ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଶ୍ରମିକ ଦିବସର ଅନୁଚିନ୍ତା

ମେ ୧ତାରିଖ ୧୮୯୦ ମସିହାହିଁ ଥିଲା ପ୍ରଥମ ଆନ୍ତର୍ଜାତିକ ଶ୍ରମିକ ଦିବସ । ଏହି ଦିବସଟି ପ୍ରତିବର୍ଷ ମେ ୧ରେ ଶ୍ରମିକମାନଙ୍କ ପାଇଁ ପାଳନ କରାଯାଏ । ଏହା ତାଙ୍କ ଶ୍ରମ ଓ ସୃଷ୍ଟିପାଇଁ ଏକ ମର୍ଯ୍ୟଦା ସଂପନ୍ନ ସମର୍ପିତ ଦିବସ । ଏହ ଦିବସ ପାଳନର ଅନ୍ତରାଳେ ଦୁଃଖଦ କାହାଣୀମାନ ଅଛି ।
୧୮୫୦ ମସିହା ପୂର୍ବରୁ ଶ୍ରମିକମାନଙ୍କ ପାଇଁ କୌଣସି ଶ୍ରମନୀତି ବା ଖସଡ଼ା ନଥିଲା । ଏଣୁ ଶ୍ରମିକମାନେ ପୃଥିବୀରେ ସର୍ବତ୍ର ବିଶେଷ କରି ଆମେରିକା ପରି ପାଶ୍ଚାତ୍ୟ ରାଷ୍ଟ ତଥା ଇଉରୋପ ପରି ରାଷ୍ଟ୍ରମାନଙ୍କରେ ସାଂଘାତିକ ଭାବେ ଶୋଷିତ ହେଉଥିଲେ । ଯେଉଁ ଆମେରିକାରୁ ରାଷ୍ଟ୍ରପତି ଆବ୍ରାହିମ୍ ଲିଙ୍କନ କ୍ରୀତଦାସଙ୍କ ମୁକ୍ତିପାଇଁ ଗୁଳିଚୋଟରେ ପ୍ରାଣ ଦେଲେ, ସେହି ଦେଶର ଶ୍ରମିକମାନେ ବିଶେଷଭାବରେ ନିଷ୍ପେସିତ, ଦଳିତ ଓ ମଥିତ ଥିଲେ । ସେମାନେ ଥିଲେ ଖଟିଖିଆ, ସର୍ବହରା, ଦିନ ମଜୁରିଆ ଏବଂ ନିର୍ଯାତିତ । ସୂର୍ଯ୍ୟୋଦୟରୁ ସର୍ଯ୍ୟାସ୍ତ ଯାଏଁ ଥିଲା ତାଙ୍କ ଖଟଣି । ସେମାନଙ୍କ ପ୍ରତି କାହାର ଦୟା ନଥିଲା, ସେମାନଙ୍କୁ ପଶୁପରି ଖଟାଯାଉଥିଲା । ଖଟଣିପାଇଁ ନାର୍ଯ୍ୟ ମଜୁରିବି ନଥିଲା । ଖଟିଖଟି ଅକାଳ ବାର୍ଦ୍ଧକ୍ୟ ଭୋଗୁଥିଲେ କି ରୋଗାକ୍ରାନ୍ତ ଥିଲେ ଅଥବା ମରିଗଲେ ବି କିଛି ସାହାଯ୍ୟ ବା କ୍ଷତିପୂରଣ ନଥିଲା । ଅନ୍ୟପକ୍ଷରେ ତାଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟପ୍ରତି ଆଖି ବୁଜି ଦିଆଯାଉଥିଲା । ସମାଜର ସେମାନେ ଥିଲେ ନିମ୍ନସ୍ତରରେ, ଅପ୍ରୀତିକର ପରିସ୍ଥତିରେ ପୋକମାଛିପରି କାଟୁଥିଲେ ଜୀବନ ।
ପଦମଥିତ, ଶୋଷିତ ଏବଂ ବ୍ୟଥିତ ଗୋଷ୍ଠୀକୁ କେତେଦିନ ଆଉ ଦବେଇ ରଖିପାରନ୍ତେ ପୁଞ୍ଜିପତି ଓ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ । ସେମାନଙ୍କ ବିରୁଦ୍ଧରେ ପ୍ରଥମକି ସ୍ୱର ଉଠିଲା ୧୮୦୬ ମସିହାରେ : ଆମକୁ ନ୍ୟାର୍ଯ୍ୟ ଅଧିକାର ଦିଅ । ଶ୍ରମ ବିନମୟେ ଯଥାର୍ଥ ମଜୁରିଦିଅ; ଆମ ଖଟଣି ସମୟ ଆଠ ଘଣ୍ଟାରେ ସୀମାବଦ୍ଧକର; ଆଠଘଣ୍ଟା ଆମ ପାଇଁ ଚିନ୍ତିବାକୁ ଦିଅ ଏବଂ ଆଠଘଣ୍ଟା ବିଶ୍ରାମ ପାଇଁ ଦିଅ; ଆମକୁ ଗୋତି ବା କ୍ରୀତଦାସରୁ ବି ମୁକ୍ତି ଦିଅ ଏବଂ ସର୍ବୋପରି ଆମ ସ୍ୱାର୍ଥକୁ ଯଥାର୍ଥ ଶ୍ରମ ଆଇନ ତିଆରି କର; ଏ ଅନ୍ଧାକାନୁନ୍ ଓ ନିର୍ଯାତନା ବନ୍ଦକର । ଚାଲିଲା ସଂଗ୍ରାମ; ଏଥିକୁ ଇନ୍ଧନ ଯୋଗାଇଲେ କାର୍ଲ ମାର୍କସ ଏବଂ ତାଙ୍କ ବଂଧୁ ମାଇକେଲ ଆଞ୍ଜେନସ୍ ତାଙ୍କ ଦର୍ଶନ ସାମ୍ୟବାଦୀ ଇସ୍ତାହାର ମାଧ୍ୟମରେ । ଖଟିଖିଆ, ସର୍ବହରା ଜାଗିଉଠ । ବିନା ଲଢ଼େଇରେ ମୁକ୍ତି ନାହିଁ । ଚାଲୁ ଆନ୍ଦୋଳନ; ଶ୍ରମିକ ଏକତା ଜିନ୍ଦାବାଦ୍ ।
୧୮୮୪ ମସିହାରେ ଆମେରିକା ଫୋଡ଼େରେସନ ଅଫ୍ ଲେବର ନିଷ୍ପତ୍ତିକ୍ରମେ ୧୯୮୬ ମେ ୧’ରୁ ଚିକାଗୋ ହେ ମାର୍କେଟଠାରେ ବିଧିବଦ୍ଧ ଆନ୍ଦୋଳନ ଆରମ୍ଭ ହେଲା । ଅଥଚ ସରକାର ଏହି ନିରସ୍ତ୍ର ଶ୍ରମିକମାନଙ୍କ ଉପରେ କମାଣ ଓ ଗୁଳି ଚଳାଇ ଶ୍ରମିକମାନଙ୍କୁ ହତ୍ୟା ଓ ଆହତ କରି ରକ୍ତର ସ୍ରୋତ ବୁହାଇଦେଲେ । ସେହି ରକ୍ତର ଛିଟା ବହନ କରିଥିବା ଶ୍ରମିକମାନଙ୍କର ସାର୍ଟଥିଲା ଆନ୍ଦୋଳନର ପ୍ରତୀକ; ଶ୍ରକିମପତାକା । ଶ୍ରମିକ ଦିବସର ସ୍ମୃତି ସ୍ମାରକୀ । ଶ୍ରମିକନେତା ସ୍ୱାଇନ୍, ଫିସର, ଏଙ୍ଗେଲ ଓ ପିୟର୍ସ ଫାଶୀ ପାଇଲେ । ପରବର୍ତ୍ତୀ ସମୟରେ୧୮୯୦ ମସିହା ମେ ୧’ ତାରିଖକୁ ଆନ୍ତର୍ଜାତିକ ଶ୍ରମିକ ଦିବସ ବା ‘ମେ ଡେ’ ରୂପେ ଘୋଷଣା କରାଗଲା ଏବଂ ପ୍ରତିବର୍ଷ ଏହି ଦିବସଟିକୁ ଆନ୍ତର୍ଜାତିକ ଦିବସ ରୂପେ ପାଳିତ ହୁଏ ସମଗ୍ର ବିଶ୍ୱରେ ।
ଏକଥା ସତ୍ୟ ଯେ ଏ ଖଟିଖିଆ ମାନେହିଁ ଆଜିର ଯୁଗର ନିର୍ମାତା । ତାଙ୍କ ଶ୍ରମବିନା କୃଷି, ଶିଳ୍ପ, କୋଉ ଯୋଜନା । ପରିକଳ୍ପନା ସମ୍ଭବ ନୁହେଁ । ଏପରିକି ଆଜିର ବିଜ୍ଞାନ ଓ ଯନ୍ତ୍ରଯୁଗରେ ସେମାନଙ୍କର ଆବଶ୍ୟକତା ରହିଛି; ତାଙ୍କରି ଝାଳରେ ଆଜିର ସକଳ କୋଣାର୍କ ନିର୍ମାଣ ଚାଲିଛି । ତାଙ୍କରି ଆନ୍ଦୋଳନ ବା ହରତାଳ ଆମର ପ୍ରଭୃତ କ୍ଷତି କରାଇ ସବୁ ଅଗ୍ରଗତି, ପ୍ରଗତି ତଥା କ୍ରିୟାଶୀଳତାକୁ ଠପ୍ କରିଦେବ; ସର୍ବହରା, ଖଟିଖିଆ, ହତାସିଆ ତଥା ନିର୍ଯାତିତ ଶ୍ରମିକମାନେ ଏ ଜାତିର ଅର୍ଥନୀତି ଓ ପ୍ରଗତୀଶୀଳର ମେରୁଦଣ୍ଡ । ଏହି କାରଣରୁ ସବୁରି ଉଦ୍ଧ୍ୱର୍ରେ ସେମାନଙ୍କ ସ୍ୱାର୍ଥପ୍ରତି ଆମେ ସଚେତନ ହେବା ଉଚିତ୍ ।
ଏବେ ଶ୍ରମିକ ଓ ମାଲିକଙ୍କ ଦ୍ୱିପାକ୍ଷିକ ରାଜିନାମାରେ ଆନ୍ତର୍ଜାତିକ ସଂଗଠନ ଗଠିତ ହୋଇଛି । ଆମ ଦେଶରେ ମଧ୍ୟ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ଶ୍ରମ କମିଶନ ରହିଛି ଏବଂ ୧୯୨୬ ମସିହାରୁ ଶ୍ରମିକମାନଙ୍କୁ ସଂଗଠିତ କରିବାରେ ଆଇନମାନ ପ୍ରଣୟନ ହୋଇଛି । ୧୯୪୮ ମସିହାରେ ଆମ ସରକାର ଶ୍ରମିକମାନଙ୍କ ପାଇଁ ମଜୁରିବୋର୍ଡ଼ ପ୍ରଣୟନ କଲେ । ଏମିତିରେ ମଜୁରି ପ୍ରଦାନ ଆଇନ୍, ଶିଳ୍ପ ପ୍ରଦାନ ଆଇନ, ସର୍ବନିମ୍ନ ମଜୁରି ଆଇନ, ବୋନସ୍ ଆଇନ୍ କାରଖାନା ଆଇନ୍, ଶ୍ରମଜୀବୀ ପ୍ରଣତୀ ଆଇନ ଓ କର୍ତ୍ତବ୍ୟ ବେଳେ ମୃତାହତ ପାଇଁ କ୍ଷତିପୂରଣ ଆଇନ ରହିଛି । ଏହା ବ୍ୟତୀତ ଗୋତି ପ୍ରଥା ଉଚ୍ଛେଦ ତଥା ଶିଶୁ ଶ୍ରମିକ ନିୟୋଜନ ଉଚ୍ଛେଦ ପାଇଁ ଆଇନ ମାନମଧ୍ୟ ରହିଛି ।
କଥାଟି ହେଲା ଆଇନରେ ଅନେକ କଥା ରହିଛି ଅଥଚ ଏହାର କାର୍ଯ୍ୟକାରିତା ଠିକ୍ ଚାଲିଛିତ? ଏବେବି ତ ଗୋତିପ୍ରଥା ଅଛି. ଏବେବିତ ଶିଶୁଶ୍ରମିକ ଅଛନ୍ତି; ଏବେବିତ ନିୟମ ବହିର୍ଭୁତ ଖଟଣି ଚାଲିଛି; ଏବେବିତ ଠିକା ଶ୍ରମିକମାନେ ସର୍ବନିମ୍ନ ମଜୁରି ପାଉନାହାଁନ୍ତି; ଏବେବିତ ଅନେକଙ୍କ ପାଇଁ ଚାକିରୀ ସର୍ତ୍ତାବଳୀ ନାହିଁ । ଏପରିକି ଘରୋଇ କାର୍ଯ୍ୟମାନଙ୍କରେ ନିୟୋଜନ ପାଇ ଁ ଚାକର ବାକରପାଇଁ ଯେଉଁ ନିୟମ ଅଛି ତାହା କାର୍ଯ୍ୟକାରୀ ହୁଏ ନାହି । ଆଇନ ତା’ ବାଟରେ ଆମେ ରାସ୍ତାରେ ।
ମନେରଖିବା କଥା ଯେ ଶ୍ରମଶକ୍ତି ହିଁ ଦେଶର ବୃହତ୍ତର ସ୍ୱାର୍ଥର କଲ୍ୟାଣ ସାଧନ ନିମନ୍ତେ ମାପକାଠି । ଆମେରିକା, ଇସ୍ରାଏଲ ଓ ଜାପାନପରି ଯୋଉ ଦେଶମାନେ ଏବେ ଅଗ୍ରଗତି କରିଛନ୍ତି ତା’ ମୂଳରେ ଏହି ଶ୍ରମ ଶକ୍ତିହିଁ ମୁଖ୍ୟ ।
ଉପସଂହାରରେ ଏତିକି କୁହାଯାଇପାରେ ଯେ, ‘ମେ’ ଡେ’ ବା ‘ଶ୍ରମଦିବସ’ ପାଳନ ଏକ ବିଧି ସର୍ବସ୍ୱ ନହୋଇ ଶ୍ରମିକମାନଙ୍କର ଉନ୍ନତିରେ ଏକ ସଂକଳ୍ପ ଓ ଆହ୍ୱାନର ଦିବସ ହେଉ ।

ବିପିନ ବିହାରୀ ମହାନ୍ତି

ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ