ଶିକ୍ଷାବିଭାଗ ପକ୍ଷରୁ ଆସିକାରେ ବ୍ଳକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ଆସିକା  (ୱାଇଏନ୍‍ଏସ୍‍): ଓଡିିଶା ଶିକ୍ଷକ ଶିିକ୍ଷା ଏବଂ ରାଜ୍ୟ ଶିକ୍ଷା ଓ ଗବେଷଣା ପରିଷଦ (ଟିଇ ଓ ଏସ୍‍ସିଇଆର୍‍ଟି) ଏବଂ ଗଞ୍ଜାମ ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶ ଓ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପରିସରରେ ବୁଧବାର ବ୍ଳକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍‍ କୁମାର ପାଢୀଙ୍କ ପରାମର୍ଶକ୍ରମେ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବ୍ଳକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶିବରାମ ବେହେରା, ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ରସାୟନ ବିିଜ୍ଞାନ ବିଭାଗର ଅତିଥି ଅଧ୍ୟାପକ ସୁଶିଲ୍‍ କୁମାର ଆଚାର୍ଯ୍ୟ ଏବଂ ପଦାର୍ଥ ବିଜ୍ଞାନ ବିଭାଗର ଅତିଥି ଅଧ୍ୟାପିକା ଶୁଭଶ୍ରୀ ମିଶ୍ର, ଶିକ୍ଷାନୁଷ୍ଠାନର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଇଶ୍ୱରୀ ମହାପାତ୍ର ଯୋଗଦେଇ ଏହି ଆଲୋଚନଚକ୍ରରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ ଓ ଲୋକଲୋଚନକୁ ଆଣିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଯଥେଷ୍ଟ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଆସିକା ଶିକ୍ଷାବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ବ୍ଳକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ୨୭ଟି ବିଦ୍ୟାଳୟରୁ ୩୦ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରି ଭାରତରେ ଶକ୍ତି ସଂପଦ-୨୦୪୭ ସମ୍ଭାବନା ଓ ଆହ୍ୱାନ ବିଷୟବସ୍ତୁ ଉପରେ ନିଜ ନିଜର ମତ ରଖିଥିଲେ । ଏହି ବିଜ୍ଞାନ ଆଲୋଚନାଚକ୍ରରେ ବିଚାରକ ରୂପେ ଆସିକା ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ସୁଶିଲ୍‍ କୁମାର ଆଚାର୍ଯ୍ୟ ଓ ଶୁଭଶ୍ରୀ ମିଶ୍ର ଯୋଗଦେଇଥିଲା ବେଳେ ଉଲ୍ଲେଖନୀୟ ପାରଦର୍ଶିତା ଦେଖାଇ ପ୍ରଥମ ହୋଇଥିବା ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ବିଦ୍ୟାର୍ଥୀ ଡି.ଅର୍ଚ୍ଚନା ପାତ୍ର ଓ ଦ୍ୱିତୀୟ ହୋଇଥିବା ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଚନ୍ଦ୍ରଶେଖର ଜେନା ଏବଂ ତୃତୀୟ ହୋଇଥିବା ଜୟପୁର ନୋଡାଲ୍‍ ହାଇସ୍କୁଲର ବିଦ୍ୟାର୍ଥୀ ସାଇଲି ଗୌଡଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବ୍ଳକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ପ୍ରଥମ ହୋଇଥିବା ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ବିଦ୍ୟାର୍ଥୀ ଡି.ଅର୍ଚ୍ଚନା ପାତ୍ର ଆସନ୍ତା୨୧ତାରିଖରେ ବ୍ରହ୍ମପୁର ସ୍ଥିତ କେସି ହାଇସ୍କୁଲରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର୍‍ରେ ଅଂଶଗ୍ରହଣ କରିବା ଲାଗି ଚୟନ କରାଯାଇଥିବା ଜଣାପଡିଛି । ଆସିକା ଶିକ୍ଷାବିଭାଗ ପକ୍ଷରୁ ଆୟୋଜିତ ଏହି ବ୍ଳକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିବା ସମସ୍ତ ୩୦ ଜଣ ବିଦ୍ୟାର୍ଥୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିିକ୍ଷକ ନାରାୟଣ ମହାପାତ୍ର, ସହକାରୀ ଶିକ୍ଷକ ସୁଶିଲ୍‍ ମୋହନ ପତ୍ର, ଜି.ଆନନ୍ଦ ପାତ୍ର, ରୁଦ୍ର ପ୍ରସାଦ ସେଠୀ, ସୁନିଲ୍‍ ସେଠୀ, ସୁନିତା ପରିଚ୍ଛା, ଈଶ୍ୱରୀ ମହାପାତ୍ର, ମନ୍ଦାକିନୀ ପ୍ରଧାନ, ସନ୍ଧ୍ୟାରାଣ ବେହେରା, ଅନ୍ନପୂର୍ଣ୍ଣା ଭୋଇ, କର୍ମଚାରୀ ଆଶାଲତା ପ୍ରଧାନ, ପ୍ରଶାନ୍ତ କୁମାର ମୁନି, ନୀଳମାଧବ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ