ଫ୍ରାନ୍ସ ହସ୍ପିଟାଲରୁ ୨,୦୦୦ ସର୍ଜିକାଲ ମାସ୍କ ଚୋରି
ନୂଆଦିଲ୍ଲୀ: କୋରୋନା ଭୟରେ ଏବେ ସାରା ବିଶ୍ବ ଥରହର। ଦିନକୁ ଦିନ ଏହା ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପୁଥିବା ବେଳେ ଡ଼ରରେ ଲୋକେ ଘରୁ ବାହାରିବା ବନ୍ଦ କରିସାରିଲେଣି। ଏଭଳି ପରିସ୍ଥିତିରେ ଫ୍ରାନ୍ସର ଏକ ହସ୍ପିଟାଲରେ ୨,୦୦୦ଟି ସର୍ଜିକାଲ ମାସ୍କ ଚୋରି ହୋଇଥିବା ଜଣାପଡ଼ିଛି। କୋରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଏବେ ସର୍ଜିକାଲ ମାସ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ଲୋକେ ଏହାକୁ ଚୋରି କରିବା ଆରମ୍ଭ କରିଛନ୍ତି। ଫ୍ରାନ୍ସରେ ଥିବା ମାର୍ସେଲ ହସ୍ପିଟାଲରୁ ଏହି ୨୦୦୦ ସର୍ଜିକାଲ ମାସ୍କ ଚୋରି ହେବା ବିଷୟରେ ସୂଚନା ଦେଇଛନ୍ତି ଫ୍ରାନ୍ସର ସ୍ବାସ୍ଥ୍ୟ ଅଧିକାରୀ।
ମାର୍ସେଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ଚୋରି ହୋଇଥିବା ମାସ୍କ ସବୁ ରୋଗୀ ଏବଂ କର୍ମଚାରୀମାନଙ୍କ ପାଇଁ ଉପଲବ୍ଧ ଥିଲା। ଯେଉଁମାନଙ୍କ ଅସ୍ତ୍ରୋପଚାର ହେଉଛି, ସେମାନଙ୍କୁ ଏହି ମାସ୍କ ଦିଆଯିବାର ଥିଲା। କିନ୍ତୁ କରୋନା ଆତଙ୍କ ପାଇଁ ଏବେ ଏହା ଚୋରି ହୋଇଯାଇଛି। ଏହି ଚୋରି ପଛରେ କାହାର ହାତ ରହିଛି, ସେ ବିଷୟରେ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଦିଆଯାଇଛି। ହସ୍ପିଟାଲରେ ଏବେ ସାଧାରଣ କାର୍ଯ୍ୟ ଜାରି ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ମାସ୍କ ଅଛି। କିନ୍ତୁ କୌ ଣସି ଜରୁରୀକାଳିନ ପରିସ୍ଥିତି ପାଇଁ ଆମେ ଉଭୟ ମାସ୍କ ଏବଂ ହ୍ୟାଣ୍ଡ ଜେଲକୁ ଗଚ୍ଛିତ ରଖିବା ପାଇଁ ଅଧିକ ମାସ୍କ ଅର୍ଡର କରିଥିଲୁ, ଯାହା ଏବେ ଚୋରି ହୋଇଯାଇଛି।
ସୂଚନା ମୁତାବକ, କୋରୋନାର ଶିକାର ହୋଇ ଫ୍ରାନ୍ସରେ ୪ ଜଣଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ଲୋକଙ୍କ ମନରେ ଭୟ ଆରମ୍ଭ ହୋଇଛି। ନିଜକୁ ବଞ୍ଚାଇବା ପାଇଁ ବା ଅଧିକ ଦାମରେ ଲୋକଙ୍କୁ ବିକ୍ରି କରିବା ପାଇଁ କେହି ଜଣେ ଏଭଳି ଚୋରି କରିଥିବା ସନ୍ଦେହ କରାଯାଉଛି।


