ସଡକ ଦୁର୍ଘଟଣାରେ ୪ ଆହତ

ବୋଲଗଡ଼ (ଯୁଗାବ୍ଦ ନ୍ୟୁଜ୍‍): ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଆଗେଇ ଚାଲିଛି । ଖୋର୍ଦ୍ଧାଠାରୁ ନୟାଗଡ଼ ପର୍ଯ୍ୟନ୍ତ ୫୫କି.ମି. ଦୂରତା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ୧୧୦କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକୁ ଏଆର୍ଏସ୍ଏସ୍ ଠିକା ସଂସ୍ଥା କାର୍ଯ୍ୟ କରୁଛି । କିନ୍ତୁ ବୋଲଗଡ଼ ଭୀମପଡ଼ା ମଧ୍ୟରେ ନନ୍ଦନ ଢାବାଠାରେ ରାସ୍ତା ସଂପ୍ରସାରଣ ପାଇଁ ସରୁ ଗୋଟି ବିଛାଡି ହୋଇ ପଡିଥିବାରୁ ବାଇକ୍ ଦୁର୍ଘଟଣା ଘଟୁଛି । ଗତ ୨ଦିନ ମଧ୍ୟରେ ଦୁଇଟି ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ମାଣିକାଗୋଡା ଗ୍ରାମର ଦୁଇ ଯୁବକ ଲକ୍ଷ୍ମୀଧର ପରିଡା (୪୦) ଓ ରମେଶ ସେଠୀ (୩୬) ନନ୍ଦନ ଢାବାକୁ ଆସିଥିବାବେଳେ ବାଇକରୁ ଖସିପଡି ଆହତ ହୋଇଛନ୍ତି । ନନ୍ଦନ ହେଟେଲ ନିକଟରେ ତିଆରି ହେଉଥିବା ଶଙ୍ଖଠାରେ ପଡି ଆହତ ହୋଇଥିଲେ । ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ବୋଲଗଡ ଅଗ୍ନିଶମ କର୍ମଚାରୀ ଦୁଇଜଣଙ୍କୁ ଉଦ୍ଧାର କରି ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟ ଚିକିତ୍ସାଧିନ ଅଛନ୍ତି । ସେହିପରି ଶନିବାର ସନ୍ଧ୍ୟାରେ ଇଟାମାଟି ଥାନା ଅନ୍ତର୍ଗତ ପାଣ୍ଡେରିପଡା ଗ୍ରାମର ବସନ୍ତ ସାହୁଙ୍କ ଝିଅ ଇତିଶ୍ରୀ ସାହୁ ତାଙ୍କ ବୋଉ କବିତା ସାହୁ(୪୫)ଙ୍କୁ ଏକ ଧଳା ସ୍କୁଟି (ଓଡି୨୫ ଏ ୮୪୨୪) ରେ ବସାଇ ରାଜସୁନାଖଳାରୁ ଗ୍ରାମକୁ ଫେରୁଥିବାବେଳେ ଏହିସ୍ଥାନରେ ଚକା ଗୋଡିରେ ଖସିଯାଇ ରାସ୍ତା ଉପରେ ପଡିଯାଇ ଆହତ ହୋଇଥିଲେ । ଟାଙ୍ଗିସାହି ଗ୍ରାମର ଜନୈକ ଅଟୋ ଡ୍ରାଇଭର ସେମାନଙ୍କୁ ଉଦ୍ଧାରକରି ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ମା’ଙ୍କ ମ ୁଣ୍ଡରେ ଶକ୍ତ ଆଘାତ ଲାଗିଥିବାବେଳେ ଝିଅଟି ସାମାନ୍ୟ ଆହତ ହୋଇଛି । ଏହି ରାସ୍ତା ସଂପ୍ରସାରଣ କାର୍ଯ୍ୟ ପଥର ଗୁଣ୍ଡ ମାଟି, ମୋରମ ପଡି ମତାମତି ହେଉଥିବାବେଳେ ଠିକାସଂସ୍ଥା ପକ୍ଷରୁ କୌଣସି ପାଣି ସିଞ୍ଚନ କରାଯାଉନାହିଁ । ଯାହାଫଳରେ ପ୍ରବଳ ଧୁଳି ଉଡି ପରିବେଶ ଦୂଷିତ ହେଉଛି । ତୁରନ୍ତ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ