ଗୌତମ ନଗର ପୂଜା ମଣ୍ଡପରେ ନିଆରା କଳାକୃତି: ବଢୁଛି ଶ୍ରଦ୍ଧାଳୁଙ୍କ ଜନସମାଗମ
ଛତ୍ରପୁର, : ଗଣେଶ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ସହରର ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା ଓ ମନମୁଗ୍ଧକର କଳାକୃତି ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି। ଏହି କ୍ରମରେ ଛତ୍ରପୁର ସହରର ଗୌତମ ନଗର ପୂଜା ମଣ୍ଡପର ନିଆରା କଳାକୃତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବାହାରୁ ଦେଖିଲେ ଏକ ବିରାଟ କାନ୍ଥ ଭଳି ଦେଖାଯାଉଥିବା ମଣ୍ଡପ ଭିତରକୁ ପ୍ରବେଶ କଲେ ଦେଖିବାକୁ ମିଳୁଛି ଆକର୍ଷଣୀୟ ତୋରଣ। କୈଳାସ ପର୍ବତରେ ପ୍ରଭୁ ଗଜାନନ ବିଜେ କରିଥିବା ଭଳି ସୁନ୍ଦର ପରିବେଶ ସୃଷ୍ଟି କରାଯାଇଛି। ଅନ୍ଧକାର ମଧ୍ୟରେ ଆଲୋକରେ ଚମକୁଥିବା ଗଜାନନଙ୍କ ମୂର୍ତ୍ତି ଶ୍ରଦ୍ଧାଳୁଙ୍କ ମନ ମୋହୁଛି। ମୂର୍ତ୍ତିକୁ ଦେଖିଲେ ସତେ ଯେପରି ପ୍ରଭୁ ବିଘ୍ନବିନାଶକ ସ୍ୱୟଂ ଉଭା ହୋଇଥିବାର ଅନୁଭବ ହେଉଛି। ପ୍ରଭୁ ଗଣେଶଙ୍କ ବାହନ ମୂଷିକ ମଧ୍ୟ ଅବଲୋକନ ନୟନରେ ବିଘ୍ନବିନାଶକଙ୍କୁ ଅନାଇ ବସିଥିବା ଦୃଶ୍ୟ ମଣ୍ଡପର ଆକର୍ଷଣକୁ ଆହୁରି ବଢ଼ାଇଛି। ଏହି ନିଆରା କଳାକୃତିକୁ ଦେଖିବା ପାଇଁ ସନ୍ଧ୍ୟା ହେଲେ ଗୌତମ ନଗର ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଗୌତମ ନଗର ଯୁବପିଢ଼ିଙ୍କ ପକ୍ଷରୁ ଆୟୋଜିତ ଏହି ପୂଜାରେ ସକାଳୁ ପ୍ରଭୁ ଗଜାନନଙ୍କ ମହାସ୍ନାନ, ମହାଆଳତି, ନିତ୍ୟପୂଜା ଓ ପ୍ରସାଦ ସେବନ ଭଳି କାର୍ଯ୍ୟକ୍ରମ ଚାଲୁଥିବା ପୂଜକ କହିଛନ୍ତି। ଏଥିସହ ପ୍ରଭୁ ମହାବିନାୟକଙ୍କ ପ୍ରସାଦ ସ୍ୱରୂପ ଏକ ବିରାଟ ଲଡ଼ୁକୁ ନେଇ ଲଟେରୀ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯାହାଙ୍କ ନାମରେ ଲଟେରୀ ଉଠିବ, ସେହି ଭକ୍ତ ଦିବ୍ୟ ଲଡ଼ୁ ପ୍ରସାଦ ପାଇପାରିବେ ବୋଲି ଆୟୋଜକମାନଙ୍କ ପକ୍ଷରୁ ସୂଚନା ମିଳିଛି।


