୩ ବର୍ଷରେ ସମସ୍ତଙ୍କୁ ପକ୍କା ଘର
ଭୁବନେଶ୍ୱର : ଆସନ୍ତା ୩ ବର୍ଷ ଭିତରେ ରାଜ୍ୟର ସବୁ କଚ୍ଚା ଘରକୁ ପକ୍କା କରାଯିବ । କେହି ଜଣେ ବି ଯୋଗ୍ୟ ବ୍ୟକ୍ତି ପକ୍କା ଘର ପାଇବାରୁ ବଞ୍ଚିତ ହେବେ ନାହିଁ । ଏଥିପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ବଡ଼ ଘୋଷଣା କରିବେ । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ଆଉ ଦୁଇ ବର୍ଷ ବାକି ଥିଲା ବେଳେ ସରକାରଙ୍କର ଏହା ବଡ଼ ପ୍ରସ୍ତୁତି ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି ।
ରାଜ୍ୟର ପାଖାପାଖି ୨୦ ଲକ୍ଷ ହିତାଧିକାରୀ ପକ୍କା ଘର ପାଇବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଏହି ଘର ବଣ୍ଟାଯିବ । ଏକକାଳୀନ ଘରର କାର୍ଯ୍ୟାଦେଶ ବାଣ୍ଟିବାକୁ ସରକାର ଯୋଜନା କରିଛନ୍ତି । ମାର୍ଚ୍ଚ ୫ ବିଜୁ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସରେ ଏହି କାର୍ଯ୍ୟାଦେଶ ବଣ୍ଟନ ଆରମ୍ଭ ହେବ । ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାଦେଶ ବାଣ୍ଟିବେ । ପରବର୍ତ୍ତୀ ୧୫/୨୦ ଦିନ ଭିତରେ ସାରା ରାଜ୍ୟରେ କାର୍ଯ୍ୟାଦେଶ ବଣ୍ଟାଯିବ । ସମସ୍ତ ହିତାଧିକାରୀ କାର୍ଯ୍ୟାଦେଶ ପାଇବେ । ୩ ବର୍ଷ ସମୟସୀମା ମଧ୍ୟରେ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ ହେବ । କେହି ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି ବାଦ୍ ନ ପଡ଼ିବେ, ସେଥି ପ୍ରତି ଧ୍ୟାନ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
କ୍ୟାବିନେଟ୍ ବୈଠକ ପରେ ସମସ୍ତ ମନ୍ତ୍ରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବୈଠକ କରିଥିଲେ । ଯଦିଓ ବୈଠକର ନିଷ୍ପତ୍ତି ସମ୍ପର୍କରେ ଖୋଲାଖୋଲି ଭାବେ କିଛି କୁହାଯାଇ ନାହିଁ, ତେବେ ପକ୍କା ଘର ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ୩୦ଟି ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପକ୍କା ଘର କାର୍ଯ୍ୟାଦେଶ ବଣ୍ଟନ କରାଯିବ । କେଉଁ ମନ୍ତ୍ରୀ କେଉଁ ଜିଲ୍ଲାକୁ ଯିବେ, ତାହାର ଏକ ତାଲିକା ଖୁବ୍ ଶୀଘ୍ର ପ୍ରକାଶ ପାଇପାରେ । ହିତାଧିକାରୀ ତାଲିକା ପ୍ରସ୍ତୁତି ବେଳେ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ ନ ପଡ଼ନ୍ତି ଓ ଅଯୋଗ୍ୟ ହିତାଧିକାରୀ ସାମିଲ ନ ହୁଅନ୍ତି, ସେଥି ପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି । ହିତାଧିକାରୀ ଚୟନରେ ଅନିୟମିତତା ଓ ପିସି କାରବାର ଯେପରି ନ ହୁଏ, ସେଥିପ୍ରତି ସତର୍କ ରଖିବାକୁ ସମସ୍ତ ମନ୍ତ୍ରୀ ଓ ପଞ୍ଚାୟତିରାଜ ବିଭାଗକୁ କୁହାଯାଇଛି ।
ପକ୍କା ଘର ବାଣ୍ଟିବାକୁ ବିଜେଡିର ଏହି ତତ୍ପରତା ରାଜନୈତିକ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଆଶାନୁରୂପ ସଫଳତା ପାଇ ନ ଥିଲା । ଅବଶ୍ୟ ଗତ ସାଧାରଣ ନିର୍ବାଚନରେ ବିରୋଧୀଙ୍କୁ ବହୁ ପଛରେ ପକାଇବାରେ ବିଜେଡି ସଫଳ ହୋଇଥିଲା । ତେଣୁ ୨୦୨୨ ପଞ୍ଚାୟତ ନିର୍ବାଚନରେ ସାଧାରଣ ନିର୍ବାଚନର ସଫଳତାକୁ ଦୋହରାଇବାକୁ ବିଜେଡି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ତାହାକୁ ଆଖି ଆଗରେ ରଖି ସରକାର ଏବେ ଗାଁ ମୁହାଁ ହୋଇଥିବା କୁହାଯାଉଛି । ଆସନ୍ତା ମାସ ୫ ତାରିଖରେ ପକ୍କା ଘର କାର୍ଯ୍ୟାଦେଶ ବଣ୍ଟନ ସହ ଗାଁ ପାଇଁ ଆଉ କିଛି ନୂଆ ଘୋଷଣା ହେବାର ମଧ୍ୟ ଯୋଜନା ରହିଥିବା ଆଲୋଚନା ଚାଲିଛି ।


