ସିବିଏସ୍‌ଇ ପରୀକ୍ଷାର୍ଥୀ ପିନ୍ଧିବେ ମାସ୍କ: ଦିଲ୍ଲୀରେ ୨ଟି ସ୍କୁଲ୍‌ ଛୁଟି

ନୂଆଦିଲ୍ଲୀ: ଭାରତରେ ୨୯ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ଓ ଅନ୍ୟାନ୍ୟ ରାଜ୍ୟ ସରକାର ଏହାକୁ ମୁକାବିଲା କରିବା ପାଇଁ କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ପରୀକ୍ଷା ୠତୁ ଚାଲିଥିବାରୁ ଏହାକୁ ନେଇ ସିବିଏସ୍‌ଇ କର୍ତ୍ତୃପକ୍ଷ ମଧ୍ୟ ଚିନ୍ତା ପ୍ରକଟ କରିବା ଆରମ୍ଭ କରିଛନ୍ତି। କାରଣ ଗୋଟିଏ ପରୀକ୍ଷା କେନ୍ଦ୍ରରେ ଶତାଧିକ ପରୀକ୍ଷାର୍ଥୀ ଏକାଠି ବସି ପରୀକ୍ଷା ଦେବା ଏକପ୍ରକାର ବାଧ୍ୟତାମୂଳକ ହୋଇଥିବାରୁ ମନରେ ଭୟ ଓ ଆଶଙ୍କା ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନଙ୍କୁ ଆବଶ୍ୟକତା ଅନୁସାରେ ମାସ୍କ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ପରାମର୍ଶ ଦିଆଯାଇଛି। ମାସ୍କ ପିନ୍ଧି ପରୀକ୍ଷା ଦେବାକୁ ମଧ୍ୟ ବିଧିବଦ୍ଧ ଭାବେ ଅନୁମତି ପ୍ରଦାନ କରାଯାଇଛି।
ଏଥିସହ ପିଲାମାନଙ୍କୁ କିପରି ଭାବେ କୋରୋନା ଠାରୁ ଦୂରେଇ ରଖି ହେବ ସେନେଇ ମଧ୍ୟ ଗାଇଡଲାଇନ୍‌ ଜରିଆରେ ପରାମର୍ଶ ଦିଆଯାଇଛି। ଯଦି କାହାକୁ ଜ୍ବର, ଥଣ୍ଡା, କାଶ କିମ୍ବା ସର୍ଦି ଲାଗି ରହୁଛି ତାହେଲେ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ ଲୋଡିବାକୁ କୁହାଯାଇଛି। ପରିବାରରେ ଯଦି ବି କାହା ଠାରେ ଏପରି ଲକ୍ଷଣ ଜଣାପଡ଼ୁଛି ତାହେଲେ ତାଙ୍କୁ ଘରେ ଅଲଗା ରଖି ଚିକିତ୍ସା ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ୱାଶ୍‌ ବେସିନ ପାଖରେ ହ୍ୟାଣ୍ଡ ୱାଶ୍‌ ଓ ସାବୁନ ରଖି ବାରମ୍ବାର ହାତ ଧୋଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କାଶିବା ବା ଛିଙ୍କିବା ବେଳେ ରୁମାଲ କିମ୍ବା ଗାମୁଛା ମୁହଁରେ ଦେଇ ତାହାକୁ ତୁରନ୍ତ ଧୋଇବାକୁ ପରାମର୍ଶ ଦିଆଯାଇଛି।
ଦିଲ୍ଲୀରେ ଜଣେ କୋରୋନା ଆକ୍ରନ୍ତ ଚିହ୍ନଟ ହୋଇ ସାରିଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ସେ ନିଜେ ଏହି ଟାସ୍କ ଫୋର୍ସ ଟିମ୍‌ର ମୁଖ୍ୟ ଭାବେ କାର୍ଯ୍ୟ କରିବାକୁ ଘୋଷଣା କରିଛନ୍ତି। କାରଣ ଦିଲ୍ଲୀକୁ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ବେଶୀ ଲୋକ ଆସୁଥିବାରୁ ଏହାକୁ ଏକ ସମ୍ବେଦନଶୀଳ ସ୍ଥାନ ଭାବେ ସେ ଗ୍ରହଣ କରିଛନ୍ତି। ଦିଲ୍ଲୀରେ ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତଙ୍କ ପିଲାମାନେ ପଢ଼ୁଥିବା ଦୁଇଟି ସ୍କୁଲ୍‌କୁ ୩ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଯଦି ଆକ୍ରାନ୍ତ ପରିବାରରୁ ଆସିଥିବା ପିଲାମାନଙ୍କ ଦ୍ବାରା ସ୍କୁଲ କ୍ୟାମ୍ପସ୍‌କୁ କୋରୋନା ଭୂତାଣୁ ଆସିଥାନ୍ତି, ତାହାକୁ କିପରି ଭୂତାଣୁମୁକ୍ତ କରାଯାଇ ପାରିବ ତାହାକୁ ଶିକ୍ଷା ବିଭାଗ ଗୁରୁତ୍ବ ଦେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ