ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କଲା ଚୀନ
ବେଜିଂ: ଚୀନରେ ଭୟଙ୍କର ରୂପ ନେଇଥିବା କରୋନା ଭାଇରସର ମୁକାବିଲା ପାଇଁ ସରକାର ସବୁ ପ୍ରୟାସ ଜାରି ରଖିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୪୪୨ରେ ପହଞ୍ଚିଛି । ଚୀନରେ କେବଳ ହୁୱେଇ ପ୍ରଦେଶରେ ୨୩୪୬ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି । ଏବେ ହୁୱେଇରେ ପ୍ରାୟ ୬୫ ହଜାର ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ଏବଂ ଲକ୍ଷାଧିକ ସନ୍ଦିଗ୍ଧଙ୍କୁ ଯାଞ୍ଚ ବ୍ୟବସ୍ଥାରେ ରଖାଯାଇଛି । କରୋନା ମୁକାବିଲା ପାଇଁ ଚୀନର କମୁ୍ୟନିଷ୍ଟ ସରକାର ଦେଶରେ ସବୁଠାରୁ ବଡ଼ ଏବଂ ଜରୁରୀ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଛନ୍ତି । ଚୀନର ପ୍ରତ୍ୟେକ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ହୁୱେଇ ପ୍ରଦେଶର ୧୫ ହଜାରରୁ ଅଧିକ ଆକ୍ରାନ୍ତ ଠିକ ହୋଇ ଫେରିଥିବାରୁ ଭାଇରସ ନିୟନ୍ତ୍ରଣ ହୋଇପାରିବା ଆଶା ବଳବତ୍ତର ହୋଇଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କରୋନା ମୁକାବିଲା ପାଇଁ ସବୁ ସ୍ତରରେ ଲୋକେ ଏକଜୁଟ ହେବାକୁ ଆହ୍ୱାନ ଦେବା ସହ ଏ ଦିଗରେ ବିଶ୍ୱ ସମୁଦାୟର ସହାୟତା ଲୋଡ଼ିଛନ୍ତି । ଚୀନରେ କରୋନା ଯେଭଳି ଭୟାନକ ସ୍ଥିତି ସୃଷ୍ଟି କରିଛି ସେଥରୁ ସରକାର ଶିକ୍ଷା ଗ୍ରହଣ କରିଛନ୍ତି । ଏହି ରୋଗର ସଫଳ ମୁକାବିଲା ପାଇଁ ଯେଉଁ ପ୍ରୟାସ ଚାଲିଛି ତାହାର ସୁଫଳ ମିଳୁଛି ବୋଲି ଜିନପିଙ୍ଗ କହିଛନ୍ତି । ଏହି ଭାଇରସ ଯେଭଳି ଭାବେ ଲୋକଙ୍କୁ ସଂକ୍ରମିତ କରୁଛି ତାହାର ତୁରନ୍ତ ଚିକିତ୍ସା ସମ୍ଭବ ହୋଇପାରୁନଥିବାରୁ ସମସ୍ୟା ଅତି ଜଟିଳ ହୋଇଛି ବୋଲି ଜିନପିଙ୍ଗ ସ୍ୱୀକାର କରିଛନ୍ତି । ଇଟାଲିରେ ମଧ୍ୟ କରୋନା ପ୍ରକୋଟ ବଢ଼ି ଚାଲିଥିବାରୁ ସେଠାରେ ୧୨ଟି ସହରକୁ କଠୋର କଟକଣା ମଧ୍ୟରେ ରଖାଯାଇଛି । ଦୁଇ ଜଣଙ୍କ ମୃତ୍ୟୁ ପରେ ଆକ୍ରାନ୍ତମାନଙ୍କୁ ଖୋଜି ଖୋଜି ଠାବ କରାଯାଉଛି ।