ବିଧବା ମହିଳାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ପୁରୁଷୋତ୍ତମପୁର ଥାନା ଅଧୀନ ଜଣେ ବିଧବା ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଏକ ମାମଲା ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରା କୋର୍ଟରେ ଆଜି ବିଚରଣା ହୋଇଛି । ଅତିରିକ୍ତ ଜିଲ୍ଲା ଜଜ୍ ଶିଖାରାଣୀ ରଥ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଟୋ ଚାଳକ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୩ ଜଣ ସାକ୍ଷ୍ୟ,୨୪ ଟି ଦସ୍ତାବେଜ, ୫ ଗୋଟି ବଳିଷ୍ଟ ତଥ୍ୟ ଓ ଅନ୍ୟ ପ୍ରମାଣକୁ ବିଚାର କରି ବିଚାରପତି ମହିଳାଙ୍କୁ ଗଣ ଦୁଷ୍କର୍ମ ଏବଂ ହତ୍ୟା ଧମକ ନିମନ୍ତେ ଉଦ୍ଦିଷ୍ଟ ଦଣ୍ଡରେ ସମା ଗ୍ରାମର ଅଭିଯୁକ୍ତ ଅଟୋ ଚାଳକ ବୁଲୁ ଓରଫ୍ ସନ୍ତୋଷ ବିଶ୍ୱାଳ, ତାରାତାରିଣୀ ଛକର ମନୋଜ କୁମାର ସାହୁ, ଗୋବିନ୍ଦପୁର ଗ୍ରାମର କୃଷ୍ଣଚନ୍ଦ୍ର ବେହେରା ଏବଂ ରାଇପୁର ଗ୍ରାମର ସୁରେନ୍ଦ୍ର କୁମାର ଦାସଙ୍କୁ ଭାରତୀୟ ପିଙ୍ଗଳ କୋଡ ଦଫା ୩୭୬(ଡି) ଅନୁସାରେ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୩୦ ହଜାର ଜରିମାନା ଅନାଦେୟରେ ୬ ମାସ ଅତିରିକ୍ତ ଜେଲଦଣ୍ଡ ଏବଂ ଗଣ ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା ଧମକ ନିମନ୍ତେ ୫୦୬ ଦଫା ଅନୁସାରେ ମାନ୍ୟବର ବିଚାରପତି ୨ ବର୍ଷ ଜେଲ ଦଣ୍ଡାଦେଶ ଘୋଷଣା କରିଛନ୍ତି । ଅଭିଯୁକ୍ତଙ୍କ ଉପରେ ରହିଥିବା ଅନ୍ୟାନ୍ୟ ଦଫା ୫୦୦/ ୨୯୨/ ୪ (ମହିଳାଙ୍କୁ ଆଶାଳିନ ପ୍ରଦର୍ଶନ) ନିମନ୍ତେ ବିଚରଣା ବେଳେ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କ ପକ୍ଷ ରହିଥିଲା । ସରକାରଙ୍କ ପକ୍ଷରୁ କ୍ୟାଡର୍ ଏପିପି ଶରତ ଚନ୍ଦ୍ର ପ୍ରଧାନ ଓ ଏପିପି ଡମିନାଥ ସାହୁ ମାମଲା ପରିଚାଳନା କରିଥିଲେ । ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ପକ୍ଷରୁ ମକଦ୍ଦମା ଲଢୁଥିବା ଓକିଲ ଦିଲ୍ଲୀପ କୁମାର ପଟ୍ଟନାୟକ ପୀଡିତାଙ୍କ ବୟାନକୁ ନେଇ ୩୧୦ ସିଆରପିସିରେ ଏକ ପିଟିସନ୍ ଦାଖଲ କରିଥିଲେ । ବିଚାରପତି ଏହାର ଶୁଣାଣି କରି ରଦ୍ଦ କରିଥିଲେ । ଫଳରେ ଏହାକୁ ନେଇ ଉଚ୍ଚ ନ୍ୟାୟଳୟର ଆଶ୍ରୟ ନେବୁ ବୋଲି ସେ ଜଣାଇଛନ୍ତି ।
ପ୍ରକାଶ ଥାଉକିଯେ, ୨୦୧୩ ମସିହା ଅପ୍ରିଲ ୨୭ ତାରିଖ ସକାଳ ୯ ଘଣ୍ଟା ସମୟରେ ବିଧବା ମହିଳା ଜଣଙ୍କ ନିଜ ଗ୍ରାମରୁ ତରାତାରିଣୀ ମନ୍ଦିର ଦର୍ଶନ ସକାଶେ ଯାଉଥିବା ବେଳେ ପୁରୁଷୋତ୍ତମପୁର ଠାରୁ ଅଟୋ ରିକ୍ସା ଚାଳକ ବୁଲୁ ଓରଫ୍ ସନ୍ତୋଷ ବିଶ୍ୱାଳ ତାଙ୍କୁ ମନ୍ଦିରରେ ଛାଡି ଦେବାକୁ କହିଥିଲେ । ତରାତାରିଣୀ ମନ୍ଦିର ନିକଟରେ ନ ଛାଡି ନିକଟସ୍ଥ ପାନ୍ଥଶାଳାର ନୀଳଗିରୀ ଗଛ ପାଖରେ ଓହ୍ଲାଇଦେଇଥିଲା । ପରେ ଫୋନ୍ ଦ୍ୱାରା ତାରାତାରିଣୀ ଛକର ମନୋଜ କୁମାର ସାହୁ, ଗୋବିନ୍ଦପୁର ଗ୍ରାମର କୃଷ୍ଣଚନ୍ଦ୍ର ବେହେରା ଏବଂ ରାଇପୁର ଗ୍ରାମର ସୁରେନ୍ଦ୍ର କୁମାର ଦାସଙ୍କୁ ଡକାଇଥିଲା । କିଛି ସମୟ ମଧ୍ୟରେ ଉକ୍ତ ତିନିଜଣ ପହଞ୍ଚି ଜୋରଜବରଦସ୍ତ ବିଧବା ମହିଳାକୁ ଟାଣି ନେଇ ଗଣ ଦୁଷ୍କର୍ମ କରିଥିଲେ ଏବଂ ଏଶବୁ ଘଟଣା ମୋବାଇଲରେ ଉତ୍ତୋଳନ କରି ପରେ ଏହାକୁ ଭାଇରଲ କରାଇଥିଲେ । ଅଟୋ ଚାଳକ ଏସବୁ ଦେଖିଥିଲେ ସୁଦ୍ଧା ପ୍ରତିରୋଧ କରି ନଥିଲା । ଘଟଣା ଘଟାଇ ସାରିଲା ପରେ ଅଟୋ ଚାଳକ ପୁନଃ ପିଡିତାକୁ ନେଇ ପୁରୁଷୋତ୍ତମପୁର ଛାଡି ଦେଇଥିଲା ଓ ଘଟଣା ସଂପର୍କରେ କାହା ଆଗରେ ନ କହିବାକୁ ଧମକ ଦେଇଥିଲା । ପିଡିତା ଜଣେ ବିଧବା ଏବଂ ଏକ ଛୋଟ ଛୁଆର ମାଆ ହୋଇଥିବାରୁ ଅଭିଯୁକ୍ତମାନଙ୍କ ଭୟରେ ଦୀର୍ଘ ୭ ଦିନ ପରେ ଥାନାରେ ଏକ ରିପୋର୍ଟ ଦେଇଥିଲେ । ପୁରୁଷୋତ୍ତମପୁର ଥାନା ପକ୍ଷରୁ ୯୫/୨୦୧୩ ଏକ ମାମଲା ରୁଜୁ କରି ସବ୍ଇନ୍ସପେକ୍ଟର ଅମ୍ବିକା ବେଣିଆ ତଦନ୍ତ କରି ଅଟୋ ଚାଳକ ସମେତ ୪ ଜଣ ଅଭିଯୁକ୍ତକୁ ୨୦୧୩ ମସିହା ମଇ ୭ ତାରିଖରେ ଜେଲ ପଠାଇଥିଲେ ।


