ରାମନାଗୁଡ଼ା ବ୍ଲକରେ ବଡ଼ ଧରଣର ଶିକ୍ଷକ ବଦଳି
ଗୁଣପୁର/ରାମନାଗୁଡ଼ା(ୱାଇଏନଏସ) : ରାୟଗଡ଼ା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଦୀର୍ଘବର୍ଷ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟରତ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି କରାଯାଇଛି। ମୁନିସିପାଲିଟି ଅଞ୍ଚଳରେ ୬ ବର୍ଷ ଏବଂ ବ୍ଲକ ଅଞ୍ଚଳରେ ୧୫ ବର୍ଷ ଧରି କାର୍ଯ୍ୟରତ ଶିକ୍ଷକମାନଙ୍କୁ ନେଇ ଏହି ବଦଳି ପ୍ରକ୍ରିୟା କରାଯାଇଥିବା ଜଣାପଡ଼ିଛି।
ଏହି କ୍ରମରେ ରାମନାଗୁଡ଼ା ବ୍ଲକରୁ ୨୫ ଜଣ ନିୟମିତ ଶିକ୍ଷକ ଓ ୬ ଜଣ ଏକ୍ସ-କ୍ୟାଡର ଶିକ୍ଷକଙ୍କୁ ମିଶାଇ ମୋଟ ୩୧ ଜଣଙ୍କ ବଦଳି ହୋଇଛି। ରାମନାଗୁଡ଼ା ବ୍ଲକରେ କାର୍ଯ୍ୟରତ ଏହି ଶିକ୍ଷକମାନଙ୍କୁ ପଡ଼ୋଶୀ ଗୁଣୁପୁର ବ୍ଲକକୁ ବଦଳି କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗୁଣୁପୁର, ପଦ୍ମପୁର ଓ ଗୁଡ଼ାରି ବ୍ଲକରୁ ୨୫ ଜଣ ଶିକ୍ଷକ ରାମନାଗୁଡ଼ା ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ବଦଳି ହୋଇ ଆସି ଯୋଗଦେଇଥିବା ଜଣାପଡ଼ିଛି। ଏହି ବଦଳି ଦ୍ୱାରା ଶିକ୍ଷକମାନଙ୍କ କାର୍ଯ୍ୟସ୍ଥଳୀରେ ପରିବର୍ତ୍ତନ ହେବା ସହ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତିର ସମନ୍ୱୟ ଆସିବ ବୋଲି ଆଶା କରାଯାଉଛି। ତେବେ ବଦଳି ପରେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ପଦବିର ସ୍ଥିତି କିପରି ରହିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ଅପର ପକ୍ଷରେ ରାଜ୍ୟରେ ବିଇଓ ମାନଙ୍କୁ କେବଳ ଗୋଟିଏ ଷ୍ଟେସନରେ କେବଳ ତିନି ବର୍ଷ କାର୍ଯ୍ୟ କରିବା ପରେ ବଦଳି ନିୟମ ରହିଥିଲେ ମଧ୍ୟ ରାମନାଗୁଡା ବ୍ଲକରେ କାର୍ଯ୍ୟରତ କରିତକର୍ମା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ ) ସୃଜନ ମଲ୍ଲିକଙ୍କୁ ୯ ବର୍ଷ ହେଲା ବଦଳି ହୋଇନଥିବା ସରକାର ଙ୍କ ବଦଳି ନିୟମର ବ୍ୟତିକ୍ରମ ଦେଖାଯାଇଛି। ଗତ ୪ ମାସ ପୂର୍ବେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବିଜେପି ସରକାର ରାଜ୍ୟର ଶତାଧିକ ବିଇଓ ମାନଙ୍କୁ ବଦଳି କରିଥିଲେ ମଧ୍ୟ ରାମନାଗୁଡା ବିଇଓ ଶ୍ରୀ ମଲ୍ଲିକଙ୍କୁ ବଦଳି ହୋଇନଥିବା ଆଲୋଚ୍ୟର ବିଷୟ ପାଲଟିଥିଲା। ଉଲେଖଯୋଗ୍ୟ ଶ୍ରୀ ମଲ୍ଲିକ ରାମନାଗୁଡା ବ୍ଳକ ବିଇଓ ରୂପେ ୨୦୧୮ ମସିହାରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଏକାଧିକ ବ୍ଳକ ଗୁଡାରି,ଗୁଣପୁରର ବିଇଓ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବା ସହ ଗୁଣପୁର ଉଚ୍ଚ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ମଧ୍ୟ ରହିଥିଲେ। ବର୍ତ୍ତମାନ ମଧ୍ୟ ଗୁଣପୁର ବିଇଓ ଦାୟିତ୍ବରେ ରହିଥିବା ଜଣା ପଡିଛି। ତାଙ୍କ ସମୟରେ ସର୍ବାଧିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେ଼ପୁଟେସନରେ ପୋଷ୍ଟିଂଗ ହୋଇଥିବା ଉଲେଖନୀୟ ଅଟେ।


