ମା’ ଜାଗୁଳାଇ ମନ୍ଦିରରେ ଶାରଦୀୟ ପାର୍ବଣ ଉତ୍ସବ

ନାଉଗାଁ, (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡାସ୍ଥିତ ପ୍ରାଚୀନ ଶକ୍ତିପୀଠ ମା’ ଜାଗୁଳାଇଙ୍କ ମନ୍ଦିରରେ ଚଳିତ ବର୍ଷ ଶାରଦୀୟ ପାର୍ବଣ ଉତ୍ସବ ଆଶ୍ୱିନ ମାସର ପବିତ୍ର ମୂଳାଷ୍ଟମୀ ତିଥିରୁ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହେଉଛି। ପ୍ରତିବର୍ଷ ପରି ଏହି ଅବସରରେ ମା’ଙ୍କର ଷୋଡ଼ଶ ଉପଚାର ପୂଜା, ଚଣ୍ଡୀପାଠ ଓ ବିଭିନ୍ନ ଧାର୍ମିକ ରୀତିନୀତି ଅନୁଷ୍ଠିତ ହେଉଛି। ପାର୍ବଣ ଅବସରରେ ମା’ ଜାଗୁଳାଇ ବିଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିବାରୁ ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଏହି ପବିତ୍ର ଧାର୍ମିକ ଉତ୍ସବରେ ମା’ ଜାଗୁଳାଇଙ୍କ ଆଶୀର୍ବାଦ ଲାଭ ପାଇଁ ଭକ୍ତମାନଙ୍କ ମଧ୍ୟରେ ଗଭୀର ଶ୍ରଦ୍ଧା, ଭକ୍ତି ଓ ଉତ୍ସାହ ପରିଲକ୍ଷିତ ହେଉଛି। ଏହି ଅବସରରେ ସତ୍ୟସେବା ମଣ୍ଡଳ ପକ୍ଷରୁ ସତସଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ସଦ୍‌ଗୁରୁ ବାବା ବୈକୁଣ୍ଠନାଥଙ୍କ  ପଟଶିଷ୍ୟ ତଥା ବୈକୁଣ୍ଠ ବିଧାନ ସୁରକ୍ଷା ସଂସଦର ସଭାପତି ବାବାଜୀ ସତ୍ୟାନନ୍ଦ ଦାସ ସଦ୍‌ଗୁରୁ ବାବା ବୈକୁଣ୍ଠନାଥଙ୍କ ମହିମା ଉପରେ ପ୍ରବଚନ ପ୍ରଦାନ କରିଥିଲେ। ଏଥିସହ ଡାକ୍ତର ବିଚିତ୍ରାନନ୍ଦ ପଣ୍ଡା, ଡାକ୍ତର ସରୋଜ କୁମାର ମିଶ୍ର, ଇଞ୍ଜିନିୟର ପୂର୍ଣ୍ଣଚନ୍ଦ୍ର ସାହୁ ଓ ବେଦବିତ୍ ରଞ୍ଜନ କୁମାର ସାମଲ ପ୍ରମୁଖ ପ୍ରବଚନ ପ୍ରଦାନ କରିଥିଲେ। ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ଆଧ୍ୟାତ୍ମିକ କରିବା ପାଇଁ ନବଦିନାତ୍ମକ ରାମଚରିତ ମାନସ ପାଠ, ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ, ରାମଲୀଳା, ପାଲା ଓ ଦାଶକାଠିଆ ଆଦି ପାରମ୍ପରିକ ଲୋକକଳା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହିସବୁ କାର୍ଯ୍ୟକ୍ରମ ମାଧ୍ୟମରେ ଧାର୍ମିକ ଚେତନା ସହିତ ଓଡ଼ିଆ ଭାଷା, ସଂସ୍କୃତି ଓ ପାରମ୍ପରିକ ଲୋକକଳାର ପ୍ରଚାର ଓ ପ୍ରସାର କରାଯାଉଛି। ତିହୁଡା ଗ୍ରାମବାସୀ, ଶାରଦୀୟ ପୂଜା କମିଟି ଓ ମନ୍ଦିର ପରିଚାଳନା କମିଟିର ମିଳିତ ସହଯୋଗରେ ଏହି ପାର୍ବଣ ଉତ୍ସବ ଅନୁଷ୍ଠିତ ହେଉଛି। ମନ୍ଦିର ପରିଚାଳନା ସଭାପତି ତଥା ଅନ୍ତର୍ଜାତୀୟ ଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସଙ୍କ ତତ୍ତ୍ୱାବଧାନରେ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହେଉଛି। ଉତ୍ସବର ସଫଳ ଆୟୋଜନ ନିମନ୍ତେ ମନ୍ଦିର କମିଟି, ସେବାୟତ, ପୂଜା କମିଟି ଓ ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରୁଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ