ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଡ୍ରେନେଜ୍‍ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଆସିକା (ୱାଇଏନ୍‍ଏସ୍‍) : ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଆସୁଥିବା ରୋଗୀମାନଙ୍କୁ ଉନ୍ନତମାନର ଚିକିତ୍ସାସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶକ୍ରମେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ବହୁବିଧ ସ୍ୱାସ୍ଥ୍ୟ କଲ୍ୟାଣକାରୀ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି । ଅପର ପକ୍ଷରେ ଆସିକା ଉପଖଣ୍ଡ ଚିକିତ୍ସାଳୟ ବର୍ହିପାଶ୍ୱର୍ରେ ବିପର୍ଯ୍ୟସ୍ତ ଡ୍ରେନେଜ୍‍ ବ୍ୟବସ୍ଥା ଯୋଗୁଁ ଲଘୁଚାପଜନିତ ଲଗାଣ ବର୍ଷାରେ ଉଦ୍‍ବୃତ୍ତ ବର୍ଷାଜଳ ନିଷ୍କାସନ ହୋଇନପାରି ପ୍ରବେଶପଥ ନିକଟରେ ଘଣ୍ଟା ଘଣ୍ଟା ଧରି ବର୍ଷାପାଣି ଲହୁଡି ମାରୁଥିବା ଯୋଗୁଁ ସର୍ବସାଧାରଣଙ୍କ ଯାତାୟତରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଏପରିକି ଜରୁରୀ ଆବଶ୍ୟକତା ସମୟରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀଙ୍କୁ ଠାରୁ ଆରମ୍ଭ କରି ରୋଗୀ ଏବଂ ସେମାନଙ୍କ ସଂପର୍କୀୟ ପ୍ରବେଶପଥ ନିକଟରେ ଜମାଟ ବାନ୍ଧି ରହୁଥିବା ଉକ୍ତ ଦୂଷିତ ଜଳ ଉପରେ ପାଦ ଥାପି ଯାତାୟତ କରୁଥିବା ଅଭିଯୋଗ ହେଉଛି । ଲଘୁଚାପଜନିତ ଲଗାଣ ବର୍ଷାରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ଡ୍ରେନେଜ୍‍ ବ୍ୟବସ୍ଥା ଯୋଗୁଁ ବର୍ଷାଜଳ ନିଷ୍କାସିତ ହୋଇନପାରି ସର୍ବସାଧାରଣଙ୍କ ଯାତାୟତ ପାଇଁ ଉଦ୍ଦିଷ୍ଟ ପ୍ରବେଶପଥରେ ଦୀର୍ଘ ସମୟ ଧରି ବର୍ଷାପାଣି ଲହୁଡି ମାରୁଥିବା ଦେଖିବାକୁ ମିଳିଥିଲା । ଏପରିକି ବର୍ଷାପାଣି ଘଣ୍ଟାଘଣ୍ଟା ଧରି ଜମାଟ ବାନ୍ଧି ରହିବାରୁ ପୁତିଗନ୍ଧମୟ ପରିବେଶ ମଧ୍ୟ ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ପ୍ରବେଶପଥ ନିକଟରେ ଖାଲଖମାରେ ବର୍ଷାଜଳ ନିଷ୍କାସନ ନ ହୋଇ ଲହୁଡି ମାରୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ କରିବା ଦିଗରେ ବିଭାଗୀୟ ଯନ୍ତ୍ରୀଙ୍କ ଉଦାସୀନ ମନୋବୃତ୍ତିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଉପଖଣ୍ଡ ଚିକିତ୍ସାଳୟର ପ୍ରବେଶପଥ ନିକଟରେ ମାସ ମାସ ଧରି ଲାଗିରହିଥିବା ବିପର୍ଯ୍ୟସ୍ତ ଡ୍ରେନେଜ୍‍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ସହ ବର୍ଷାଜଳ ନିଷ୍କାସନ ପଥକୁ ସୁଗମ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ