ବିଦେଶୀ ମଦ ଜବତ : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଅବକାରୀ ଥାନା ଏଏସଆଇ ଏନ୍. ତ୍ରିପତୀ ରେଡ୍ଡୀ,କନେଷ୍ଟବଳ ଏସ.କେ ରାଜେଶ ଉଦ୍ଦିନ୍, ବଳରାମ ପାତ୍ର ପ୍ରମୁଖ ସଦଳବଳେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଶଙ୍କରଖାଳି ଗ୍ରାମ ରାସ୍ତାରେ ସଦଳବଳେ ପାଟ୍ରୋଲିଂ କରୁଥିବା ବେଳେ ଗ୍ରାମର ପ୍ରମୋଦ ସାହୁ(୪୦) ଏକ ଜରି ବ୍ୟାଗ ଧରି ରାସ୍ତାରେ ସନ୍ଦେହଜନକ ଭାବେ ଯାଉଥିବା ବେଳେ ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କୁ ଅଟକାଇ ଖାନତଲାସି କରିବାରୁ ସେଥିରେ ବହୁ ସଂଖ୍ୟକ ବିଦେଶୀ ମଦ ବୋତଲ ଥିବା ଜଣାପଡିଥିଲା। ଘଟଣାସ୍ଥଳରେ ଜବତ ତାଲିକା ପ୍ରସ୍ତୁତ କରାଯାଇ ମାପଚୁପ କରିବାରୁ କେବଳ ଓଡ଼ିଶା ରେ ବିକ୍ରୟ ପାଇଁ ଉଦ୍ଦିଷ୍ଟ ଲେଖାଥିବା ୧୪ ଟି ହଣ୍ଟର ବିଦେଶୀ ମଦ ବୋତଲ ରେ ୭ ଲିଟର ବିଦେଶୀ ମଦ ଥିବା ଜଣାପଡିଥିଲା। ତାଙ୍କୁ ପଚରାଉଚୁରା କରିବାରୁ ସେ ଗ୍ରାମରେ ବେଆଇନ ଭାବେ ମଦ ବିକ୍ରୀ କରୁଥିବା ସ୍ବୀକାର କରିଥିଲେ। ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କୁ ଗିରଫ କରି ଦିଗପହଣ୍ଡି ଅବକାରୀ ଥାନାକୁ ଆଣିଥିଲେ। ଅବକାରୀ ମାମଲା ନଂ.୧୦୯/୨୬- ୨୭ ଅନୁଯାୟୀ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ଅବକାରୀ ଏଏସଆଇ କହିଛନ୍ତି।


