ସ୍କାଉଟ ଗାଇଡ୍ ରାଜ୍ୟ ଶାଖାର ୧୫୦ତମ ଗାନ୍ଧି ଜନ୍ମ ଶତବାର୍ଷିକୀ ପାଳନ
ଭୂବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟସ୍ତରୀୟ ସ୍ୱାଧୀନତା ସଂଗ୍ରାମୀ ଉତ୍ତରାଧିକାରୀ ସଂଘ ଓ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ମିଳିତ ଉଦ୍ୟମରେ ଗାନ୍ଧି ୧୫୦ତମ ଜନ୍ମ ଶତବାର୍ଷିକୀ ଓ ସ୍ୱାଧୀନତା ସଂଗ୍ରାମୀ ଦାୟାଦମାନଙ୍କର ତ୍ରିଦିବସୀୟ ରାଜ୍ୟସ୍ତରୀୟ ସମ୍ମିଳନୀ ରାଜ୍ୟ ସ୍କାଉଟଗାଇଡ୍ ମୁଖ୍ୟାଳୟ ପରିସରରେ ବୁଧବାର ଠାରୁ ଆରମ୍ଭ ହୋଇଅଛି । ଓଡିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ଉତ୍ତରାଧିକାରୀ ସଂଘର ସଭାପତି ତଥା ରାଜ୍ୟ ସ୍କାଉଟ ଗାଇଡ ସଂଗଠନର ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାରମ୍ଭରେ ଉତ୍ତରାଧିକାରୀ ସଂଗଠନର ରାଜ୍ୟ ସଭାପତି ଡଃ. କାଳିପ୍ରସାଦ ମିଶ୍ର ପ୍ରଥମେ ସମସ୍ତଙ୍କୁ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦାନକୁ ସ୍ୱାଗତ କରି ଉକ୍ତ ସମ୍ମିଳନୀର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଓଡିଶାର ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଓଡିଶାର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉକ୍ତ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ବିଭିନ୍ନ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀ ଦାୟାଦ ସଂଗଠନର ବରିଷ୍ଠ କର୍ମକର୍ତ୍ତାମାନେ ଉକ୍ତ ସମ୍ମିଳନୀରେ ଯୋଗଦାନ କରିଥିଲେ । ତା୧୧ା୨ା୨୦୧୦ରିଖ ପୂର୍ବାହ୍ନ ଅଧିବେସନରେ ମଞ୍ଚାସୀନ ବିଶିଷ୍ଟ ଅତିଥିମାନେ ସ୍ୱାଧୀନତା ସଂଗ୍ରାମୀ ଦାୟାଦମାନଙ୍କୁ ସେମାନଙ୍କର ପୂର୍ବପୁରୁଷମାନଙ୍କର ସ୍ୱାଧୀନତା ଆନ୍ଦୋଳନରେ ବଳିଦାନ ବିଷୟରେ ଦାୟାଦମାନଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ସେମାନଙ୍କ ଆଦର୍ଶରେ ପାଥେୟ କରି ସେମାନଙ୍କର ପଦାଙ୍କ ଅନୁସରଣ କରିବା ଦେଶପାଇଁ ସେମାନଙ୍କର ପ୍ରାଣ ଉତ୍ସର୍ଗ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ଦେଶପାଇଁ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କ ଦାୟାଦମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାିଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଅପରାହ୍ନ ଅଧିବେଶନରେ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାମଲ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ, ଅବସରପ୍ରାପ୍ତ ନ୍ୟାୟାଧୀଶ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି, ଗାନ୍ଧି ପିସ୍ ଫାଉଣ୍ଡେସନର ଡଃ. ବିଶ୍ୱଜିତ୍, ସୂଚନା ଓ ଲୋକସମ୍ପର୍କ, ଓଡିଶାର ଉପଦେଷ୍ଠା ଶ୍ରୀଯୁକ୍ତ ମାନସ ମଙ୍ଗରାଜ ଏବଂ ଓଡିଶା ୟୁଥ୍ ୱେଲଫେୟାର ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ନାୟକ, ଶ୍ରୀଯୁକ୍ତ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଯୋଗଦାନ କରି୧୫୦ତମ ଗାନ୍ଧି ଫଟୋ ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପରେ ପରେ ଡଃ. କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକାର୍ଯ୍ୟରେ ମୁଖ୍ୟଅତିଥି ଡଃ. ସାହୁ ସ୍ୱାଧୀନତା ଆନ୍ଦୋଳନରେ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କର ଅବଦାନ ସମ୍ବନ୍ଧରେ ଆଲୋକପାତ କରିବା ସହିତ ସେମାନଙ୍କର ଦାୟାଦମାନଙ୍କର ଦେଶ ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ମତବ୍ୟକ୍ତ କରିଥିଲେ । ସଂଗ୍ରାମୀ ମାନଙ୍କ ଉତ୍ତରପିଢ଼ୀମାନଙ୍କ ପ୍ରତି ସରକାର ସମସ୍ତ ସହଯୋଗର ହାତ ବଢ଼ାଇବା ପାଇଁ ମତବ୍ୟକ୍ତ କରିଥିଲେ ।


