ରାଜ୍ୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଯାଜପୁର ଅପ୍ଗ୍ରେଡ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା
ପାରଳାଖେମୁଣ୍ଡ (ତାରିଣୀ ପ୍ରସାଦ ପଣ୍ଡା) : ସହର ଉପକଣ୍ଠସ୍ଥ ଯାଜପୁର ଠାରେଥିବା ଅପ୍ଗ୍ରେଡ ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀମାନେ ରାଜ୍ୟ ସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗୀତାରେ ସଫଳତା ହାସଲକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ସିଲୁ ପ୍ରଧାନ କନିଷ୍ଠ ରେଡ୍କ୍ରସ ବିଭାଗରେ ଭୁବନେଶ୍ୱରର ରେଡକ୍ରସ ଭବନଠାରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ତୃତୀୟସ୍ଥାନ ହାସଲ କରି ଗୌରବ ଅର୍ଜନ କରିଛନ୍ତି । ସେହିପରି ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ରାଜେଶ ପଲେଇ ପାଣି ପଞ୍ଚାୟତ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଜଣାପଡିଛି । ବିଦ୍ୟାଳୟର ସୌମ୍ୟରଂଜନ ଶବର ଜାତୀୟ ସ୍ତରବୃତ୍ତି ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇ ବିଦ୍ୟାଳୟକୁ ଗୌରବ ଆଣିଛନ୍ତି । ଗତ ୨୦୧୮-୧୯ ବର୍ଷ ପାଇଁ ଅନୁଷ୍ଠିତ ହୋଇଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏହି ବିଦ୍ୟାଳୟ ଭଲ ସଫଳତା ହାସଲକରି ଜିଲାର ଶ୍ରେଷ୍ଠ ସ୍କୁଲ ଭାବେ ବିବେଚିତ ହେବାସହ ଏକଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛି । ବିଦ୍ୟାଳୟର ୮ଜଣ ମେଧାବୃତ୍ତି ଭାବେ ୫ହଜାର ଟଙ୍କା ଲେଖାଁଏ ହାସଲ କରିଥିବା ଜଣାପଡିଛି । ସେହିପରି ୪ଜଣ ପଠାଣୀ ସାମନ୍ତ ଗଣିତ ବୃତ୍ତି ପାଇଛନ୍ତି । ସେମାନେ ହେଲେ ଲକ୍ଷ୍ମୀ ନାରାୟଣ ବିଶ୍ୱାଳ, ବିଦ୍ୟାଧର ପ୍ରଧାନ, ଆଶିଷ କୁମାର କିଙ୍ଗଲ, ଫିରୋଜ ନାୟକ ପ୍ରମୁଖ । ଏହି ସମସ୍ତ ସଫଳତା ପାଇଁ ଏହି ବିଦ୍ୟାର୍ଥୀମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଂଜିତା କୁମାରୀ ପାଢୀ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ଏମାନଙ୍କର ପ୍ରଶଂସା କରିଛନ୍ତି । ବିଦ୍ୟାଳୟର ଏହିପରି ସଫଳତା ଯୋଗୁଁ ଜିଲାର ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।