ସରକାରୀ ନିୟମକୁ ମାନୁ ନାହାନ୍ତି ଶିକ୍ଷକ ଓ ଅଧ୍ୟାପକ,ବଢିଚାଲିଛି ଘରୋଇ କୋଚିଂ ସେଣ୍ଟର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ)ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଉପରେ ଲଗାମ୍ ଲଗାଇବା ସହିତ ବେଆଇନ କୋଚିଂ ସେଣ୍ଟର ମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ବିଭିନ୍ନ ଆଇନ ପ୍ରଣୟନ କରୁଛନ୍ତି । ହେଲେ ସେସବୁ କାର୍ୟ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି । ଫଳରେ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଅଦ୍ୟାବିଧି ଦିଗପହଣ୍ଡି ଏନଏସି ଓ ବ୍ଳକ ଏବଂ ସାନଖେମୁଣ୍ଡି ବ୍ଳକାଞ୍ଚଳରେ ବେଆଇନ ଭାବେ ଅଣ ପଞ୍ଜିକୃତ ଶିକ୍ଷାନୁଷ୍ଠାନ (କୋଚିଂ ସେଣ୍ଟର) ଗୁଡିକ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବିଧିବଦ୍ଧ ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସରକାରୀ ଶିକ୍ଷକ ଓ ଅଧ୍ୟାପକ ମାନେ ମଧ୍ୟ କୋଚିଂ ସେଣ୍ଟର ଗୁଡିକରେ ନ୍ୟସ୍ତ ରହି ନିଜ ନିଜ ବ୍ୟବସାୟ ଚଳାଉଥିବା ଅଭିଯୋଗ ହୋଇଛି । ଓଡିଶା ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶାଳୟର ପତ୍ରାଙ୍କ ୧୧୯୮୦,୩୦-୦୩-୨୦୧୭ ପ୍ରକାରେ କୌଣସି ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ବେସରକାରୀ ଭାବେ କୋଚିଂ ସେଣ୍ଟରରେ ଶିକ୍ଷାଦାନ କାର୍ୟ୍ୟରେ ନିଜକୁ ନ୍ୟସ୍ତ କରିପାରିବେ ନାହିଁ । ପ୍ରମାଣିତ ସାବ୍ୟସ୍ତ ହେଲେ ସେଥି ଉପରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତକ୍ରାଳୀନ ଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଏନେଇ ଏକ ନିର୍ଦ୍ଦେଶ ଜାରି କରିଥିଲେ । ସମସ୍ତ ଜିଲା ଶିକ୍ଷାଧିକାରୀ ଏବଂ ଜିଲାପାଳଙ୍କୁ ଏହାରି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ହୋଇଥିଲା । ହେଲେ ନିର୍ଦ୍ଦେଶାନାମାକୁ ଦୀର୍ଘ ଦିନ ଅତିବାହିତ ହୋଇଯାଇଥିଲେ ହେଁ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି । ଉଚ୍ଚଶିକ୍ଷା ବିଭାଗ ନିୟମାନୁସାରେ କୋଚିଂ ସେଣ୍ଟର ଚଲାଇବା ପୂର୍ବରୁ ଏହାକୁ ପଞ୍ଜିକୃତ କରିବା ବାଧ୍ୟତା ରହିଛି । ପଞ୍ଜିକୃତ ହେବା ପୂର୍ବରୁ ଗଭର୍ଣ୍ଣଂ ବଡି ପ୍ରସ୍ତୁତ କରିବା ପରେ ଅନ୍ ଲାଇନ୍ ଡାଟା ବେସ୍ ଅପ୍ଟୁ ଡେଟ୍ କରିବା ପରେ ତାଙ୍କୁ ସରକାରୀ ସ୍ୱୀକୃତି ପ୍ରମାଣ ପତ୍ର ପ୍ରଦାନ କରାଯାଇଥାଏ । ସେହିପରି ସେଠାରେ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବାର ବ୍ୟବସ୍ଥା ସହିତ ପ୍ରତ୍ୟେକ କର୍ମଚାରୀଙ୍କ ଦରମା ଫିକ୍ସ କରିବାକୁ ବାଧ୍ୟତା ରହିଛି । ସେହିପରି କୋଚିଂ ସେଣ୍ଟରକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ସହିତ ଗୋଟିଏ ବ୍ୟାଚ୍ରେ ୪୦ ଜଣଙ୍କ ଠାରୁ ଅଧିକା ଯେପରି ରହିବେ ନାହିଁ ସେଥି ନେଇ ଗୁରୂତ୍ୱାରୋପ ଦିଆଯାଇଛି । ଓଡିଶା ରାଜ୍ୟ ଶିକ୍ଷା ଅଧିନିୟମ ୨୦୧୦ ପ୍ରକାରେ ସମସ୍ତ ଅଣ ପଞ୍ଜିକୃତ କୋଚିଂ ସେଣ୍ଟର ମାନଙ୍କୁ ପଞ୍ଜିକୃତ କରିବାକୁ ବାଧ୍ୟତା ରହିଥିବା ବେଳେ ସରକାରୀ ଶିକ୍ଷକ ଓ ଅଧ୍ୟାପିକା ମାନେ କୌଣସି ମୁହୁର୍ତ୍ତରେ ହେଲେ ମଧ୍ୟ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ଘରୋଇ ଶିକ୍ଷାଦାନ କରିବାକୁ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି । ସେହିପରି ସ୍କୁଲ ଓ କଲେଜ ସମୟରେ କୋଚିଂ ସେଣ୍ଟର ମାନଙ୍କରେ କ୍ଳାସ୍ କରିପାରିବେ ନାହିଁ ବୋଲି ବାଧ୍ୟତା ରହିଛି । ହେଲେ ଏହି ନିୟମକୁ ଫୁ କରି ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକାଞ୍ଚଳର ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ମାନେ ବେଆଇନ ଭାବେ ବିଭିନ୍ନ ସ୍ଥାନରେ ଘରୋଇ ଟ୍ୟୁସନ୍ ମାନ କରି ଅର୍ଝ ଜୁଲମ କରି କୋଚିଂ ସେଣ୍ଟର ଚଳାଉଥିବା ପରିଲକ୍ଷିତ ହୋଇଛି । ଏହାରି ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି । ସମ୍ପ୍ରତ୍ତି ଶିକ୍ଷା ବର୍ଷ ପାଇଁ ଅନ୍ ଲାଇନ୍ ମାଧ୍ୟମରେ ଆଡ୍ମିଶନ ଋତୁ ଆରମ୍ଭ ହୋଇଯାଇଛି । ଏହି ସମୟରେ କୋଚିଂ ସେଣ୍ଟର ମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରଲୋଭନ ଓ ଚାପ ପକାଇ ସରକାରୀ ଶିକ୍ଷକ ଓ ଅଧ୍ୟାପକ ମାନେ ନିଜ ନିଜ କୋଚିଂ ସେଣ୍ଟରକୁ ପିଲାମାନଙ୍କୁ ଆକୃଷ୍ଟ କରୁଥିବା ନଜିର୍ ମିଳିଛି ।


