କରୋନା ଭୟ, ଚିକେନ୍ ବ୍ୟବସାୟ ମାନ୍ଦା
ନୂଆଦିଲ୍ଲୀ : ଏବେ ଚାରିଆଡ଼େ କରୋନା ଭାଇରସର ଆତଙ୍କ। ସାରା ବିଶ୍ବ ଭୟଭୀତ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍ଓ) ଏହାକୁ ମହାମାରୀ ଘୋଷିତ କରିଛି । କରୋନା ଭାଇରସର ସଂକ୍ରମଣ ଯୋଗୁଁ ଏ ପର୍ଯ୍ୟନ୍ତ ଦୁନିଆରେ ୪୬୩୩ ଲୋକଙ୍କର ମୃତ୍ୟୁ ହୋଇଥିବାର ଖବର ରହିଛି । ଏହି ରୋଗରେ ସଂକ୍ରମିତଙ୍କ ସଂଖ୍ୟା ଏବେ ୧ ଲକ୍ଷରୁ ଊର୍ଦ୍ଧ୍ବ ରହିଛି । ତେବେ ଏହା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ଖାଦ୍ୟକୁ ନେଇ । ଚିକେନ୍ ଖାଇବା ଯୋଗୁଁ କରୋନା ଭାଇସର୍ ଅଧିକ ଭାବରେ ସଂକ୍ରମିତ ହେଉଥିବାର ଏକ ଗୁଜବ ଚାରିଆଡେ ଶୁଣିବାକୁ ମିଳୁଛି । ଏପରିକି ଚିକେନ୍ ବିକ୍ରିରେ ହ୍ରାସ ପାଇବା ସହିତ ଏହାର ମୂଲ୍ୟ ମଧ୍ୟ ଆଶାତୀତ ଭାବରେ କମିବାରେ ଲାଗିଛି । ଏବେ ବଜାରରେ କିଲୋ ପିଛା ୭୦/୮୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ମଟନ୍ ଓ ବିଫ୍ରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି । ଲୋକମାନେ ଚିକେନ ମଟନ ବ୍ୟତୀତ ପଣସ କଠାକୁ ଅଧିକ କିଣୁଥିବାର ଦେଖାଯାଉଛି।
ପଶୁପାଳନ ବିଭାଗ ସିଧାସଳଖ କହିଛନ୍ତି ଯେ, ଚିକେନ ଖାଇବା ଦ୍ବାରା ଏହି ରୋଗ ସଂକ୍ରମିତ ହେଉନାହିଁ । କୋବିଦ-୧୯ ଓ ଚିକେନ ମଧ୍ୟରେ କୌଣସି ପ୍ରକାରର ସମ୍ପର୍କ ନାହିଁ । ଏହା ଏକପ୍ରକାର ଗୁଜବ । କିନ୍ତୁ ଏହି ଗୁଜବ ଏବେ ଚିକେନ୍ ବ୍ୟବସାୟ ଉପରେ ବେଶ୍ ଭାରି ହୋଇଛି । ଲୋକମାନେ ଚିକେନ୍ ତଥା ଆମିଷ ଖାଦ୍ୟଠାରୁ ନିଜକୁ ଦୂରେଇ ରଖୁଛନ୍ତି ।


