ଆନ୍ଧ୍ରକୁ ଚାଲାଣ ବେଳେ ସାଗୁଆନ କାଠ ଜବତ ୨ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଗାରବନ୍ଧ ଥାନା ପକ୍ଷରୁ ପେଟ୍ରୋଲିଂ ସମୟରେ ୧୨ଗୋଟି ସାଗୁଆନ କାଠ ଗଣ୍ଡି ପଡୋଶୀ ଆନ୍ଧ୍ରକୁ ଚାଲାଣ ହେଉଥିବାବେଳେ ଜବତ କରାଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଏପି୩୦ ଟିସି ୧୯୬୪ ନମ୍ବର ବିଶିଷ୍ଟ ଏକ ଭ୍ୟାନ ଯୋଗେ ୧୨ଗୋଟି ସାଗୁଆନ କାଠ ଗଣ୍ଡି ପଡୋଶୀ ଆନ୍ଧ୍ର ପ୍ରଦେଶକୁ ଚାଲାଣ ହେଉଥିବାବେଳେ ପୋଲିସ ପକ୍ଷରୁ ସନ୍ଦେହରେ ଉକ୍ତ ଭ୍ୟାନକୁ ଅଟକାଯାଇ ତନଖି କରାଯାଇଥିଲା । ସେଥିରୁ ୧୨ଗୋଟି ଚୋରା ସାଗୁଆନ କାଠ ଗଣ୍ଡି ଜବତ ହୋଇଥିଲା । ଯାହାର ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହି ଚାଲାଣରେ ସମ୍ପୃକ୍ତଥିବା ଅଭିଯୋଗରେ ଗୋଷାଣୀ ବ୍ଲକ ଘରୋଣୀ ଗ୍ରାମର ରମେଶ ଶବର ଓ ଗୋଡାସିଂ ଗ୍ରାମର ତାରା ଶବର ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।


