସରକାରୀ ନିୟମ ପାଳନ କରାନଯାଇ କିଣା ଚାଲିଛି ଧାନ । ଗୋଟିଏ ବି ସୋସାଇଟିରେ ମଣ୍ଡି ପାଇଁ ଜାଗା ନାହିଁ । କିମ୍ବା ଧାନ ଗ୍ରେଡ଼େସନ କରିବାର ବ୍ୟବସ୍ଥା ନାହିଁ । ଏହାର ଫାଇଦା ନେଇ ମିଲର ନିଜ ଇଛାରେ ଚାଷୀଙ୍କ ଠାରୁ ସରକାରୀ ନିୟମରେ ୭୫ କି.ଗ୍ରା ବଦଳରେ ୭୮ କି.ଗ୍ରା ଧାନ, ତାହା ପୁଣି ବିଲରୁ ନିଜ ଖର୍ଚ୍ଚରେ ଗୋଟିଏ ଧାନ ବସ୍ତାକୁ ଲୋଡ଼, ଅନ୍ଲୋଡ଼ ଓ ଗାଡ଼ି ଭଡ଼ା ବାବଦକୁ ବିଲ ଠାରୁ ଦୂରତା ଅନୁସାରେ ପ୍ରାୟ ୪୦ରୁ ୫୦ ଟଙ୍କା ଖର୍ଚ୍ଚ କରି ଉପାର୍ଜିତ ଧାନକୁ ମିଲରେ ଚାଷୀ ଦେବାକୁ ବାଧ୍ୟ ହେଉଛି । ଏପରିକି ଧାନ ଓଜନ ପାଇଁ ବ୍ୟବହୃତ କଂଟା ରେ ମଧ୍ୟ ଏପଟ ସେପଟ କରି ଚାଷୀଙ୍କଠାରୁ ଓଜନରେ ଠକେଇ କରି ଧାନ କିଣାଯାଉଥିବା ନେଇ କିଛି ଚାଷୀ ଅଭିଯୋଗ କରିଛନ୍ତି । ମିଲର ଓ ସୋସାଇଟି ସମ୍ପାଦକ ସଲାସୁତୁରାରେ ଧାନ କିଣା ଚାଲିଛି । ମଣ୍ଡି ପାଇଁ ଜାଗା ନଥିବାରୁ ସମ୍ପାଦକ ବାଧ୍ୟ ହୋଇ ମିଲର ଉପରେ ନିର୍ଭର କରୁଛନ୍ତି । କେବଳ ସମ୍ପାଦକ ନୁହନ୍ତି ବରଂ ମାର୍କେଟିଂ ଅଫିସର ମଧ୍ୟ ମିଲରଙ୍କ ପାଖରେ ହାତ ଟେକି ଦେଇଛନ୍ତି । ସୋସାଇଟିରେ ବେନିୟମ ଭାବେ ଧାନ କିଣା ଚାଲୁଛି । ଚାଷୀର ଅଖା ଟଙ୍କା ମଧ୍ୟ ଦେଉନି ମିଲର । ଚାଷୀ ଧାନ ଅମଳ କରି ଅଖାରେ ପୁରାଇ ବିଲରେ ରାତି ଜଗି କାକର ଖାଉଛି ହେଲେ ଟୋକେନ୍ ଆସିବାରେ ବହୁତ ବିଳମ୍ବ ହେଉଥିବାରୁ ଚାଷୀ ବାଧ୍ୟ ହୋଇ ବାହାର ବ୍ୟବସାୟୀଙ୍କୁ ୭୭ କି.ଗ୍ରା ଧାନକୁ ୧୦୫୦ରୁ ୧୧୦୦ ଟଙ୍କାରେ ବାଧ୍ୟ ହୋଇ ବିକ୍ରି କରୁଛନ୍ତି ଓ ଧାନ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଛି । ମୁଣ୍ଡର ଝାଳ ତୁଣ୍ଡରେ ମାରି ମାଟି ସହ ମାଟି ହୋଇ ସମସ୍ତଙ୍କ ଆଧାର ଧାନ ସୁନା ବିଲରେ ଫଳାଇ ଯୋଗାଇ ଆସୁଥିଲେ ମଧ୍ୟ ଚାଷୀର ଦୁଃଖ କେହି ଜାଣି ପାରୁନାହାନ୍ତି । ଅପାଠୁଆ ହୋଇଥିବାରୁ ସମସ୍ତେ ଠକି ଚାଲିଥିବା କରୁଣ କଣ୍ଠରେ ଅଭିଯୋଗ କରିଛନ୍ତି ହିଂଜିଳିକାଟୁ ବ୍ଳକ ଅଂଚଳର ବହୁ ଚାଷୀ । ଅତିଶୀଘ୍ର ଟୋକେନ ବ୍ୟବସ୍ଥା କରାଯାଉ, ସରକାରୀ ନିୟମରେ ଧାନ କ୍ରୟ କରାଯାଇ ମିଲରଙ୍କ ଉପରେ ଅଙ୍କୁଶ ଲଗାଇବା, ଓଜନରେ ଠକୁଥିବା ମିଲରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥାନୀୟ ଅଂଚଳର ଚାଷୀ ମହଲରେ ଦାବି ହେଉଛି । ଏପରିକି ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳିକାଟୁରେ ମୋ’ ସାରକାର ଓ ୫ଟି ଯୋଜନା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି । ଜିଲ୍ଲା ଯୋଗାଣ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସକାଶେ ସ୍ଥାନୀୟ ଅଂଚଳର ଚାଷୀବୃନ୍ଦ ଦାବି କରିଛନ୍ତି ।


