ଉକ୍ରୋଚକୁ ନେଇ ନର୍ସିଂ କର୍ମଚାରୀଙ୍କ ଘଟଣାରେ ମୁହଁ ଖୋଲିଛି ବିଭିନ୍ନ ଗଣସଂଗଠନ

ବାଲେଶ୍ୱର,୧୭/୫(ଯୁଗାବ୍ଦ ନ୍ୟୁଜ ): ଜିଲ୍ଲା ମୁଖ୍ୟଚିକିତ୍ସାଳୟ ତଥା ସରକାରୀ ମେଡିକାଲ କଲେଜ ହସପିଟାଲର ନର୍ସିଂ କର୍ମଚାରୀଙ୍କୁ ମାଡ ମାରିବା ଘଟଣାକୁ ନେଇ ଆଜି ମୁହଁ ଖୋଲିଛି ବାଲେଶ୍ୱରର ବିଭିନ୍ନ ଗଣସଂଗଠନ ଓ ସାମାଜିକ ସଂଗଠନ । ଘଟଣାର ସମ୍ପୃକ୍ତ ନର୍ସିଂ କର୍ମଚାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିବାକୁ ଦାବୀ କରିଛି ସଂଗଠନ । ପ୍ରକାଶଯୋଗ୍ୟ ଯେ ଗତ ତା.୧୦.୫.୨୦୧୯ରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରସୂତିଙ୍କର ପ୍ରସବ ପରେ ଜୈନିକା ନର୍ସ ୧ ହଜାର ଟଙ୍କା ପ୍ରସୂତିଙ୍କ ଅଭିଭାବକଙ୍କଠାରେ ଉକ୍ରୋଚ ଦାବୀ କରିଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଏବଂ ନର୍ସଙ୍କୁ ମାଡ ମାରିବା ଘଟଣାକୁ କେନ୍ଦ୍ର କରି ହସପିଟାଲ ପରିସରରେ ରୋଗୀମାନଙ୍କର ସମ୍ପର୍କୀୟ, ସାଧାରଣ ଜନତା ଓ ସମ୍ପୃକ୍ତ ନର୍ସଙ୍କ ମଧ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ବାଲେଶ୍ୱର ଟାଉନ ଥାନାରେ ଉଭୟଙ୍କ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ନର୍ସଙ୍କ ଅଭିଯୋଗ ପତ୍ରକୁ ଗୁରୁତ୍ୱ ଦିଆଯାଇ ପ୍ରସୂତିର ଭାଇକୁ ପୋଲିସ ଗିରଫ କରିବା ପରେ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଫଳରେ ବାଲେଶ୍ୱରର ବିଭିନ୍ନ ଗଣସଂଗଠନ ଓ ସାମାଜିକ ସଂଗଠନ ପୋଲିସର ଏକତରଫା କାର୍ଯ୍ୟକଳାପକୁ ନିନ୍ଦା କରିଛି । ସଂଗଠନର ପ୍ରତିନିଧିମାନେ ଘଟଣାର ଉପଯୁକ୍ତ ବିଭାଗୀୟ ତଦନ୍ତ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ନର୍ସ ଓ ସେମାନଙ୍କର ସହଯୋଗୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ମୁଷ୍ଟିମେୟ ସ୍ୱାସ୍ଥ୍ୟ କର୍ମୀଙ୍କ ବେଆଇନ ଅର୍ଥ ଦାବୀ ଓ ଅସୌଜନୀୟ ବ୍ୟବହାରକୁ ନେଇ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ବଦନାମ ହେଉଛନ୍ତି ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡୁଛି । ମହିଳା ଓ ଶିଶୁ ସେବା ଦାୟିତ୍ୱରେ ଥିବା ନର୍ସିଂ କର୍ମଚାରୀମାନଙ୍କୁ ତୁରନ୍ତ ଜିଲ୍ଲା ହସପିଟାଲରୁ ବଦଳି କରିବା ଓ ଉକ୍ରୋଚ ଦାବୀ କରି ମାଡ ମାରିଥିବା ନର୍ସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସଂଗଠନ ପକ୍ଷରୁ ଦାବୀ ହୋଇଛି । ଅତିତରେ ଉକ୍ରୋଚ ମାଗିବାଓ ମାଡ ମାରିଥିବା ନର୍ସଙ୍କ ବିରୋଧରେ ଏକାଧିକ ଅଭିଯୋଗ ରହିଛି । ଖୁବ୍ ଶୀଘ୍ର ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଭବିଷ୍ୟତରେ ଏକ ଭୟାବହ ପରିସ୍ଥିତି ସୃଷ୍ଟି ହେବା ସହ ଜନଆନ୍ଦୋଳନର ମୁଖ୍ୟ ଭୂମିକା ହେଲେ ଏଥିପାଇଁ ମୁଖ୍ୟ ହସପିଟାଲ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ