ପୁଲିସର ଆଚରଣ, ଉଚ୍ଚାରଣ ବଦଳିଛି: ଗୃହମନ୍ତ୍ରୀ
ଭୁବନେଶ୍ୱର: ମୋ ସରକାର ଓ ୫-ଟି ବେଳେ ପୁଲିସର ଆଚରଣ ଓ ଉଚ୍ଚାରଣ ବଦଳିଛି । ଏହା କହିଛନ୍ତି ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ପିଇଓ ସ୍ମିତାରାଣୀ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ମିଶ୍ର ଏହା କହିଛନ୍ତି । ସେ କହିଛନ୍ତି ଯେ, ପୁଲିସ ତତ୍ପରତାର ସହ କାମ କରୁଛି । ଆଇନ ଅନୁଯାୟୀ ଯାହା ଯୁକ୍ତିଯୁକ୍ତ ତାହା କରାଯିବ । ରୂପେଶ ଭଦ୍ର ଘଟଣାରେ ତଦନ୍ତ ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।
ପ୍ରକାଶ ଯେ, ଗତକାଲି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରଙ୍ଗଶାଳା ଭଙ୍ଗାଯିବା ଘଟଣାକୁ ନେଇ କିଛି ସମୟ ପୂର୍ବରୁ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରଶାସନ ସହ ସରକାରଙ୍କୁ ଟାର୍ଗେଟ କରିଥିଲେ । ଲେଖାଶ୍ରୀ କହିଥିଲେ ଯେ, ଗତ ୨୦୧୮ରେ ରଙ୍ଗଶାଳା ଭଙ୍ଗା ଯାଇଥିବା କୁହା ଯାଉଥିଲେ ବି ଏ ଯାଏ କାହିଁକି ଭଙ୍ଗା ଯାଇନଥିଲା, ଯଦି ଆଗରୁ ଭଙ୍ଗା ଯାଇଥାନ୍ତା ତେବେ ହୁଏତ ସ୍ମିତରାଣୀ ମରି ନଥାଆନ୍ତେ । ମୋଟ ଉପରେ ସ୍ମିତରାଣୀ ମୃତ୍ୟୁ ମାମଲାରେ ତଥ୍ୟ, ପ୍ରମାଣ ନଷ୍ଟ ଲାଗି ଏବେ ଭଙ୍ଗା ଗଲା । ବିଜେପିର ଅଭିଯୋଗ ରଙ୍ଗଶାଳା ଭାଙ୍ଗିବା ପଛରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ମନ୍ଦ ଉଦ୍ଦେଶ୍ୟ ଅଛି । ତଦନ୍ତକୁ ଦିଶାହୀନ କରିବା ଲାଗି , ଠୋସ ପ୍ରମାଣ ନଷ୍ଟ ଲାଗି ଏଭଳି କରାଯାଇଛି । ସ୍ମିତରାଣୀ ମୃତ୍ୟୁ ରହସ୍ୟକୁ ଲୁଚାଇବାକୁ ଏଭଳି ପ୍ରୟାସ କରାଯାଇଛି ବୋଲି ଲେଖାଶ୍ରୀ କହିଥିଲେ ।


