‘ଫନୀ’ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି: ଜିଲ୍ଲା ଦାୟିତ୍ୱରେ ବରିଷ୍ଠ ପ୍ରଶାସକ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ ) : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ସମ୍ଭାବ୍ୟ ବାତ୍ୟା ଫନୀର ମୁକାବିଲା ଉପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ନିଯୁକ୍ତ ବରିଷ୍ଠ ପ୍ରଶାସକ ତଥା ନିର୍ଦ୍ଦେଶକ ସ୍ୱତନ୍ତ୍ର ପ୍ରକଳ୍ପ ଶ୍ରୀ ପ୍ରେମଚନ୍ଦ ଚୌଧୁରୀ ଏହି ବୈଠକରେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ତରଫରୁ କି ଧରଣର ପ୍ରସ୍ତୁତି କରାଯାଇଛି ତା’ର ସମୀକ୍ଷା କରିଥିଲେ । ଜିଲ୍ଲାରେ ରହିଥିବା ୧୪୦ଟି ବହୁମୁଖୀ ଆଶ୍ରୟସ୍ଥଳଗୁଡିକୁ ଏଥି ନିମନ୍ତେ ପ୍ରସ୍ତୁତ କରାଯାଇଥିବା ପ୍ରକାଶ କରାଯାଇଥିଲା । ବିଶେଷ ଭାବେ ତଳୁଆ ଅଂଚଳରେ ଥିବା ବାତ୍ୟାପ୍ରବଣ ୬୩ଟି ଗ୍ରାମର ୧ଲକ୍ଷ ୪୮ହଜାର ୭୫୯ଜଣ ଲୋକଙ୍କୁ ଏସବୁ ଆଶ୍ରୟସ୍ଥଳୀରେ ଅସ୍ଥାୟୀଭାବେ ସ୍ଥାନାନ୍ତର କରାଯିବ । ଏଥିରେ ଭୋଗରାଇ ବ୍ଲକର ୫ଟି, ବାଲିଆପାଳର ୬ଟି, ବାଲେଶ୍ୱରର ୯ଟି, ବାହାନଗାର ୪ ଏବଂ ରେମୁଣାର ୩ଟି ଗ୍ରାମ ପଂଚାୟତ ଅନ୍ତର୍ଭୁକ୍ତ । ଏ ସବୁ ପଂଚାୟତର ଲୋକଙ୍କୁ ଯୁଦ୍ଧକାଳୀନ ଭିତିରେ ସ୍ଥାନାନ୍ତର ପାଇଁ ବିଡିଓମାନେ ଡାକବାଜି ଯନ୍ତ୍ର ଯୋଗେ ବ୍ୟାପକ ପ୍ରଚାର କରିବେ । ଅସ୍ଥାୟୀ ଶିବିରରେ ରିଲିଫ କୋଡ ପ୍ରକାରେ ଆଶ୍ରିତମାନଙ୍କୁ ଭୋଜନ, ପାନୀୟ ଜଳ ଯୋଗାଣ ଏବଂ ବିଜୁଳିର ବ୍ୟବସ୍ଥା କରିବେ । ସେହିପରି ଅତ୍ୟାବଶ୍ୟକୀୟ ଔଷଧପତ୍ର ଯୋଗାଣ କରାଯିବ । ଆସନ୍ନପ୍ରସବାମାନଙ୍କୁ ଆଗୁଆଭାବେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଭର୍ତି କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ସମସ୍ତ ସ୍କୁଲଗୁଡିକୁ ଲୋକଙ୍କ ଆଶ୍ରୟ ନିମନ୍ତେ ଖୋଲା ରଖିବାକୁ ଏବଂ ଏଥିରେ ସହାୟତା ପାଇଁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି । ସେହିପରି ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ମଧ୍ୟ ଥଇଥାନ ନିମନ୍ତେ ଜରୁରୀକାଳୀନ ଭାବେ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏସବୁର ଟିକିନିଖି ଯୋଜନା ପ୍ରସ୍ତୁତ କରି ସେ ସବୁର ନୋଡାଲ ଅଧିକାରୀମାନଙ୍କ ଯୋଗାଯୋଗ ନମ୍ବର ଜିଲ୍ଲା ଜରୁରୀକାଳୀନ ବିଭାଗକୁ ଜଣାଇବାକୁ ଶ୍ରୀ ଚୌଧୁରୀ ପରାମର୍ଶ ଦେଇଥିଲେ । ସତର୍କତାମୂଳକ ପଦକ୍ଷେପ ଭାବେ ସହର ଓ ଗ୍ରାମାଂଚଳରେ ଲାଗିଥିବା ହୋର୍ଡିଂ ଓ ବ୍ୟାନରଗୁଡିକୁ ହଟାଇବା, ନର୍ଦ୍ଦମାଗୁଡିକୁ ଆବର୍ଜନାମୁକ୍ତ କରିବା, ଭଙ୍ଗା ବିଦ୍ୟୁତ ଖୁଂଟ ବଦଳାଇବା ଇତ୍ୟାଦି କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମାଂଚଳରେ ବିଡିଓମାନେ ସ୍ୱେଚ୍ଛାସେବୀମାନଙ୍କୁ ଏଥି ପାଇଁ ପ୍ରସ୍ତୁତ କରିବା ଏବଂ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହାୟତାରେ ବାତ୍ୟାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବାତ୍ୟା ନିମନ୍ତେ ଚୂଡା,ଗୁଡ ଆଦି ଶୁଖିଲା ଖାଦ୍ୟ ମହଜୁଦ୍ କରି ବିଭିନ୍ନ ରିଟେଲ କେନ୍ଦ୍ରରେ ଉପଲବଧ କରିବା, ସେହିପରି କିରୋସିନ ମଧ୍ୟ ଉପଲବ୍ଧ କରିବାକୁ କୁହାଯାଇଛି । ଏଥି ସହିତ ସମସ୍ତ ଗୃହପାଳିତ ପଶୁମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପଦକ୍ଷେପ ନେବା ଲାଗି ପରାମର୍ଶ ଦିଆଯାଇଛି । ଜିଲ୍ଲାରେ ଥିବା ଓଡ୍ରାଫ, ଏନଡିଆରଏଫ ଟିମଗୁଡିକ ଅଗ୍ନିଶମ ବିଭାଗ ସହ ସମନ୍ୱୟ ରକ୍ଷା କରି ବିଭିନ୍ନ ଟିମ୍ରେ ବିଭକ୍ତ ହୋଇ ବିଭିନ୍ନ ସ୍ଥାନରେ ମୁତୟନ ହେବେ । ରାସ୍ତା ସୁଗମ କରିବା ପାଇଁ ରାସ୍ତା ଓ ଗୃହ, ଗ୍ରାମାଂଚଳ ବିକାଶ ବିଭାଗ ଆଗୁଆ ଭାବେ ପ୍ରୋକ୍ଲିନ ମେସିନ ବରାଦ କରି ବିଭିନ୍ନ ସ୍ଥାନରେ ମୁତୟନ ରଖାଯିବ । ବିଏସଏନଏଲ ତରଫରୁ ତୁରନ୍ତ ଯୋଗାଯୋଗ ପୁନଃସ୍ଥାପନ ନିମନ୍ତେ ପଦକ୍ଷେପ ନେବାକୁ କୁହାଯାଇଛି । ବିଦ୍ୟୁତ ବିଭାଗ ଦ୍ୱାରା ୨୫ଟି ଗ୍ୟାଙ୍ଗ ଗଠନ କରାଯାଇ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକସ୍ଥଳେ ଏମାନେ ତୁରନ୍ତ ବିଦ୍ୟୁତ ସରବରାହ ପୁନଃପ୍ରତିଷ୍ଠା କାର୍ଯ୍ୟ ନିର୍ବାହ କରିବେ । ଫନୀ ବାତ୍ୟାରେ ଯେପରି କୌଣସି ପ୍ରକାର ଧନଜୀବନ ହାନୀ ନ ଘଟେ ସେଥିପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି । ଗତକାଲି ସମସ୍ତ ଆଶ୍ରୟସ୍ଥଳର କର୍ମକର୍ତାମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସେମାନଙ୍କୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ, ଏଡିଏମ ଶ୍ରୀ ସମ୍ବିତ ନାୟକ, ପିଡି ଶ୍ରୀ ତ୍ରିଲୋଚନ ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ନୀଳଗିରି ଶ୍ରୀ ବିଶାଲ ସିଂହଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର, ଲାଇନ ଡିପାର୍ଟମେଂଟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।