ରାଷ୍ଟ୍ରର ସାମୂହିକ ବିକାଶ ପାଇ ମୌଳବାଦୀ ଧର୍ମୀୟ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବା – ଆଜିର ଆବଶ୍ୟକତା
ମାନବବାଦୀ ହେତୁବାଦୀ ସଂଗଠନ ଓଡିଶା , ଗଂଜାମ ଜିଲା ଶାଖା ଆନୁକୁଲ୍ୟରେ ବ୍ରହ୍ମପୁରସ୍ଥ ସଂକଳ୍ପ ସ୍କୁଲ ପରିସରରେ *ରାଷ୍ଟ୍ର , ଧର୍ମ ଓ ରାଜନନ୍ୟୈତିକ ପ୍ରକ୍ରିୟା*ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ସଭାପତି ଇ.ଟି.ରାଓ ସଭାପତିତ୍ୱ କରିଥିଲେ । ରାଜ୍ୟ ସମ୍ପାଦକ ଇ.ରାଜା ସୁରେଶ ସମ୍ମାନାନୀୟ ଅତିଥି ଭାବେ ଯୋଗଦେଇଥିଲେ। ଗଞ୍ଜାମ ଜିଲ୍ଲା ସଂଗଠନର ସମ୍ପଦକ କେ.ନନ୍ଦେସୁ ସେନାପତି ଆଲୋଚନା ଚକ୍ର ବିଷୟରେ ସମ୍ୟକ ଧାରଣା ଦେଇଥିଲେ।ଏହି ସମାବେଶରେ ମୂଖ୍ୟବକ୍ତା ବିଶିଷ୍ଠ ସମାଜ ବିଜ୍ଞାନୀ ପ୍ରଫେସର୍ ବିଜୟ ବହିଦାର୍ ଯୋଗଦେଇ ଦେଶ ଏକ ଉଦ୍ବେଗଜନକ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିବା ବେଳେ ଆଗାମୀ ନିର୍ବାଚନ ପ୍ରକ୍ରିୟା କେବଳ ଏକ ନୂଆ ସରକାର ଦେବନାହିଁ, ଏହା ଭାରତୀୟ ସମାଜର ରୂପରେଖ, ଦେଶର ଗଣତନ୍ତ୍ର ତଥା ବ୍ୟାପକ ଜନଗଣଙ୍କର ଜୀବନ-ଜୀବିକାକୁ ଗଭୀର ଭାବେ ପ୍ରଭାବିତ କରିବ ବୋଲି ମତ ପ୍ରକଶ କରିଥିଲେ।କ୍ରମାଗତ ଭାବେ ଦେଶର ଆର୍ଥିକ ଅସମାନତା ବିପଦଜନକ ଭାବେ ବଢିବାରେ ଲାଗିଛି । ଗତ ୪୫ ବର୍ଷ ମଧ୍ୟରେ ଦେଶ ସବୁ ଠାରୁ ଖରାପ ସ୍ଥିତିରେ ଆସି ପହଞ୍ଚିଛି । ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସେବାକୁ ବ୍ୟବସାୟୀମାନଙ୍କ ହାତକୁ ଟେକି ଦିଆ ଯିବାରୁ ଏହି ସେବା ପାଇବା ଆଜି ସାଧାରଣ ଜନଗଣଙ୍କର ଆର୍ଥିକ କ୍ଷମତା ବାହାରକୁ ଚାଲି ଯାଇଛି । ଦେଶକୁ ଖାଦ୍ୟ ଯୋଗାଉଥିବା କୃଷକ ପ୍ରତି ଦିନ ଆତ୍ମହତ୍ୟା କରୁଛି। ଦଳିତ ଓ କୃଷକଙ୍କୁ ସେମାନଙ୍କର ଜମି ଓ ଜୀବିକାରୁ ଜୋର୍ ଜବରଦସ୍ତ ବିସ୍ଥାପିତ କରାଯାଉଛି ଏବଂ ଜଳ, ଜମି, ଜଙ୍ଗଲ, ପ୍ରାକୃତିକ ସମ୍ପଦର ଖୋଲାଖୋଲି ଲୁଟ ଚାଲିଛି । ଏହା ବିରୁଦ୍ଧରେ ସ୍ୱର ଉଠାଉଥିବା ସାଧାରଣ ଜନତାଙ୍କ ଉପରେ ଦିନକୁ ଦିନ ରାଷ୍ଟ୍ର ଦମନ ତୀବ୍ରତର ହେବାରେ ଲାଗିଛି । କର୍ପୋରେଟ-ରାଜନେତା-ଉଚ୍ଚ ପଦସ୍ଥ ଅମଲାତନ୍ତ୍ରର କୁଚକ୍ର ଜରିଆରେ ପ୍ରତି ସରକାରୀ ନିଷ୍ପତିରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଲୁଟ୍ ହେଉଛି । କିନ୍ତୁ ପ୍ରାୟୋଜିତ ଭାବେ ଜନଗଣଙ୍କର ଏହି ସବୁ ମୌଳିକ ପ୍ରଶ୍ନକୁ ବିତର୍କ ମଧ୍ୟକୁ ଅଣାଯାଉ ନାହିଁ । କର୍ପୋରେଟ ନିୟନ୍ତ୍ରିତ ଗଣମାଧ୍ୟମରେ ଯୋଜନାବଦ୍ଧ ଭାବେ ବିଦ୍ୱେଷ, ଘୃଣା ଓ ଉନ୍ମାଦନା ସୃଷ୍ଟି କରାଯାଇ ଚତୁରତାର ସହ ଏହି ପ୍ରଶ୍ନରୁ ଜନଗଣଙ୍କର ଦୃଷ୍ଟିକୁ ଅନ୍ୟ ଆଡକୁ ନେଇଯିବା ପାଇଁ ଉଦ୍ୟମ ଚାଲିଛି । ବିବିଧତା ହେଉଛି ଭାରତୀୟ ସମାଜର ଆତ୍ମା । କିନ୍ତୁ କିଛି ଲୋକ ସାଂସ୍କୃତିକ ଜାତୀୟତାବାଦ ନାମରେ ଗୋଟିଏ ଧର୍ମ, ସଂସ୍କୃତି, ଭାଷାକୁ ଅନ୍ୟ ଉପରେ ବଳପୂର୍ବକ ଲଦିଦେବା ପାଇଁ ଚାହୁଁଛନ୍ତି । ଜଣଙ୍କର ଖାଦ୍ୟ, ପରିଧାନ, ବ୍ୟକ୍ତିଗତ ସମ୍ପର୍କ, ବିଶ୍ୱାସ, ଆଦର୍ଶକୁ ନେଇ ଆକ୍ରମଣ ହେଉଛି । ରାଷ୍ଟ୍ର ପ୍ରୋତ୍ସାହନରେ ଭିଡ଼ହିଂସା ବଢିବାରେ ଲାଗିଛି । ଏପରିକି ପ୍ରତିଷ୍ଠିତ ବୁଦ୍ଧିଜୀବୀ, ଲେଖକ, ସାମ୍ବାଦିକମାନେ ମଧ୍ୟ ହତ୍ୟାର ଶିକାର ହେଉଛନ୍ତି । ଏଥିରେ ସବୁଠାରୁ ଅଧିକ ଶିକାର ହେଉଛନ୍ତି ଦଳିତ , ସଂଖ୍ୟାଲଘୁ ଓ ହେତୁବାଦୀ ସାଥୀଗଣ। । ଧର୍ମାନ୍ଧତା, କୁବିଶ୍ୱାସ, ନାରୀ-ସ୍ୱାଧୀନତା-ବିରୋଧୀ, ଜାତିବାଦୀ ବିଚାରକୁ ସରକାରୀ ପ୍ରୋତ୍ସାହନରେ ପ୍ରଚାର, ପ୍ରସାର କରାଯାଉଛି । ଦେଶର ସାମ୍ବିଧାନିକ ସଂସ୍ଥାଗୁଡିକର ସ୍ୱାୟତ୍ତତାକୁ କ୍ରମାଗତ ଭାବେ ନଷ୍ଟ କରାଯାଉଛ। ଦେଶରେ ଜାଣିଶୁଣି ଯୁଦ୍ଧ ଉନ୍ମାଦନା ସୃଷ୍ଟି କରାଯାଉଛି । ଦେଶର ସେନାର ନାମକୁ ରାଜନୈତିକ ସ୍ୱାର୍ଥ ଉଦ୍ଦେଶ୍ୟରେ ଅପବ୍ୟବହାର କରା ଯାଉଛି । ଅତ୍ୟାଚାରୀ କଳା ଆଇନ୍ର ବ୍ୟବହାର ଓ ଏକଛତ୍ରବାଦୀ ପ୍ରବଣତାକୁ ବିଚିତ୍ର ଭାବେ ଦେଶର ସ୍ୱାର୍ଥ ପାଇଁ ସର୍ବନିମ୍ନ ଆବଶ୍ୟକତା ବୋଲି ଯୁକ୍ତି କରାଯାଉଛି ଏବଂ ଭିନ୍ନ ମତବାଦୀଙ୍କୁ ଦେଶଦ୍ରୋହୀ ଭାବେ ଚିତ୍ରଣ କରାଯାଉଛି ।ଏହି ପୃଷ୍ଠଭୂମିରେ ସଂସଦୀୟ ବ୍ୟବସ୍ଥାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ସୁଚିନ୍ତିତ ଭାବେ କର୍ପୋରେଟ-ସପକ୍ଷବାଦୀ, ସାମ୍ପ୍ରଦାୟିକ, ଜାତିବାଦୀ, ନାରୀ-ସ୍ୱାଧୀନତା-ବିରୋଧୀ, ଅଗଣତାନ୍ତ୍ରିକ ତଥା ଘୃଣାର ରାଜନୀତି ସୃଷ୍ଟି କରୁଥିବା ଶକ୍ତିକୁ ପରାସ୍ତ କରିବା ପାଇଁ ଏବଂ ଦାରିଦ୍ର୍ୟ, ବେକାରୀ, କୃଷି-ସମସ୍ୟା, ଦରବୃଦ୍ଧି, ଆର୍ଥୀକ-ଅସମାନତା, ଦୁର୍ନୀତି ଇତ୍ୟାଦି ମୌଳିକ ସମସ୍ୟା କୁ ବିଚାରକୁ ନେଇ ଯେପରି ଦେଶର ଗଣତନ୍ତ୍ର ଓ ଧର୍ମନିରପେକ୍ଷତା ଅଧିକ ସୁଦୃଢ ହେବ ଓ ସବୁ ସ୍ତରରେ ଆମେ ଏକ ଭାଗିଦାରୀ ମୂଳକ ଓ ସମତାଭିତ୍ତିକ ସମାଜ ଆଡକୁ ଅଗ୍ରଗତି ହୋଇପାରିବା , ସେଥିପାଇ ସଚେତନ ହେବାକୁ ଆହ୍ୱ।ନ୍ ଦେଇଥିଲେ। ଏହି ଆଲୋଚନା ଚକ୍ରରେ ସୁନେଜ କୁମାର ପାଣିଗ୍ରାହୀ, ଅଧ୍ୟାପିକା ରାଜାବାଳା ତ୍ରିପାଠୀ, ଅଧ୍ୟାପକ ସୁଶାନ୍ତ ପ୍ରଧାନ, ପ୍ରତାପ ପ୍ରଧାନ, ବି.ବାଳକୃଷ୍ଣ ରାଓ, କେ. ବାସବ ରାଜୁ , ଭାଲ ଚନ୍ଦ୍ର ଷଡଙ୍ଗୀ, ମହମ୍ମଦ ସୁକୁର , ଅଧ୍ୟାପକ ଅମୀର୍ ସାହୁ, ଶ୍ୟାମସୁନ୍ଦର ଖାଡଙ୍ଗା , ଅଧ୍ୟକ୍ଷା ମଞ୍ଜୁପ୍ରଭା ଦାଶ୍ , ସୁର୍ଯ୍ୟନାରାୟଣ ସାହୁ , ପ୍ରତାପ ନାୟକ ,ବିଧୂପ୍ରଭା ରଥ ,ସେଫାଳି ଦାଶ୍ ଓ ମାଲେଶ୍ଵର ରାଓ ପ୍ରମୁଖ ବହୁ ବୁଦ୍ଧିଜୀବୀ ଭାଗ ନେଇ ଥିଲେ।
କେ.ନନ୍ଦେସୁ ସେନାପତି, ସମ୍ପାଦକ