ବସ ଧକ୍କାରେ ବାଇକ ଚାଳକ ମୃତ : ବିବାହ ଉତ୍ସବ ଫିକା ପଡ଼ିଲା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବିବାହ ସକାଶେ ଚାଲିଥିଲା ପରିଜନଙ୍କ ହସ ଉଲ୍ଲାସ । ବାଣ, ରୋଷଣି, ଭୋଜିଭାତରେ ମଜ୍ଜି ଯାଇଥିଲେ ପରିଜନ । ଆଉ କିଛି ସମୟ ପରେ ପଡ଼ିଥାନ୍ତା ବଡ଼ଭାଇର ହାତଗଣ୍ଠି । ହେଲେ ବିଧିର ବିଧାନ ଥିଲା ଅଲଗା । କେହି କିଛି ବୁଝିବା ପୂର୍ବରୁ ପରିବାରରେ ଖେଳିଗଲା ଶୋକର ଛାୟା । ବଡ଼ଭାଇର ହାତଗଣ୍ଠି ପଡ଼ିବାର କିଛି ସମୟ ଆଗରୁ ସାନଭାଇର ଦୂର୍ଘଟଣାରେ ଚାଲିଗଲା ଜୀବନ । ଏଭଳି ଏକ ଦୁଃଖଦ ଘଟଣା ବୁଧବାର ହିଂଜିଳି ଥାନା ବୁରୁପୋଡ଼ା ଗ୍ରାମରେ ।
ଶେରଗଡ଼ ଥାନା କୁରୁଳାର ଟୁକୁନା ଦାସ (୨୨)ବଡ଼ଭାଇର ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ହିଂଜିଳିକାଟୁ ନିକଟସ୍ଥ ଶ୍ୟାମଳାଇ ମନ୍ଦିରକୁ ଆସିଥିଲେ । କୌଣସି କାର୍ଯ୍ୟରେ ମନ୍ଦିରରୁ ୁ ହୋଣ୍ଡା ସାଇନ ମୋଟର ସାଇକେଲ (ଓଡ଼ି୦୭ ଏଏ ୪୦୭୧) ଯୋଗେ ଯିବା ସମୟରେ ବୁରୁପୋଡ଼ା ଦଣ୍ଡକାଳୀ ମେରୁତୋଟା ସମ୍ମୁଖରେ ଏକ ଘରୋଇ ଯାତ୍ରୀବାହୀ ବସ(ଓଆର୦୫ ଏଚ୍ ୭୫୯୪) ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକ ଜଣକ ବାଇକରେ ଗ୍ରାମକୁ ଯିବା ସମୟରେ ଯାତ୍ରୀବାହୀ ବସକୁ ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌(ଓଆର୦୭ବି ୪୧୦୧)କୁ ଦେଖି ଭାରସାମ୍ୟ ହରାଇ ବସ ସମ୍ମୁଖରେ ପଡ଼ି ଯାଇଥିଲେ । ବସଟି ବ୍ରେକ ଦେବା ପୂର୍ବରୁ ବାଇକ ଚାଳକଙ୍କ ଉପରେ ମାଡ଼ି ଯାଇଥିଲା । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଦୂର୍ଘଟଣା ସ୍ଥଳରେ ପଂହଚି ବାଇକ, ଯାତ୍ରୀବାହୀ ବସ ଓ ଟ୍ରକକୁ ଜବତ କରିଛି । ଏ ନେଇ ହିଂଜିଳି ଥାନା ନଂ- ୮୦/୨୦ରେ ଏକ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ