ନିର୍ଭୟା ମାମଲା : ଦୋଷୀ ବିନୟର ଆଉ ଏକ ଚାଲ ପଣ୍ଡ
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ଫାଶୀ ଟାଳିବା ପାଇଁ ଚଳାଇଥିବା ଆଉ ଏକ ଚାଲ ପଣ୍ଡ ହୋଇଯାଇଛି । ବିନୟ ନିଜକୁ ଆହତ କରିବା ପାଇଁ ପିନ ଗିଳି ଦେଇଥିବା ଏବଂ ମୁହଁରୁ ରକ୍ତ ବାହାରୁଥିବା ଅଭିନୟ କରିଥିଲା ଏବଂ ଜେଲ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ସତ ବୋଲି ଧରି ନେଇଥିଲେ । ଏହାପରେ ବିନୟର ଚିକିତ୍ସା ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା । ତେବେ ଏକ୍ସରେରୁ ବିନୟ ଆଦୌ ପିନ ଗିଳିନଥିବା ଜଣାପଡ଼ିଛି ଏବଂ ତା’ର ସ୍ୱାସ୍ଥ୍ୟ ଠିକଠାକ ଥିବା ରିପୋର୍ଟରୁ ଜଣାପଡ଼ିଛି । ନିର୍ଭୟା ଦୋଷୀଙ୍କୁ ଫାଶୀରେ ଚଢ଼ାଇବା ପାଇଁ ତୃତୀୟ ଡେଥ ୱାରେଣ୍ଟ ମାର୍ଚ୍ଚ ୩ରେ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଏହା ପୂର୍ବରୁ ଦୋଷୀମାନେ ଫାଶୀ ଟାଳିବା ପାଇଁ ନାନା କୌଶଳ ଅବଲମ୍ବନ କରୁଛନ୍ତି । ତିହାର ଜେଲରେ ଥିବା ୪ ଦୋଷୀଙ୍କ ମଧ୍ୟରୁ ସବୁଠାରୁ ବେଶୀ ବିଚଳିତ ଅଛି ଦୋଷୀ ବିନୟ । ସେ ନିଜକୁ ମାନସିକ ରୋଗୀ ଦର୍ଶାଇବାକୁ ତୁହାକୁ ତୁହା ଉଦ୍ୟମ କରୁଛି, କିନ୍ତୁ ମେଡିକାଲ ରିପୋର୍ଟରୁ ତା’ର ମାନସିକ ସ୍ଥିତି ଠିକ୍ ଅଛି ବୋଲି ଜଣାପଡ଼ିଛି । ପଟିଆଲା ହାଉସ କୋର୍ଟ ମଧ୍ୟ ଏ ବାବଦରେ ବିନୟର ଆବେଦନକୁ ଖାରଜ କରିଦେଇଥିଲେ ଏବଂ ସ୍ୱାସ୍ଥ୍ୟକୁ ସେ ଡ୍ରାମା କରୁଥିବା କହୁଥିଲେ ।
ନିର୍ଭୟା ଦୋଷୀ ଫାଶୀ ଟାଳିବା ପାଇଁ ଅହରହ ଚାଲ ଚଳାଇଥିବାରୁ ଏବେ ଜେଲ କର୍ତ୍ତୃପକ୍ଷ ଅଧିକ ସତର୍କ ହୋଇଛନ୍ତି ଏବଂ ବିନୟ ଉପରେ କଡ଼ା ନଜର ରଖାଯାଇଛି । ଦୋଷୀମାନଙ୍କ ମାନସିକ ସ୍ଥିତି ସମ୍ପୂର୍ଣ୍ଣ ଠିକ୍ ଥିଲେ ମଧ୍ୟ ଯାଞ୍ଚ ସମୟରେ ସେମାନେ ନିଜକୁ ଅସୁସ୍ଥ ବୋଲି ଦର୍ଶାଉଛନ୍ତି । ଦୋଷୀଙ୍କ ପାଖରେ ଆଉ ଆଇନଗତ ବିକଳ୍ପ ନଥିବାରୁ ଜେଲ କର୍ତ୍ତୃପକ୍ଷ ଏବେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରି ଶେଷ ସାକ୍ଷାତ କରାଇବାକୁ ବ୍ୟବସ୍ଥା କରୁଛନ୍ତି ।