ମାଟିରେ ପାଦ ରଖନ୍ତି ନାହିଁ ଏହି ଗାଁର ଲୋକେ
(ଯୁଗାଦ୍ଦ ନ୍ୟୁଜ) , ଦୁନିଆରେ ଏଭଳି ଏକ ବସ୍ତି ରହିଛି, ଯାହା ସମୁଦ୍ର ଉପରେ ତିଆରି ହୋଇଛି; ତା’ବି ଆଜକୁ ପ୍ରାୟ ୧୩୦୦ ବର୍ଷ ହେବ । ଏହା ଦୁନିଆର ଏକମାତ୍ର ସମୁଦ୍ରରେ ଭାସମାନ ଅବସ୍ଥାରେ ଥିବା ବସ୍ତି; ଯାହା ଚୀନ୍ରେ ରହିଛି । ଏହି ବସ୍ତି ସମୁଦ୍ରକୂଳିଆ କେଉଟଙ୍କର ଅଟେ; ଯାହାଙ୍କୁ ସ୍ଥାନୀୟ ଭାଷାରେ ଟାଙ୍କା କୁହାଯାଏ । ଚୀନ୍ରେ ଅନେକ ଦଶକ ପୂର୍ବେ ଟାଙ୍କା ସମୁଦାୟ ସ୍ଥାନୀୟ ଶାସକଙ୍କ ଉତ୍ପୀଡ଼ନର ଶିକାର ହୋଇ ଶେଷରେ ସମୁଦ୍ର ଉପରେ ଘର କରି ରହିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରାୟ ଖ୍ରୀପୂ ୭୦୦ରୁ ନେଇ ଆଜିଯାଏ ଏମାନେ ନା ଭୂଇଁରେ ପାଦ ଦେଉଛନ୍ତି ନା ଏଠାରେ ଘର କରିବାକୁ ପସନ୍ଦ କରୁଛନ୍ତି । ସେମାନେ ଆଧୁନିକ ଜୀବନଠୁ ନିଜକୁ ଦୂରେଇ ରଖିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ଚୀନର ଦକ୍ଷିଣ ପୂର୍ବ କ୍ଷେତ୍ରରେ ପ୍ରାୟ ୭୦୦୦ କେଉଟ ପରିବାର ନିଜ ପରମ୍ପରାଗତ ଘରେ ରହୁଛନ୍ତି । ଏହି ଘର ସମୁଦ୍ରରେ ସବୁବେଳେ ଭାସମାନ ଅବସ୍ଥାରେ ଥାଏ । ଏହି ବିଚିତ୍ର ଘର ଏକଦମ୍ ବସ୍ତି ଭଳି ଦେଖାଯାଏ । ଟାଙ୍କା ସମୁଦାୟଙ୍କ ଜୀବନ ପାଣି ଘର ଏବଂ ମାଛ ଧରିବାରେ ବିତିଯାଏ । ତେଣୁ ଭୂଇଁ ଉପରକୁ ଯିବାକୁ ଏମାନେ ସମୟ ପାଆନ୍ତି ନାହିଁ କି ଇଚ୍ଛା କରନ୍ତି ନାହିଁ । ନିଜ ଜୀବନ ବଞ୍ଚାଇବାକୁ ଏହି ଭାସମାନ ଘର ବିଶେଷ ସହାୟକ ବୋଲି ବିଶ୍ୱାସ କରିଛନ୍ତି ।