କାର୍ଯ୍ୟକ୍ଷେତ୍ରରେ ବିତୃଷ୍ଣା ଭାବ ଏଡ଼ାଇବା ପାଇଁ ବନ୍ଧୁତ୍ବ କରନ୍ତୁ
ଆଜିକାଲି କାର୍ଯ୍ୟକ୍ଷେତ୍ରରେ ଅନେକେ ଅସନ୍ତୁଷ୍ଟ ରହୁଥିବା ପରିଲକ୍ଷିତ ହେଉଛି। ତେବେ ଏଭଳି ଲୋକଙ୍କ ବ୍ୟବହାରକୁ ନେଇ କରାଯାଇଥିବା ଗବେଷଣାରୁ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଗବେଷଣା ମୁତାବକ ସାଧାରଣତଃ ୩୫ ବର୍ଷରେ ପହଞ୍ଚିଲାବେଳକୁ ଲୋକଙ୍କର ଚାକିରି ପ୍ରତି ବିତୃଷ୍ଣା ଭାବ ଆସିଯାଏ। ଲଣ୍ଡନର ରବର୍ଟ ହାଫ୍ କମ୍ପାନୀ ଦ୍ବାରା କରାଯାଇଥିବା ଏହି ଗବେଷଣାରେ ୨୦୦୦ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା। ଗବେଷଣା ରିପୋର୍ଟରୁ ଜଣାପଡ଼ିଥିଲା ଯେ ପୁରୁଣା କର୍ମଚାରୀମାନେ ନୂଆ କର୍ମଚାରୀଙ୍କ ତୁଳନାରେ ଅଧିକ ଦୁଃଖୀ ରହୁଛନ୍ତି।
କେବଳ ସେତିକି ନୁହେଁ ୩୫ ବର୍ଷରେ ପହଞ୍ଚିବା ବେଳକୁ ପ୍ରତ୍ୟେକ ୬ ଜଣ କର୍ମଚାରୀଙ୍କ ମଧ୍ୟରେ ଜଣେ କର୍ମଚାରୀ ନିଜ ଚାକିରି ସହିତ ଖୁସି ନ ଥାନ୍ତି। ସେହିପରି ୫୫ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ସେମାନଙ୍କ କାମ ପାଇଁ ପ୍ରଶଂସା କରାଯାଉ ନ ଥିବା ଅଭିଯୋଗ କରିଥିଲେ। ୧୬ ପ୍ରତିଶତ କର୍ମଚାରୀ ଅଫିସ୍ରେ ସେମାନଙ୍କ କୌଣସି ବନ୍ଧୁ ନ ଥିବା କହିଛନ୍ତି।
ଗବେଷଣାରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ଯେଉଁ ବ୍ୟକ୍ତି ଉଚ୍ଚ ପଦବୀରେ ଅଛନ୍ତି, ସେମାନେ ଅଧିକ ଚାପରେ ରହୁଛନ୍ତି। ଯେଉଁମାନେ କ୍ୟାରିଅରରେ ଆଗକୁ ବଢ଼ି ପାରି ନ ଥାନ୍ତି ସେମାନେ ମଧ୍ୟ ଅନେକ ଚାପରେ ରହୁଛନ୍ତି। ଯଦିଓ ସେମାନେ ଦରମା ଅଧିକ ପାଉଛନ୍ତି, ତଥାପି ସେମାନେ ଖୁସି ନ ଥାନ୍ତି ବୋଲି ଏହି ଗବେଷଣାରୁ ଜଣାପଡ଼ିଛି।
ମାନ୍ଚେଷ୍ଟର ବିଜନେସ୍ ସ୍କୁଲ୍ର ଗବେଷକ କ୍ୟାରି କୁପର କହିଛନ୍ତି ଯେ ଏମିତି ଏକ ସମୟ ଆସିଥାଏ, ବ୍ୟକ୍ତି ଯେଉଁ ସଫଳତା ହାସଲ କରିବା କଥା ତାହା କରି ପାରି ନ ଥାଏ। କର୍ମଚାରୀ ନିଜ କାମରେ ଏତେ ବ୍ୟସ୍ତ ରହିଥାନ୍ତି ଯେ ପରିବାରକୁ ମଧ୍ୟ ସମୟ ଦେଇ ପାରି ନ ଥାନ୍ତି। କୁପର କହିଛନ୍ତି ଯେ ଏଭଳି ପରିସ୍ଥିତିରୁ ମୁକୁଳିବା ଲାଗି ଅଫିସ୍ରେ ଅଧିକ ବନ୍ଧୁ ସୃଷ୍ଟି କରିବା ନିହାତି ଦରକାର। ଯାହାଫଳରେ ଅଫିସ୍ରେ ବିତାଉଥିବା ସମୟ ସୁରୁଖୁରୁରେ କଟିଯିବ ଏବଂ ଆପଣଙ୍କର ଚାକିରି ପ୍ରତି ମଧ୍ୟ ବିତୃଷ୍ଣା ଭାବ ମଧ୍ୟ ଆସିବ ନାହିଁ।