ଖୁଚୁରା ବଜାରରେ ତେଜୁଛି ଡ଼ାଲି ଓ ଚାଉଳ ଦର
-ହିଂଜିଳିକାଟୁ ୧୭ା୫ (ଶେଷଦେବ ସାହୁ): ସାମୁଦ୍ରିକ ଝଡ଼ ଫନି ପରେ ଅନ୍ୟାନ ସାମଗ୍ରୀର ଦର ସ୍ଥିର ଥିବା ବେଳେ ଚାଉଳ ଓ ଡ଼ାଲି ଭଳି କେତେକ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଘଟିଛି । ଫଳରେ ଖାଉଟି ମହଲରେ ଅସନ୍ତୋଷ ଦେଖାଦେଇଛି । ଉଭୟ ଚାଉଳ ଓ ନାଲି ଜାତୀୟ ସାମଗ୍ରୀର ଦର କିଲୋ ପ୍ରତି ୫ ରୁ ୧୦ ଟଙ୍କା ଲେଖାଏଁ ବୃଦ୍ଧି ଘଟିଛି । ଗତମାସରେ ଯେଉଁ ଉସୁନା ଚାଉଳ କ୍ୱିଂଟାଲ ପିଛା ୨୨୫୦ ରୁ ୨୩୦୦ ଟଙ୍କା ଥିଲାବେଳେ ବର୍ତମାନ ତାହାର ପରାଇକାରୀ ଦର ୨୪୫୦ ଟଙ୍କା ରହିଛି । ଖୁଚୁରା ବଜାରରେ ଚାଉଳ କିଲୋ ୩୦ ଟଙ୍କା ରହିଥିବା ଜଣାପଡ଼ିଛି । ମୁଗଡ଼ାଲି ଗତମାସରେ କିଲୋ ପିଛା ୭୫ ଟଙ୍କା ରହିଥିବା ବେଳେ ବର୍ତମାନ ଦର ୮୫ ଟଙ୍କା ରହିଛି । ସେହିପରି ହରଡ଼ ଡ଼ାଲି ପାଇକାରୀ ଭାବେ କିଲୋ ପିଛା ୭୫ ରୁ ୭୮ ଟଙ୍କା ରହିଥିବା ବେଳେ ବର୍ତମାନ ଦର ୮୮ ଟଙ୍କା ରହିଛି । ଖୁଚୁରା ବଜାରରେ କିଲୋ ପିଛା ୯୦ ଟଙ୍କାରେ ବିକ୍ରି ହେଉଥିବା ଲକ୍ଷ୍ୟ କରାଯାଇଛି । ବୁଟଡ଼ାଲି ଗତ ମାସରେ କିଲୋ ପିଛା ୫୪ ରୁ ୫୮ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତମାନ ଦର ୬୫ ରୁ ୭୦ ଟଙ୍କାରେ ପଂହଚିଛି । ଚୂଡ଼ା, ଗୁଡ଼, ଦିଆସିଲି, ତେଲ, ସୁଜି, ଅଟା, ମଇଦା ପ୍ରଭୃତିର ଦର ସ୍ଥିର ଥିବା ବେଳେ ଡ଼ାଲି ଓ ଚାଉଳର ଦର ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଗରିବ ମୁଣ୍ଡରେ ଚଡ଼କ ପଡ଼ିଛି ।


