ବିପର୍ଯ୍ୟୟ ମୁକାବିଲା ପାଇଁ ୬ ରାଜ୍ୟର ମାନସ ମନ୍ଥନ
ଭୁବନେଶ୍ୱର: ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ପାଇଁ ଭୁବନେଶ୍ୱରରେ ଦୁଇ ଦନିଆ କର୍ମଶାଳା ଆୟୋଜନ ହେବାକୁ ଯାଉଛି । କର୍ମଶାଳାରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରତିନିଧିମାନେ ଯୋଗଦେବେ । କର୍ମଶାଳାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଉଦଘାଟନ କରିବେ । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ନୂତନ ଜ୍ଞାନ କୌଶଳ ଉପଯୋଗ କରି ପ୍ରାକୃତିକ ଦୁର୍ବିପାକ ସମୟରେ କିପରି ସମ୍ପତ୍ତି ହାନିକୁ ରୋକିହେବ, ସେଥିପାଇଁ ଏହି କର୍ମଶାଳାରେ ଆଲୋଚନା କରାଯିବ । ବିଶେଷକରି ବନ୍ୟା, ବାତ୍ୟା, ଭୂମିକମ୍ପ ଓ ବଜ୍ରପାତ ସମୟରେ ଜରୁରୀକାଳୀନ ସେବା, ସ୍ୱାସ୍ଥ୍ୟ ଓ ବିପର୍ଯ୍ୟୟ ପ୍ରଶମନ ପଦକ୍ଷେପ ଏବଂ ବିପର୍ଯ୍ୟୟ କ୍ଷୟକ୍ଷତି ପରିଚାଳନାରେ ଜିଓଗ୍ରାଫିକାଲ ଇନଫରମେସନ ସିଷ୍ଟମ (ଜିଆଇଏସ)ର ଭୂମିକା ଉପରେ ତର୍ଜମା କରାଯିବ । ଏହାସହିତ ବନ୍ୟା ବେଳେ ଡ୍ୟାମ୍ ନିରାପତ୍ତା ନେଇ ବାହାର ରାଜ୍ୟମାନେ ଆପଣାଇଥିବା ନୂତନ ଜ୍ଞାନ କୌଶଳ ଉପରେ ବି ଆଲୋଚନା କରାଯିବ ।
ଏହି ଦୁଇଦିନିଆ କର୍ମଶାଳାରେ ଏନଡିଏମଏ ସଦସ୍ୟ ସଚିବ ଜି.ଭି.ଭି ଶର୍ମା, ଭାରତ ସରକାରଙ୍କ ଜଳଶକ୍ତି ବିଭାଗ ସଚିବ ୟୁ.ପି.ସିଂହ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏମଡି ପ୍ରଦୀପ ଜେନା ଯୋଗଦେବେ । ଏମାନଙ୍କ ବ୍ୟତୀତ ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ରୀୟ ଜଳ ଆୟୋଗ, ଇନକଏସ, ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ), ଜାତୀୟ ସୂଚନା କେନ୍ଦ୍ର (ଏନଆଇସି), ଆଇଆଇଟି ମାଡ୍ରାସର ବିଶେଷଜ୍ଞମାନେ ଯୋଗଦେଇ ବହୁମୂଲ୍ୟ ମତାମତ ପ୍ରଦାନ କରିବେ ।


