ସିଓଏର ମଞ୍ଜୁରୀ ଫାଇନାଲ୍ରେ ଅମ୍ପାୟାରିଂ କରିବେ ଲୋଙ୍ଗ୍
ହାଇଦ୍ରାବାଦ (ଏଜେନ୍ସି): ବ୍ରିଟିଶ୍ ଅମ୍ପାୟାର୍ ନାଇଜେଲ୍ ଲୋଙ୍ଗ୍ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ ଫାଇନାଲ୍ରେ ଅମ୍ପାୟାରିଂ କରିବେ । ପ୍ରଶାସକଙ୍କ କମିଟି (ସିଓଏ) ତାଙ୍କୁ କ୍ଲିନ୍ଚିଟ୍୍୍ ଦେଇଛି । ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପରେ କ୍ରୋଧାନ୍ୱିତ ହେବା ମାମଲାରେ ଲୋଙ୍ଗ୍ଙ୍କ ବିରୋଧରେ ବିସିସିଆଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛି ।
ଆଇସିସି ଏଲିଟ୍ ପ୍ୟାନେଲ୍ର ଅମ୍ପାୟାର୍ ଲୋଙ୍ଗ୍ ନୋ-ବଲ୍କୁ ନେଇ ବିରାଟ କୋହଲି ଓ ଉମେଶ ଯାଦବଙ୍କ ସହ ବଚସା ପରେ ଷ୍ଟାଡିୟମ୍ର ଏକ ରୁମ୍ର କବାଟକୁ କ୍ଷତି ପହଞ୍ଚାଇଥିଲେ । ସିଓଏ ଆଇପିଏଲ୍ ପରିଚାଳନା ଟିମ୍ ସହ ବିଚାରବିମର୍ଶ ପରେ ଲୋଙ୍ଗ୍ଙ୍କୁ ଫାଇନାଲ୍ରେ ମ୍ୟାଚ୍ ଅଧିକାରୀ ଭୂମିକା ତୁଲାଇବାପାଇଁ ମଞ୍ଜୁରୀ ଦେଇଛି ।
ଲୋଙ୍ଗ୍ଙ୍କ ବିରୋଧରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (କେଏସ୍ସିଏ) ଅଭିଯୋଗ କରିଥିଲା । ଏହି ଅମ୍ପାୟାର ପରେ ନିଜ ଆଚରଣ ପାଇଁ କ୍ଷମା ମାଗିଥିଲେ ଏବଂ କ୍ଷତି ଭରଣା ପାଇଁ ୫୦୦୦ ଟଙ୍କା ପୈଠ କରିଥିଲେ, ହେଲେ କେଏସ୍ସିଏ ତାଙ୍କ ଉପରେ କଟକଣା ଚାହୁଁଥିଲା । ଲୋଙ୍ଗ ଅବଶ୍ୟ ଏହାପରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟର୍ରେ ଅମ୍ପାୟାର୍ ଥିଲେ, ଯେଉଁଥିରେ ତାଙ୍କ ଆଚରଣ ସ୍ୱାଭାବିକ ଥିଲା ।


